କୋଟି କୋଟିର ଓକିଲ ! ଅରବିନ୍ଦ କେଜରିୱାଲଙ୍କୁ ଗରିବ ମହକିଲ କହିଲେ ରାମ ଜେଠମଲାନୀ

20

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ମାଗଣାରେ କେସ୍ ଲଢିବେ ରାମ ଜେଠମଲାନୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ବରିଷ୍ଠ ଓକିଲ କହିଛନ୍ତି, କେଜ୍ରିୱାଲ ତାଙ୍କର ଜଣେ ଗରିବ ମହକିଲ । ତେଣୁ ତାଙ୍କ ପାଇଁ ସେ ମାଗଣାରେ କେସ୍ ଲଢିବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରିଥିବା ମାନହାନୀ ମାମଲାରେ କେଜ୍ରିୱାଲଙ୍କ ଓକିଲ ଅଛନ୍ତି ରାମ ଜେଠମଲାନୀ । ଏବଂ ଏଥିପାଇଁ ପ୍ରାୟ ସାଢେ ତିନି କୋଟି ଟଙ୍କାର ବିଲ୍ କରିଛନ୍ତି ଜେଠମଲାନୀ । ଏହା ସହ କହିଛନ୍ତି ଟଙ୍କା ନଦେଲେ ମାଗଣାରେ ଲଢିବେ କେସ୍ ।

କୋର୍ଟରେ ଥରେ ହାଜର ହେବା ପାଇଁ ଜେଠମଲାନୀ ୨୨ଲକ୍ଷ ଟଙ୍କା ନିଅନ୍ତି । ତେବେ କେଜ୍ରିୱାଲଙ୍କ ମାମଲା ଲଢିବା ପାଇଁ ୧କୋଟି ଓ ୧୧ଥର କୋର୍ଟ ଆସିଥିବାରୁ ଜେଠମଲାନୀ ୩କୋଟି ୪୨ଲକ୍ଷ ଟଙ୍କା ବିଲ୍ କରିଛନ୍ତି । ଏହି ମାମଲାରେ ଦିଲ୍ଲୀ ସରକାର ରାଜ୍ୟପାଳ ଅନିଲ ବୈଜଲଙ୍କୁ ଚିଠି ଲେଖି ରାମ ଜେଠମଲାନୀଙ୍କୁ ଫି’ ବାବଦ ଟଙ୍କା ଦେବାକୁ କହିଥିଲେ । ଏନେଇ ବିଜେପି ମଧ୍ୟ ଅଭିଯୋଗ କରିଛି ଯେ, ଅରବିନ୍ଦ କେଜ୍ରିୱାଲ ବ୍ୟକ୍ତିଗତ ମାମଲା ପାଇଁ ସରକାରୀ ଟଙ୍କାର ଉପଯୋଗ କରୁଛନ୍ତି ।

୨୦୧୫ରେ ଅରୁଣୀ ଜେଟଲୀ ଦିଲ୍ଲୀ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଥିଲେ କେଜ୍ରିୱାଲ । ୨୦୧୩ ପର୍ଯ୍ୟନ୍ତ ୧୩ବର୍ଷ ଧରି ଡିଡିସିଏର ଅଧ୍ୟକ୍ଷ ଥିଲେ ଅରୁଣ ଜେଟଲୀ । ଏହି ଅଭିଯୋଗକୁ ନେଇ ଅରୁଣ ଜେଟଲୀ, କେଜ୍ରିୱାଲଙ୍କ ବିରୋଧରେ ୧୦କୋଟି ଟଙ୍କାର ମାନହାନୀ ମକଦ୍ଦମା ସହ ପଟିଆଲା ହାଉସ କୋର୍ଟରେ ଅପରାଧିକ ମାମଲା ମଧ୍ୟ ରୁଜୁ କରିଥିଲେ ।