ଆସନ୍ତା ୬ରେ ବାହୁଡିବେ ଜଗା ବଳିଆ । ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବ ଏସସିବି ମେଡିକାଲ, ସାଂଗରେ ଆସିବେ ୪ ଜଣିଆ ଡାକ୍ତରୀ ଟିମ

383

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରୁ ଫେରିବେ ଜଗା ବଳିଆ । ଆସନ୍ତା ୬ ତାରିଖରେ ଦିଲ୍ଲୀ ଏମ୍ସରୁ କଟକ ବଡ ମେଡିକାଲକୁ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆସନ୍ତା ୬ ତାରିଖରେ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ବାହାରି ୭ ତାରିଖରେ କଟକରେ ପହଂଚିବେ । ତାଙ୍କ ସହ ଏକ ୪ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ଆସିବେ ବୋଲି ସୂଚନା ମିଳିଛି । ଏହାପରେ ଜଗା ବଳିଆଙ୍କୁ କଟକ ଏସସିବି ମେଡିକାଲରେ ରଖାଯାଇ ଚିକିତ୍ସା କରାଯିବ ।

ଜଗା ବଳିଆଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ପୂର୍ବରୁ ଭୁବନେଶ୍ୱର ଏମ୍ସକୁ ନେଇ ଜଗାବଳିଆଙ୍କୁ ଚିକିତ୍ସା କରିବା ପାଇଁ ଦିଲ୍ଲୀ ଏମ୍ସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା । ଏନେଇ ଭୁବନେଶ୍ୱର ଏମ୍ସ ସହ ଯୋଗାଯୋଗ କରିଥିଲେ ରାଜ୍ୟ ସରକାର । ହେଲେ ଜଗା ବଳିଆଙ୍କୁ ଚିକିତ୍ସା କରିବା ପାଇଁ ରୋକଠୋକ ମନା କରିଦେଇଥିଲେ ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ । ଏହାପରେ କଟକ ଏସସିବି ମେଡିକାଲରେ ଜଗାବଳିଆଙ୍କ ଚିକିତ୍ସା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।