ଖଣି ଫାଇନ ଆଦାୟରେ ସାଂଘାତିକ ଖେଳ ! ଜୋରିମାନା ଦେଲା ନାହିଁ ଓଏମସି, ଅନ୍ୟ ଘରୋଇ ମାଲିକଙ୍କ ପାଇଁ ଖୋଲିଯିବ କି ଗଳାବାଟ ?

32

କନକ ବ୍ୟୁରୋ : ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଜୋରିମାନା ଦେଇନଥିବା ଖଣିକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଖଣି ଫାଇନ୍ ଆଦାୟରେ ହୋଇଥିବା ସାଂଘାତିକ ପାତର ଅନ୍ତରର ଦିଗ ଏବେ ସାମ୍ନାକୁ ଆସିଛି । ବିବାଦ ଉପୁଜିଛି ରୋଇଡା-ସି ଖଣିକୁ ନେଇ । ଓଏମସି ନାଁରେ ଖଣି ଲିଜ୍ ଥିବାବେଳେ ଏଥିରୁ ଖଣିଜ ଉତ୍ତୋଳନ କରୁଥିଲା ଇଡକଲ୍ । ଫାଇନ୍ ବାବଦ ଡିମାଣ୍ଡ ନୋଟିସ୍ ପରେ ଇଡକଲ୍ ଅର୍ଥ ପ୍ରଦାନ କରିନଥିବାରୁ ଖଣିକୁ ବନ୍ଦ କରିଦିଆଗଲା । ହେଲେ ମୂଳ ଲିଜ୍ ଓଏମସି ନାଁରେ ଥିବାରୁ ବିବାଦ କିନ୍ତୁ ସାମ୍ନାକୁ ଆସିଛି । ସମସ୍ତ ଖଣି ପାଇଁ ଅର୍ଥ ପ୍ରଦାନ କରି ଓଏମସି ଖଣି ଚଲାଉଥିବା ସରକାର ଯୁକ୍ତି ରଖୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ଖଣି ମାଲିକ । ଆଂଶିକ ଅର୍ଥ ପ୍ରଦାନ କରିଥିବା ଖଣି ମାଲିକ ମାମଲାକୁ ସୁପ୍ରିମକୋର୍ଟ ନେବାକୁ ଉଦ୍ୟମ କରୁଛନ୍ତି । ଆଉ ସରକାରଙ୍କ ଏହି ତ୍ରୁଟି ଆଗାମୀ ଦିନରେ ଓଏମସି ପାଇଁ ବିବାଦ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

vlcsnap-2018-01-04-21h08m13s223ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଦାୟ ହୋଇଥିବା ଖଣି ଫାଇନରେ ବଡ ବ୍ୟତିକ୍ରମ ସାମ୍ନାକୁ ଆସିଛି । ଓଏମସି ନାଁରେ ଥିବା ରୋଇଡା-ସି ଖଣି ବାବଦରେ ଫାଇନ ବାବଦ ଅର୍ଥ ସରକାରୀ ତହବିଲକୁ ଆସିନାହିଁ । ଯାହା ଏବେ ବଡ ବିବାଦ ତିଆରି କରିଛି ।ଯେଉଁ ନିୟମ ଆଧାରରେ ଆଂଶିକ ଅର୍ଥ ପ୍ରଦାନ କରିଥିବାରୁ ରାଜ୍ୟରେ କିଛି ଖଣିକୁ ବନ୍ଦ କରାଗଲା, ତାହା ଓଏମସି କ୍ଷେତ୍ରରେ କିଭଳି ବଦଳିଗଲା ତାକୁ ନେଇ ପ୍ରଶ୍ନବାଚୀ ତିଆରି ହୋଇଛି । ଏବେ ପ୍ରଶ୍ନ ଉଠୁଛି କିଭଳି ହେଲା ଏତେବଡ ତ୍ରୁଟି ।

ସୂଚନା ଅନୁସାରେ, ସୁପ୍ରିମକୋର୍ଟରେ ଏବାବଦରେ ଖଣି ମାଲିକ ଯୁକ୍ତି ବାଢିପାରନ୍ତି । ଓଏମସି ନିଜର ସମସ୍ତ ଖଣି ପାଇଁ ଅର୍ଥ ପ୍ରଦାନ କରିନଥିଲେ ବି କିଭଳି ଖଣି ଚାଲୁରଖିବାକୁ ଅନୁମତି ମିଳିଲା? ସରକାରୀ ସଂସ୍ଥା ନିୟମ ଭାଙ୍ଗୁଥିବା ବେଳେ, ଅନ୍ୟ ଲିଜଧାରୀଙ୍କ ପ୍ରତି କଡା ଆଭିମୁଖ୍ୟ କାହିଁକି? ଅନୁମାନ କରାଯାଉଛି, ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସରକାର ଅଡୁଆର ସାମ୍ନା କରିପାରନ୍ତି ।

ରାଜ୍ୟ ସରକାର ଯୁକ୍ତି ରଖିଛନ୍ତି, ରୋଇଡା – ସି ଖଣିକୁ ଇଡକଲ ଚଲାଉଛି । ଯେହେତୁ ଇଡକଲ୍ ଫାଇନ୍ ବାବଦ ଅର୍ଥ ପ୍ରଦାନରେ ବିଫଳ ହେଲା, ତେଣୁ ଖଣିକୁ ବନ୍ଦ କରିଦିଆଗଲା ।ତେବେ ସରକାରୀ ତଥ୍ୟ କହୁଛି, ରୋଇଡା – ସି ଖଣିର ଲିଜଧାରୀ ହେଉଛି ଓଏମସି । ସରକାରୀ ସ୍ତରରେ ଏଭଳି ସାଂଘାତିକ ତ୍ରୁଟି ହେଲା କିଭଳି, ତାକୁ କିଛି ଖଣି ଲିଜଧାରୀ ସୁପ୍ରିମକୋର୍ଟରେ ଢାଲ ଭାବେ ବ୍ୟବହାର କରିପାରନ୍ତି । ତେବେ ଏଭଳି ତ୍ରୁଟି ଖଣି ଲିଜଧାରୀଙ୍କ ପାଇଁ ଗଳାବାଟ ଖୋଲିଦେଇଛି । ଏଠି ପ୍ରଶ୍ନ ଉଠୁଛି ଆଇନର ଲଢେଇରେ ଅଟକିଯିବନି ତ ଫାଇନ ଆଦାୟ ।

ତେବେ ଏସବୁ ଦିଗ ସାମ୍ନାକୁ ଆସିବା ପରେ ଓଏମସି ସାମ୍ନା କରିବ କି ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ? ତେବେ ବିଜନେସ ଷ୍ଟାଣ୍ଡାର୍ଡକୁ ଓଏମସି ନିର୍ଦ୍ଦେଶକ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଓଏମସି ଉପରେ ଏହାର କୈାଣସି ପ୍ରଭାବ ପଡିବନି, କାରଣ ଇଡକଲକୁ ଡିମାଣ୍ଡ ନୋଟିସ୍ ଆସିଥିଲା ।
ରାଜ୍ୟରେ ବହୁ ଖଣି ଲିଜଧାରୀ ଖଣିଜ ଉତ୍ତୋଳନ କରିବାକୁ ଅନ୍ୟ ସଂସ୍ଥାକୁ ଦାୟିତ୍ୱ ଦେଇଥିଲେ ବି ଫାଇନ୍ ବାବଦ ଅର୍ଥ ଭରିଥିଲେ । ଆଉ ଓଏମସି ନାଁରେ ଥିବା ଲିଜ୍ ପାଇଁ ଫାଇନ୍ ଅର୍ଥ ପ୍ରଦାନ ନକରିବା, ଆଗାମୀ ଦିନରେ ସରକାରଙ୍କ ପାଇଁ ଅଡୁଆ ହେବନି ତ ?