ପଶ୍ଚିମ ଓଡ଼ିଶା ଆଇନଜୀବୀ ଆନ୍ଦୋଳନ ନେଇ ରାଜ୍ୟ ବାର କାଉନସିଲ ଲେଖିଲା ଚିଠି । କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ବାର କାଉନସିଲକୁ ସୁପାରିଶ, ପ୍ରତିକ୍ରିୟାଶୀଳ ହେଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ

380

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ଆନ୍ଦୋଳନ ଏକ ଭିନ୍ନ ମୋଡ଼ ନେଇଛି । ସ୍ଥିତି ଏମିତି ହୋଇଛି ଯେ, ଓଡ଼ିଶା ବାର୍ କାଉନସିଲ ଏବଂ ପଶ୍ଚିମ ଓଡ଼ିଶା ଓକିଲ ସଂଘ ମୁହାଁମୁହିଁ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ଓଡ଼ିଶାର ଓକିଲଙ୍କ ଆନ୍ଦୋଳନକୁ ବିରୋଧ କରି ବାର୍ କାଉନସିଲ ଅପ୍ ଇଣ୍ଡିଆକୁ ଏକ ଚିଠା ପ୍ରସ୍ତାବ ଦେଇଛି ରାଜ୍ୟ ଓକିଲ ସଂଘ । ଆନ୍ଦୋଳନ କରୁଥିବା ଓକିଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି । ଏଥିରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ରହିଛି । ଏପଟେ ରାଜ୍ୟ ଓକିଲ ସଂଘର ଏଭଳି ଚିଠିକୁ ବିରୋଧ କରି ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ । ଏହାର ପ୍ରତିବାଦରେ ଆଜି ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ରାଜ୍ୟ ଓକିଲ ସଂଘର କାର୍ଯ୍ୟପନ୍ଥାକୁ ବିରୋଧ କରି ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ନିଷ୍ପତି ନିଆଯାଇଛି ।

ମାସ ମାସ ଧରି ଓକିଲଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗତ ୨୪ ଅକ୍ଟୋବରରେ ବାର୍ କାଉନସିଲ ଅପ୍ ଇଣ୍ଡିଆ ଓ ରାଜ୍ୟ ବାର୍ କାଉସିଲ ଅଧ୍ୟକ୍ଷକୁ ନୋଟିସ୍ କରିଥିଲେ ସୁପ୍ରିମକୋର୍ଟ । ଏଥିରେ ବାର୍ କାଉନସିଲ ଅପ୍ ଇଣ୍ଡିଆ ଓ ରାଜ୍ୟ ବାର୍ କାଉସିଲ ଅଧ୍ୟକ୍ଷକୁ ନଭେମ୍ବର ୮ ତାରିଖରେ ସୁପ୍ରିମକୋର୍ଟରେ ହାଜର ହେବାକୁ କହିଥିଲେ । ଆଉ ଏହା ପୂର୍ବରୁ ଆନ୍ଦୋଳନ କରୁଥିବା ହାଇକୋର୍ଟ ବାର ଆନ୍ଦୋଳନରୁ ଓହରି ଯାଇଥିଲା । କିନ୍ତୁ ଏହା ପରେ ବି ଆନ୍ଦୋଳନ କରୁଥିବା ଓକିଲଙ୍କ ବିରୋଧରେ ଏବଂ ଓକିଲ ସଂଘଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥଲେ ସୁପ୍ରିମକୋର୍ଟ । ଆଉ ଏହି ଆଧାରରେ ଆନ୍ଦୋଳନ କରୁଥିବା ପଶ୍ଚିମ ଓଡ଼ିଶା ଓକିଲ ସଂଘ ଏବଂ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଚିଠା ପ୍ରସ୍ତାବକରି ବାର୍ କାଉନସିଲ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ବାର୍ କାଉନସିଲ। ଏପଟେ ଏହି ଘଟଣା ଯଦି ଜଣେ ବି ଓକିଲଙ୍କ ଲାଇସେନ୍ସ ରଦ୍ଧ ହୁଏ, ତେବେ ସାମୂହିକ ଭାବେ ଓକିଲମାନେ ଲାଇସେନ୍ସ ଫେରାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି ।