କନକ ବ୍ୟୁରୋ : ଅଗଷ୍ଟ ୧୫ରୁ ଆରମ୍ଭ ହେବ ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) । ପୂର୍ବରୁ ଚାଲୁ ରହିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସବିୱାଇ) ଓ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେଓ୍ଵାଇ)ର ହିତାଧିକାରୀମାନେ ହିଁ ନୂଆ ଯୋଜନାର ହିତାଧିକାରୀ ହୋଇଛନ୍ତି । କେବଳ ସେହିମାନେ ବିଏସକେୱାଇର ସୁବିଧା ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ କୌଣସି ନୂଆ କାର୍ଡ ହିତାଧିକାରୀଙ୍କୁ ମିଳିବ ନାହିଁ । ସେମାନେ ପୂର୍ବରୁ ପାଇଥିବା ଆରଏସବିୱାଇ ଓ ବିକେକେଓ୍ଵାଇ କାର୍ଡ ଦେଖାଇ ନୂଆ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ମହିଳାମାନଙ୍କ କ୍ଷେତ୍ରରେ ଏହି ସୀମା ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି। ଆରଏସବିୱାଇରେ ପଞ୍ଜୀକୃତ ୪୪ ଲକ୍ଷ ୮ ହଜାର ୭୦ ହିତାଧିକାରୀ ଓ ବିକେକେଓ୍ଵାଇରେ ପଞ୍ଜୀକୃତ ୨୫ ଲକ୍ଷ ୬୧ ହଜାର ୬୦୨ଙ୍କୁ ମିଶାଇ ସମୁଦାୟ ୬୯ଲକ୍ଷ ୬୯ହଜାର ୬୭୨ଜଣ ହିତାଧିକାରୀ ବିକେକେଓ୍ଵାଇରେ ସାମିଲ୍ ହୋଇଛନ୍ତି । ଏହି ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏକ ପତ୍ର ସ୍ୱାଧୀନତା ଦିବସରୁ ବଣ୍ଟନ ଆରମ୍ଭ ହେବ । ସାତ ଦିନ ଭିତରେ ପତ୍ର ବଣ୍ଟନ ସାରିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି ।

 

ତେବେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ହେଲପ୍ ଡେସ୍କଗୁଡ଼ିକ ଏଣିକି ‘ବିଏସକେୱାଇ ହେଲପ୍ ଡେସ୍କ’ ନାମରେ ନାମିତ ହେବ। ଆସନ୍ତା ସ୍ୱାଧୀନତା ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ଅତିଥିମାନେ ଏହାକୁ ଉଦଘାଟନ କରିବେ। ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ନିର୍ଦ୍ଦେଶିକା ଦର୍ଶାଇଛନ୍ତି, ପ୍ରତ୍ୟେକ ଫାଷ୍ଟ ରେଫରାଲ୍ ୟୁନିଟରେ ୨୪ ଘଣ୍ଟିଆ ହେଲପ୍ ଡେସ୍କ କାର୍ଯ୍ୟ କରୁଛି। ସେହିପରି ଆରଏସବିୱାଇ ଓ ବିକେକେଓ୍ଵାଇ ପାଇଁ ମଧ୍ୟ ହେଲପ୍ ଡେସ୍କ କାର୍ଯ୍ୟ କରୁଛି। ଗତ ଡିସେମ୍ବର ମାସରେ ଏହି ସମସ୍ତ ହେଲପ୍ ଡେସ୍କକୁ ଗୋଟିଏ ହେଲପ୍ ଡେସ୍କରେ ପରିଣତ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସ୍ୱାଧୀନତା ଦିବସରେ ଜିଲ୍ଲା ସ୍ତରୀୟ ଅତିଥିମାନେ ବିଏସକେୱାଇ ହେଲପ୍ ଡେସ୍କ ଉଦଘାଟନ କରିବେ। ଏହି ଡେସ୍କର ଏକ ସ୍ୱତନ୍ତ୍ର ଲୋଗୋ ରହିବ। ଉଦଘାଟନ ସମୟରେ ଯେପରି ସମସ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ପ୍ରଦାନ ବିଷୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ, ତାହା ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।