ବିଜେପୁରରେ ଷ୍ଟାର ୱାର ! ଭୋଟରଙ୍କ ମନ ଜିଣିବାକୁ କ୍ୟାମ୍ପ ପକାଇଲେ ଓଲିଉଡ ଷ୍ଟାର । ନାମାଙ୍କନ ସରିଲା, ଏବେ ଭୋଟ ଯୋଗାଡର ବେଳ

31

କନକ ବ୍ୟୁରୋ :  ବିଜେପୁର ପାଇଁ ସରିଲା ନାମାଙ୍କନ । ଆସନ୍ତାକାଲି ଠାରୁ ଭୋଟ ଭିଡିବା ପାଇଁ ଆରମ୍ଭ ହେବ ହାଇଭୋଲଟେଜ ପ୍ରଚାର । ବିଜେପୁର ମୈଦାନରେ ମାଳମାଳ ମନ୍ତ୍ରୀ, ନେତା ଓ ଅଭିନେତା ଧରିବେ ପ୍ରଚାରର ମଙ୍ଗ । ତେବେ ସବୁଠାରୁ ବଡ କଥା ହେଲା ଭୋଟରଙ୍କ ମନ ଜିଣିବା ପାଇଁ ଏବେ ନେତାଙ୍କ ଅପେକ୍ଷା ଅଭିନେତାଙ୍କୁ ଗୁରୁତ୍ୱ ଦେଉଛି ଦଳ । ଯେଉଁମାନେ ଅଭିନେତାରୁ ନେତା ପାଲଟିଛନ୍ତି ଦଳ ତାଙ୍କ ହାତରେ ଧରାଇଛି ପ୍ରଚାରର ମଙ୍ଗ । ଆଉ ଏହାର ପ୍ରଥମ ସୋ ନାମାଙ୍କନପତ୍ର ଦାଖଲ ବେଳେ ଦେଖିବାକୁ ମିଳିଛି । ତେଣୁ ବିଜେପୁର ନିର୍ବାଚନ ବୈତରଣୀ ପାର ହେବାକୁ ଏବେ ଓଲିଉଡ ଷ୍ଟାର ବିଭିନ୍ନ ଦଳ ପାଇଁ ସାଜିଛନ୍ତି ଟ୍ରମ୍ପକାର୍ଡ । ଖୁବ କମ ସମୟ ହାତରେ ଥିବାରୁ ଫିଲ୍ମ ଷ୍ଟାରଙ୍କୁ ପ୍ରଚାର ମୈଦାନକୁ ଆଣି ଭୋଟ ହାତେଇବା ପାଇଁ ସବୁ ଦଳ ମନସ୍ଥିର କରିସାରିଲେଣି । ତେଣୁ ଚଳିତ ବିଜେପୁର ଉପନିର୍ବାଚନରେ ବିଜେଡିର ଓଲିଉଡ ବନାମ ବିଜେପିର ଓଲିଉଡ ଭିତରେ ଲାଗିବ ଜୋରଦାର ଲଢେଇ । କାରଣ ଉଭୟ ଦଳରେ ଓଲିଉଡର ବଛା ବଛା କଳାକାର ରହିଛନ୍ତି । ତେଣୁ ପ୍ରଚାର ମୈଦାନରେ ନେତାଙ୍କ ଲଢେଇ ଅପେକ୍ଷା ଓଲିଉଡ ଅଭିନେତାଙ୍କ ମଧ୍ୟରେ ହେବାକୁ ଥିବା ଲଢେଇ ବିଜେପୁର ନିର୍ବାଚନକୁ ଆହୁରି ରଙ୍ଗୀନ କରିବ ।

