ଆସବାବପତ୍ର, ପ୍ଲାଷ୍ଟିକ୍ ପାଇପ୍ ଉପରୁ କମିବ ଜିଏସଟି : ରାଜସ୍ୱ ସଚିବ ହସମୁଖ ଆଧିଆ

39

ଲୋକମାନେ ଅଧିକ ମତ୍ରାରେ ବ୍ୟବହାର କରୁଥିବା ସାମଗ୍ରୀ ଉପରୁ ଜିଏସଟି କମ୍ କରିବା ଉପରେ ସରକାର ବିଚାର କରୁଛନ୍ତି । ଏ ବିଷୟରେ ରାଜସ୍ୱ ସଚିବ ହସମୁଖ ଆଧିଆ ସୂଚନା ପ୍ରଦାନ କରିଛନ୍ତି । ଆସବାବପତ୍ର, ପ୍ଲାଷ୍ଟିକ୍ ପାଇପ୍ ଏବଂ ଇଲେକ୍ଟ୍ରିକ୍ ସ୍ୱିଚ୍ ଭଳି ବହୁଳ ଭାବେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରୁ ଜିଏସଟି କମ୍ କରାଯିବ। ତେବେ ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଜିଏସଟି ଲଗାଇବା ପାଇଁ ବହୁତ ସମୟ ଲାଗିବ ବୋଲି ଆଧିଆ କହିଛନ୍ତି । ଏବେ ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସଟି ଲଗାଇବାର କୌଣସି ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

କଞ୍ଜ୍ୟୁମର ଗୁଡ୍ସ ( ଉପଭୋକ୍ତା ସାମଗ୍ରୀ) ଉପରୁ ଜିଏସଟି କମ୍ କରାଯାଇପାରିବ ନାହିଁ ବୋଲି ଶ୍ରୀ ଆଧିଆ କହିଛନ୍ତି । ଚଳିତ ମାସ ୬ରେ ଅନୁଷ୍ଠିତ ହୋଇଥିବା ଜିଏସଟି ପରିଷଦ ବୈଠକରେ ଡିଜେଲ୍ ଇଞ୍ଜିନର ପାର୍ଟସ୍ ଏବଂ ପମ୍ପ୍ ଉପରୁ ଜିଏସଟି ହାରକୁ ୨୮%ରୁ ହ୍ରାସ କରି ୧୮% କରାଯାଇଥିଲା । ପରିଷଦ ପକ୍ଷରୁ ୨୭ଟି ସାମଗ୍ରୀର ଜିଏସଟି ହାର କମ୍ କରାଯାଇଥିଲା । ଏହି ସହିତ କ୍ଷୁଦ୍ର ବ୍ୟବସାୟୀ ଏବଂ ରପ୍ତାନିକାରୀମାନଙ୍କ ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯାଇଥିଲା । ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ପାଇଁ ତୈଳ ମନ୍ତ୍ରଣାଳୟ ଦାବି କରୁଛି । ମାତ୍ର କେନ୍ଦ୍ର ସରକାର ସେହି ଦାବିକୁ ପ୍ରତିଥର ଖଣ୍ଡନ କରିଛନ୍ତି ।

ରିଅଲ ଇଷ୍ଟେଟକୁ ଜିଏସଟି ଅଧିନକୁ ଆଣିବା ଉପରେ କିଛି ଦିନ ତଳେ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ରାଜ୍ୟଗୁଡ଼ିକ ଏଥିପାଇଁ ସହମତ ହେବେ ନାହିଁ ବୋଲି ଆଧିଆ କହିଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ ସାମଗ୍ରୀ ଏବଂ ସେବାକୁ ଜିଏସଟିର ଚାରିଟି ସ୍ଲାବ୍ ୫,୧୨,୧୮ ଏବଂ ୨୮%ରେ ଭାଗ କରାଯାଇଛି । ଏହା ବ୍ୟତୀତ ସୁନା ଏବଂ ଗହଣା ଉପରେ ୩% ଜିଏସଟି ଲାଗୁ କରାଯାଇଥିବା ବେଳେ ହୀରା ଉପରେ ୦.୨୫% ଟିକସ ଲାଗୁ କରାଯାଇଛି ।