ଉଗ୍ର ରୂପ ନେଇଛି ସୁନ୍ଦରଗଡ ପେଶା ଆନ୍ଦୋଳନ ! ସମର୍ଥକ ଓ ବିରୋଧୀଙ୍କ ସଂଘର୍ଷରେ ଜଣକର ମୃତ୍ୟୁ,୫ ଆହତ

32

କନକ ବ୍ୟୁରୋ: ସୁନ୍ଦରଗଡରେ ତୀବ୍ର ରୂପ ନେଉଛି ପେଶା ଆନ୍ଦୋଳନ । ଆଜି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଆହତ ୬ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ କୁତ୍ରା ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଗତ ୧୯ ତାରିଖରେ ପଥରଗାଡକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଂଚଳରେ ହୋଇଥିବା ଏହି ସଂଘର୍ଷରେ ୬ ଜଣ ଆହତ ହୋଇଥିଲୋ କୁତ୍ରା ଅଂଚଳରେ ଶ୍ୟାମଲାଲ ଅଗ୍ରୱାଲ ନିଜ ଜମିରେ କରିଥିବା ପାଚେରୀ କାମ ଓ ଗଜପୋଷ ଠାରୁ ପଂଚରା ପର୍ଯ୍ୟନ୍ତ ରାସ୍ତାକାମକୁ ବିରୋଧ କରି ଗ୍ରାମସଭା କମିଟି ପଥରଗାଡ ଲଗାଇଥିଲେ । ପେଶା ବିରୋଧୀ କମିଟି ଏହି ପଥରଗାଡକୁ ବିରୋଧ କରିବା ସହ ଆଜି ସକାଳେ ପଥରଗାଡକୁ ଭାଙ୍ଗି ଦେଇଛନ୍ତି । ଯାହା ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ଗଡପୋଷ ଛକଠାରେ ମାରପିଟ ହୋଇଥିଲା । ଦୁଇଗୋଷ୍ଠୀର ୬ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ପେଶା ଆଇନ୍ ସମ୍ବନ୍ଧରେ କିଛି ତଥ୍ୟ . . .

୧. ୧୯୯୬ ମସିହାରେ ପାରିତ ହୋଇଛି ପେଶା ଆଇନ

୨. ସମ୍ବିଧାନର ଧାରା ୨୪୪ ପଂଚମ ଅନୁଚ୍ଛେଦ ଅନୁଯାୟୀ ଆଦିବାସୀମାନେ ଏହି ଆଇନ୍ ଜରିଆରେ ନିଜକୁ ସୁହାଇଲା ଭଳି ଶାସନ ବ୍ୟବସ୍ଥା କରିପାରିବେ

୩. ଆଦିବାସୀ ଅଂଚଳରେ ଥିବା ଜଳ, ଜଙ୍ଗଲ ଜମି ଏବଂ ସମସ୍ତ ଖଣିଜ ପଦାର୍ଥ ଉପରେ ଆଦିବାସୀଙ୍କ ସଂପୂର୍ଣ୍ଣ ଅଧିକାର ରହିଛି ।

୪. ଗ୍ରାମସଭାର ଅନୁମତି ବିନା ଆଦିବାସୀ ଅଂଚଳର କୌଣସି ପ୍ରାକୃତିକ ସମ୍ପତି ଉପରେ କେହି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ।

୫. ଏପରିକି ସରକାର ଓ ପ୍ରଶାସନକୁ ବି ଗ୍ରାମସଭାରୁ ଅନୁମତି ନେବାକୁ ପଡିବ ।

ହେଲେ ସୁନ୍ଦରଗଡର ଆଦିବାସୀ ଅଂଚଳରେ ପ୍ରଶାସନ ପୋଲିସକୁ ଲଗାଇ ଜୁଲୁମ କରିବା ସହ ମାଆ ମାଟିକୁ କଂପାନୀ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅଦିବାସୀମାନେ ବିକାଶ କାର୍ଯ୍ୟକୁ ବିରୋଧ କରୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୁନ୍ଦରଗଡ ବାସିନ୍ଦା । ଆଦିବାସୀମାନେ ନିଜ ଅଧିକାରକୁ ସାବ୍ୟସ୍ତ କରିବା, ହକ୍ ପାଇଁ ଲଢେଇ କରିବା, ନିଜ ଗାଁରେ ନିଜେ ଶାସନ କରିବା ଠିକ୍ । ହେଲେ ବିକାଶକୁ ବନ୍ଦ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।