ଗିରଫ ପରେ ପୁପିନ୍ଦରଙ୍କୁ ମିଳିଲା ଜାମିନ୍ ! ଫିଲ୍ମ ନାଁରେ ଟଙ୍କା ଆଣି ଫାଙ୍କି ଦେଇଥିଲେ ଅଭିନେତା

36

କନକ ବ୍ୟୁରୋ : ଫିଲ୍ମ କରିବା ନାଁରେ ଟଙ୍କା ଆଣିଲେ ହେଲେ ଫେରାଇଲେ ନାହିଁ । ଏହା ମହଙ୍ଗା ପଡିଛି ଅଭିନେତା ପୁପିନ୍ଦରଙ୍କୁ । ଠକେଇ ମାମଲାରେ ଓଲିଉଡ୍ ଅଭିନେତା ପୁପିନ୍ଦରଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ଭୁବନେଶ୍ୱର ଜେଏମଏଫସି । ଚେକ୍ ବାଉନ୍ସ ମାମଲାରେ କୋର୍ଟ ସମନକୁ ବି ଖାତିର କରିନଥିଲେ ଓଲିଉଡର ଏହି ଅଭିନେତା । ଶେଷରେ ଜାମିନରେ ମୁକୁଳିଛନ୍ତି ପୁପିନ୍ଦର ।

ନଜର ପକାନ୍ତୁ ପୂରା ଘଟଣାକ୍ରମ ଉପରେ :

୨୦୧୩ ମସିହାରେ ଫିଲ୍ମ କରିବା ପାଇଁ ପି କେ ଓର୍ସ ଠାରୁ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ ପୁପିନ୍ଦର । ହେଲେ ଫିଲ୍ମ କାମ ନଆଗେଇବାରୁ ଟଙ୍କା ଫେରାଇବାକୁ ତାଗିଦ କରିଥିଲା କଂପାନୀ । ଏହା ପରେ ୫ ଲକ୍ଷ ଫେରାଇ ଦେଇଥିଲେ ଏହି ଓଲିଉଡ୍ ଅଭିନେତା । ବାକି ୨୫ଲକ୍ଷ ଟଙ୍କା ବାବଦରେ ପର୍ଯ୍ୟାୟ କ୍ରମେ ୫ଟି ଚେକ୍ ଦେଇଥିଲେ ପୁପିନ୍ଦର । ପ୍ରଥମ ୨ଟି ଚେକ୍ ୧୨ ଲକ୍ଷ ଟଙ୍କାର ହୋଇଥିବା ବେଳେ ୧୩ ଲକ୍ଷ ଟଙ୍କାର ଆଉ ୩ଟି ଚେକ୍ ସେ ଇସ୍ୟୁ କରିଥିଲେ ।

ଦୁଇଟି ଚେକର ଜମା ଅବଧି ସରିଯିବା ପରେ ବାକି ୩ଟି ଚେକ୍କୁ ବ୍ୟାଙ୍କରେ ଜମା କରିଥିଲା ପିକେ ଓର୍ସ । ହେଲେ ୩ଟି ଯାକ ଚେକ୍ ବାଉନ୍ସ ହୋଇଯାଇଥିଲା ବ୍ୟାଙ୍କରେ । ଏହା ବିରୋଧରେ ଭୁବନେଶ୍ୱର ଜେଏମଏଫସିରେ ମାମଲା ଦାୟର କରିଥିଲା ପିକେ ଓର୍ସ । ପୁପିନ୍ଦର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ୱାନ ସିସି କେସ୍ ଦାୟର କରାଯାଇଥିଲା । କୋର୍ଟରୁ ବାରମ୍ବାର ସମନ ଆସିଥିଲେ ବି ହାଜର ହୋଇନଥିଲେ ପୁପିନ୍ଦର । ଏହା ପରେ ପତି-ପନ୍ତ୍ରୀଙ୍କ ବିରେଧରେ ଏନବିଡବ୍ଲୁ ଜାରି କରିଥିଲେ ଜେଏମଏଫସି କୋର୍ଟ । ତୁରନ୍ତ ଗିରଫ କରିବାକୁ ବାଲିଅନ୍ତା ଥାନାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।