ବିଜେପୁର ବାଜି ଜିତିବାକୁ ଗାଁ ଗାଁରେ ପ୍ରଚାର କରୁଛନ୍ତି ମାଳମାଳ ଓଲିଉଡ ଫିଲ୍ମଷ୍ଟାର! ବିଜେଡି-ବିଜେପି ମଧ୍ୟରେ ଷ୍ଟାର ୱାର, କଂଗ୍ରେସ କହିଲା ଦଳ ପାଇଁ ଭୋଟର ହେଉଛନ୍ତି ଷ୍ଟାର

34

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପ୍ରଚାର । ଆଉ ଏହି ପ୍ରଚାର ମୈଦାନକୁ ଓହ୍ଳାଇଛନ୍ତି ଓଲିଉଡର ବଡ ବଡ ତାରକା । ଉଭୟ ବିଜେଡି ଓ ବିଜେପି ପାଇଁ କ୍ୟାମ୍ପେନିଂ କରୁଛନ୍ତି ଷ୍ଟାର ଏବଂ ସୁପରଷ୍ଟାର । ବିଜେଡି ପାଇଁ ଅନୁଭବ ଏବଂ ଆକାଶ ପ୍ରଚାରକୁ ଜୋରଦାର କରିଥିବା ବେଳେ ଆଜି ବିଜେପି ପାଇଁ ପ୍ରଚାର କରିଛନ୍ତି- ମହାଶ୍ୱେତା ରାୟ, ମିହିର ଦାସ, ଏବଂ ଅନୁ ଚୌଧୁରୀ ।

bijepurଗାଁ ଦାଣ୍ଡରେ ରୁପେଲି ପରଦାର ହିରୋ । ଫିଲ୍ମି ଷ୍ଟାଇଲରେ ରୋଡ୍ ସୋ କରୁଛନ୍ତି । ଚାଲି- ଚାଲି ଲୋକଙ୍କ ପାଖରେ ପହଂଚୁଛନ୍ତି । ରିଲ୍ ଲାଇଭର ଆକର୍ଷଣକୁ ରିୟଲ୍ ଲାଇଭରେ ବିନିଯୋଗ କରି ଭୋଟ୍ ହାତେଇବାକୁ ବିଜେପୁରରେ ଚାଲିଛି ଜୋରଦାର ଉଦ୍ୟମ ।

ବିଜେଡି ଦଳ ପାଇଁ ଓଲିଉଡ୍ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଫିଲ୍ମି ଅନ୍ଦାଜରେ ପ୍ରଚାର କରିଥିବା ବେଳେ ବିଜେଡି ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ନିଜ ଚିରାଚରିତ ଢ଼ଙ୍ଗରେ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଛନ୍ତି । ନବୀନ ସରକାରଙ୍କ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇବା ସହ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି ଏହି ଦୁଇ ତାରକା ।

bijepurବିଜେଡିର ଏହି ଷ୍ଟାର ପାୱାରକୁ କାଉଂଟର କରିବା ପାଇଁ ବିଜେପି ମଧ୍ୟ ସିନେ ତାରକାଙ୍କୁ ପ୍ରଚାର ମୈଦାନଙ୍କୁ ଓହ୍ଲାଇଛି । ନିକଟରେ ବିଜେପିରେ ଯୋଗ ଦେଇଥିବା ଭେଟେରାନ୍ ଆକଟ୍ରେସ୍-ମହାଶ୍ୱେତା ରାୟ, ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିପରି ମୋଦିଙ୍କ ବାର୍ତା ବିଜେପୁରର ଗାଁ ଗାଁରେ ପହଂଚିବା ପାଇଁ ଓଲିଉଡ୍ ବ୍ୟୁଟି ଅନୁ ଚୌଧୁରୀ ଏବଂ ଅଭିନେତା ମିହିର ଦାସ, ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ଆଉ ତାରକାଙ୍କ ଏହି ଲଢ଼େଇ ଭିତରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଏକାକୀ ମଙ୍ଗ ଧରିଛନ୍ତି । ବିନା କୌଣସି ତାରକାରେ, କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାରଙ୍କ ବିଫଳତାକୁ ପାଥେୟ କରି ଭୋଟ୍ ମାଗୁଛନ୍ତି ପ୍ରଣୟ । ଏପରିକି ଏହି ସମୟ ମଧ୍ୟରେ ସେ ଏକଲକ୍ଷ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ତାଙ୍କ ପାଇଁ ଭୋଟର ହିଁ ଷ୍ଟାର ପ୍ରଚାରକ ବୋଲି କହିଛନ୍ତି ପ୍ରଣୟ ।

ସିନେ ତାରକା ପ୍ରତିଥିବା ଆକର୍ଷଣ ଲୋକଙ୍କୁ ରୁଣ୍ଡ କରିବାରେ ସିନା, ଉଭୟ ବିଜେଡି ଓ ବିଜେପି ସଫଳ ହେଉଛନ୍ତି । ହେଲେ ବିଜେପୁର ବାଜି, କିଏ ଜିତିବ, ତାହା ଫଳାଫଳ ପରେ ହିଁ ଜଣାପଡ଼ିବ ।