ମାଲକାନଗିରିରେ ମାଟ୍ରିକ୍ ପରୀକ୍ଷାରେ ବଡ ବିଭ୍ରାଟ! ପରୀକ୍ଷା କେନ୍ଦ୍ରରୁ ଗଣିତ ଓଏମଆର୍ ସିଟ୍ ଗାଏବ୍, ଆଶା-ଆଶଙ୍କାରେ ୧୦୮ ଛାତ୍ରଛାତ୍ରୀଙ୍କ ଭାଗ୍ୟ?

92

କନକ ବ୍ୟୁରୋ : ପୁଣି ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ମାଲକାନଗିରି ପଡିଆ ପରୀକ୍ଷା କେନ୍ଦ୍ରର ଗଣିତ ଓ.ଏମ.ଆର ସିଟ୍ ଗାଏବ । ଶନିବାର ଦିନ ୧୦୮ ଜଣ ପରୀକ୍ଷାର୍ଥୀ ଅବଜେକଟିଭ ପ୍ରଶ୍ନର ଉତର ଦେଇଥିଲେ ଓଏମଆର ସିଟରେ । ତେବେ ପରୀକ୍ଷା ଶେଷ ହେବା ପରେ ଆଉ ମିଳିନଥିଲା ଏହି ଉତର ଖାତା । ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସେଣ୍ଟର ସୁପରିନଟେଂଡେଂଟ୍ ଓ ଡେପୁଟି ସୁପରିନ୍ଟେଂଡେଂଟ୍ ଓ ଅବଜର୍ଭର ସମେତ ୫ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପଡିଆ ପୁଲିସ । ତେବେ ପ୍ରଶ୍ନ ଉଠୁଛି, ଓଏମଆର ସିଟ୍ ନମିଳିଲେ ୧୦୮ ଜଣ ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନ କିପରି ହେବ ।

ପ୍ରଥମ ଦିନ ପରୀକ୍ଷା ଆରମ୍ଭ ହେଉ ହେଉ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ହଇଚଇ ସୃଷ୍ଟି ହେବା ପରେ ଏବେ ସାମନାକୁ ଆସିଛି ଆଉ ଏକ ସାଂଘାତିକ ବିଭ୍ରାଟ । ଇଏ ଏପରି ଏକ ବିଭ୍ରାଟ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗଣିତ ପରୀକ୍ଷା ପରେ ଗାଏବ ହୋଇଯାଇଛି ୧୦୮ ଛାତ୍ରଛାତ୍ରୀଙ୍କ ଓଏମଆର ସିଟ୍ । ଏଭଳି ସଂଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ପଡିଆ ଏସଏସଡି ହାଇସ୍କୁଲରୁ । ଶନିବାର ଦିନ ଗଣିତ ପରୀକ୍ଷା ହୋଇଥିଲା । ପ୍ରଥମେ ଓ.ଏମ.ଆର ସିଟ ଜରିଆରେ ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିଲେ ଛାତ୍ରଛାତ୍ରୀ । ପରେ ସବ୍ଚେକ୍ଟିଭ ପ୍ରଶ୍ନର ଉତର ଖାତା ସଂଗ୍ରହ କରି ନୋଡାଲ ସେଂଟରରେ ଦାଖଲ କରିବା ବେଳକୁ ଓ.ଏମ.ଆର ସିଟ୍ ଗୁଡିକ ପାଇ ନ ଥିଲେ ବିଦ୍ୟାଳୟ କର୍ତୃପକ୍ଷ । ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥିତ ଟେବୁଲ ଡ୍ରରେ ପ୍ରଶ୍ନପତ୍ର ଗୁଡିକ ରଖା ଯାଇଥିବା ବେଳେ ଡ୍ରରୁ ଗାଏବ ହୋଇ ଯାଇଥିଲା ଓ.ଏମ.ଆର ସିଟ୍ ।

ଘଟଣା ଜଣାପଡିବା ପରେ ଏନେଇ ଆରମ୍ଭ ହୋଇଛି ଖୋଳତାଡ । ପ୍ରଶ୍ନପତ୍ର ଭାଇରାଲ୍ ପରି ଖବର ପ୍ରତିଦିନ ଆସୁଥିବା ବେଳେ, ଓଏମଆର ଉତର ସିଟ୍ ଗାଏବ ଖବର ସମସ୍ତଙ୍କୁ ଚକିତ କରିଛି । ତେବେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ୍, ଡେପୁଟି ସୁପରିଟେଣ୍ଡେଂଟ୍ ଅବଜରଭରଙ୍କ ସମତେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପଡ଼ିଆ ପୋଲିସ । ସେମାନଙ୍କ ମଧ୍ୟରେ ଥିବା ୨ ଜଣ ଶିକ୍ଷକ ବାହାର ବିଦ୍ୟାଳୟର ହୋଇଥିବା ବେଳେ ସେମାନେ ପରୀକ୍ଷାକେନ୍ଦ୍ରରେ କଣ କରୁଥିଲେ ସେ ନେଇ ଉଠିଛି ପ୍ରଶ୍ନ ।

ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ୧୧ ଜଣ ଗିରଫ ହୋଇଛନ୍ତି । ଏପରି ସମୟରେ ମାଲକାନଗିରିରେ ଗଣିତ ଓଏମଆର ସିଟ୍ ଗାଏବ ଖବର ଏବେ ବୋର୍ଡର ଚିନ୍ତାକୁ ଆହୁରି ବଢ଼ାଇଦେଇଛି ।