ବିମୁଦ୍ରାକରଣ ପରେ ଆଜିଠୁ ଆରମ୍ଭ ହେଉଛି ଦରମା ସପ୍ତାହ : ଟଙ୍କା ପାଇଁ ପୁଣି ବଢିବ ଟେନସନ୍

26

କନକ ବ୍ୟୁରୋ : ଆଜି ଡିସେମ୍ବର ପହିଲା । ବଡ ନୋଟ ଅଚଳ ପରେ ଆରମ୍ଭ ହେଲା ପ୍ରଥମ ଦରମା ସପ୍ତାହ । ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜୁଛି । ଯେଉଁମାନେ କ୍ୟାସ ପେମେଂଟ ପାଉଥିଲେ, ସେମାନେ ଆଶଙ୍କା ଦେଇ ଗତି କରୁଛନ୍ତି । ତେବେ ବ୍ୟାଙ୍କକୁ ଦରମା ଆସୁଥିବା କର୍ମଚାରୀମାନେ କିଭଳି ଟଙ୍କା ଉଠାଇବେ, କେତେ ଟଙ୍କା ଉଠାଇପାରିବେ, କେତେ ସମୟ ବ୍ୟାଙ୍କ ବା ଏଟିଏମ ଲାଇନରେ ଛିଡା ହେବେ, ଏ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଏପରିକି ବିଶେଷଜ୍ଞମାନେ ମଧ୍ୟ ଆଶଙ୍କା କରୁଛନ୍ତି, ପରିସ୍ଥିତି ସଂଗୀନ ହୋଇପାରେ । ଟଙ୍କା ଆବଶ୍ୟକ ମୁତାବକ ନଥିବାରୁ ବ୍ୟାଙ୍କ ଉପରେ ଚାପ ସୃଷ୍ଟି ହେବ । କେନ୍ଦ୍ର ସରକାର ଏ ନେଇ ଚିନ୍ତିତ ରହିଥିବା ବେଳେ ପରିସ୍ଥିତିକୁ ସାମନା କରିବାକୁ ପ୍ରସ୍ତୁତ ଥିବା କହିଛି ଆରବିଆଇ ।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ ବେତନ ବାବଦରେ ଯେଉଁ ଅର୍ଥ ଉଠାଇବେ, ଏହାର ଆବଶ୍ୟକତା ମେଂଟାଇବା ପାଇଁ ନୋଟ୍ ଛାପାଖାନା ଗୁଡିକରେ କେବଳ ୫୦୦ଟଙ୍କିଆ ଛପା ଚାଲିଛି । ତେବେ ଆସନ୍ତା ସପ୍ତାହରୁ ଉଠାଣ କଟକଣା କୋହଳ ହେବ ବୋଲି ଆଶା କରାଯାଉଛି । ଏବେ ବ୍ୟାଙ୍କରୁ ସପ୍ତାହକୁ ମାତ୍ର ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ ।