ବାତ୍ୟା ଫୋନି ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲା ଓଡିଶା ଖଣି ନିଗମ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲା ୧୦୦ କୋଟି ଟଙ୍କା ।

253

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ବାତ୍ୟା ବିପନ୍ନଙ୍କ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କଲା ପରେ ଓଡିଶାକୁ ବିଭିନ୍ନ ମହଲରୁ ଛୁଟିଛି ସହାୟତାର ହାତ ।

ଫୋନି ବାତ୍ୟା ପୀଡିତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ଦାନ ଦିଆଯାଇଛି । ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ତଥା ନିଗମର ଅଧ୍ୟକ୍ଷ ସଞ୍ଜୀବ ଚୋପ୍ରା, ପରିଚାଳନା ନିର୍ଦ୍ଦେଶକ ଆର.ଭିନିଲ୍ କ୍ରିଷ୍ଣା ଓ ଅର୍ଥ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି ।

ସେହିପରି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ତଥା ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରମାକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧.୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହା ନୂଆଦିଲ୍ଲୀର ହେପାଟୋଲୋଜି ଆସୋସିଏଟ ପ୍ରଫେସର ଅଶୋକ ଚୌଧୁରୀ ୫୧ ହଜାର ଟଙ୍କା, ବଡବିଲର ଏସ.ଏନ୍ ମହାନ୍ତି ଗ୍ରୁପ୍ ୧ କୋଟି ଟଙ୍କା, ଭୁବନେଶ୍ୱରର ସ୍ୱୟଂଶାଶ୍ୱତ ସିଂ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।