ଫିଟୁଛି ବାବା ରାମ ରହିମଙ୍କ ଗୁମର ! ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନରେ ସାମ୍ନାକୁ ଆସିଲା ଡ଼େରା ଆଶ୍ରମର ବାଣ କାରଖାନା

54

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ବି ସିରସାର ଡ଼େରା ଆଶ୍ରମରେ ଖାନତଲାସି ଜାରି ରହିଛି । ଡ଼େରା ଆଶ୍ରମ ପରିସରରେ ଥିବା ଏକ ବେଆଇନ ବାଣ କାରଖାନାକୁ ଠାବ କରାଯାଇଛି । ଏହାସହ ବିସ୍ଫୋରଣ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ପୁଲିସ ବେଆଇନ ବାଣ କାରଖାନାକୁ ସିଲ୍ କରିଦେଇଛି । ରାମରହିମଙ୍କ ଗୋଟିଏ ପରେ ଗୋଟିଏ ପାପ ପେଡ଼ିଖୋଲିବାରେ ଲାଗିଛି ।

ଗତକାଲିଠାରୁ ସିରସା ସ୍ଥିତ ଡେରା ଆଶ୍ରମରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ହରିୟାଣା ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀର ପ୍ରାୟ ୫ ହଜାର ଯବାନ ଯାଂଚରେ ସାମିଲ ହୋଇଛନ୍ତି । ୭୦୦ ଏକରର ଏହି ଆଶ୍ରମରେ ଅନେକ ରହସ୍ୟ ଲୁଚିଥିବା ଅନୁମାନ କରାଯାଉଛି । ଗତକାଲି ତଲାସୀ ବେଳେ ପ୍ଲାଷ୍ଟିକ୍ ଟଙ୍କା, ନମ୍ବର ବିହୀନ ଲଗଜୁରୀ କାର, କମ୍ପ୍ୟୁଟର, ଲାପଟପ୍, ହାର୍ଡ ଡିସ୍କ, କିଛି ପୁରୁଣା ନୋଟ ଓ ପାଷ୍ଟିକ କରେନ୍ସି ବି ଜବତ କରାଯାଇଥିଲା । ସେପଟେ ୨ ଜଣ ନାବାଳିକାଙ୍କ ସମେତ ୩୪ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସିରସାରେ କୌଣସି ପ୍ରକାର ଅଘଟଣାକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ଥାନୀୟ ଅଂଚଳରେ ଗାଡିମଟର ତନ୍ନ ତନ୍ନ କରି ଯାଂଚ କରାଯାଉଛି ।

ଅନ୍ୟପଟେ, ରାମ ରହିମଙ୍କ ବାସ୍ତବତା ଜାଣିଥିବା ବ୍ୟକ୍ତି ହେଉଛନ୍ତି ତାଙ୍କର ପାଳିତା କନ୍ୟା ହନିପ୍ରୀତ । ତେବେ ତାଙ୍କ ପ୍ରତି ବିପଦ ଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ । ବାବା ଗିରଫ ହେବା ପରଠାରୁ ନିଖୋଜ ହୋଇଯାଇଛନ୍ତି ହନିପ୍ରୀତ । ସେ ଉତ୍ତର ପ୍ରଦେଶ ବାଟ ଦେଇ ନେପାଳ ପଳାଇଥିବା ଅନୁମାନ କରାଯାଉଛି । ହନିପ୍ରିତଙ୍କୁ ହତ୍ୟା କରିବା ସମ୍ଭାବନା ରହିଥିବା ଗୁଇନ୍ଦା ବିଭାଗ ସନ୍ଦେହ ପ୍ରକାଶ କରିଛି ।

ଗୁରୁମିତ ରାମ ରହିମଙ୍କ ସବୁ ଗୁପ୍ତ ତଥ୍ୟ ସେ ଜାଣିଥିବାରୁ ଏପରି କରାଯାଇପାରେ ବୋଲି ଅନୁମାନ କରାଯାଉଛି । ବାବା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ରୋହତର ଜେଲରେ ୨୦ ବର୍ଷର ଦଣ୍ଡ ଭୋଗୁଥିବା ବେଳେ ହନିପ୍ରୀତ ବିରୋଧରେ ପୋଲିସ ଲୁକ୍ ଆଉଟ୍ ନୋଟିସ ଜାରି କରି ଭାରତ ସାରା ଖୋଜୁଛି ।