bijepur-1ବିଜେପୁର ମହାସମରରେ ଜୟ ଜୟକାର ଧ୍ୱନି ସହ ଓଡ଼ିଆ ଫିଲ୍ମର ଲୋକପ୍ରିୟ ଡାଇଲଗ ଶୁଣିବାକୁ ମିଳିବ । କାରଣ ମୈଦାନକୁ ଓହ୍ଲାଇବେ ଓଲିଉଡର ବଛା ବଛା ଷ୍ଟାର । ବିଜେପୁର ଉପନିର୍ବାଚନରେ ସୁବଠାରୁ ବଡ ଭୂମିକାରେ ନଜର ଆସିବେ ଓଲିଉଡ ଷ୍ଟାର । ମୈଦାନରେ ଓଲିଉଡ ଷ୍ଟାରଙ୍କ ମଧ୍ୟରେ ବିଗ୍ ଫାଇଟ ଦେଖିବାକୁ ମିଳିବ । ବିଜେଡି ଓ ବିଜେପି ଏହି ରଣନୀତି ସହ ବିଜେପୁର ଗଡ ଜିତିବାକୁ ଆଶା ବାନ୍ଧିଛନ୍ତି । ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଷ୍ଟାର କ୍ୟାମ୍ପେନରର ଏହି ଟ୍ରେଣ୍ଡ ଏବେ ବିଜେପୁର ନିର୍ବାଚନରେ ଏକ ବଡ ଭୂମିକାରେ ନଜର ଆସିବାକୁ ଯାଉଛି । କାରଣ ଗ୍ରାମାଞ୍ଚ ଲୋକମାନଙ୍କ ମଧ୍ୟରେ ଓଲିଉଡ ଷ୍ଟାରଙ୍କୁ ନେଇ ଏକ ଜବରଦସ୍ତ କ୍ରେଜ ରହିଛି ।

bijepurବିଜେପୁର ବିଗ ଫାଇଟ ପାଇଁ ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ଓଲିଉଡର ନାମୀଦାମୀ ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ, ସିଦ୍ଧାନ୍ତ, ଅରିନ୍ଦମ, ଆକାଶ ଓ ଅଭିନେତ୍ରୀ ଏଲିନାଙ୍କୁ ପ୍ରଚାର ଭାର ଦେଇପାରେ ବିଜେଡି । ଅଭିନେତାରୁ ସାଂସଦ ପାଲଟିଥିବା ଅନୁଭବଙ୍କୁ ନେଇ ଗ୍ରାମଞ୍ଚଳ ସିନେପ୍ରେମୀଙ୍କ ମନରେ ଦୁର୍ବଳତା ରହିଛି । ତେଣୁ ବିଜେପୁରରେ ଅନୁଭବଙ୍କ ପ୍ରଚାର ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିବ ।ସେହିଭଳି ଓଡ଼ିଆ ସିନେ ଜଗତର ଏଭରଗ୍ରୀନ ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଗାଁ ଗହଳିରେ ଜବରଦସ୍ତ କ୍ରେଜ ରହିଛି । ତେଣୁ ବିଜେପୁରରେ ସିଦ୍ଧାନ୍ତଙ୍କ ପ୍ରଚାର ଭୋଟରଙ୍କୁ ଆକର୍ଷିତ କରିବା ସହ ବିଜେଡିର ବିଜୟକୁ ଆଉ ପାଦେ ଆଗକୁ ନେଇଯିବ । ଏମାନଙ୍କ ସହ ଭୋଟରଙ୍କ ମନ ଜିଣିବା ପାଇଁ ବିଜେଡି ଅରିନ୍ଦମ,କୋରେଇ ବିଧାୟକ ଆକାଶ ଦାସନାୟକ ଓ ଟେଲି କଳାକାର ଏଲିନାଙ୍କୁ ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ କରିବାର ସମ୍ଭାବନା ରହିଛି । ଯେଉଁମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ସଂଗ୍ରହ କରିବେ ।

bijepurବିଜେଡିର ଏହି ରଣନୀତିକୁ ମାତ ଦେବା ପାଇଁ ବିଜେପି ମଧ୍ୟ ଓଲିଉଡର ଷ୍ଟାର ବିଗ୍ରେଡକୁ ବିଜେପୁର ପ୍ରଚାର ପାଇଁ ମୈଦାନକୁ ଓହ୍ଳାଇଛି । ବିଜେଡି ଛାଡି ପଦ୍ମ ପୋଖରୀକୁ ଡେଇଁଥିବା ଭେଟରାନ ଅଭିନେତା ମିହିର ଦାସ ଏହି ଷ୍ଟାର ପ୍ରଚାରର ମଙ୍ଗ ଧରିଛନ୍ତି । ଏପରିକି ନାମାଙ୍କନ ପତ୍ର ଦାଖଲ ଦିନ ଠାରୁ ଏହାର ଝଲକ ଦେଖିବାକୁ ମିଳିଛି । ଅଶୋକ ପାଣିଗ୍ରାହୀଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ମିହିର ଦାସ, ଅନୁ ଚୌଧୁରୀ, ହାସ୍ୟ ଅଭିନେତା ହରିହର ମହାପାତ୍ରଙ୍କୁ ଦେଖିବାକୁ ମିଳିଥିଲା । ଏପରିକି ଏମାନଙ୍କ ଉପସ୍ଥିତି ବିଜେପି କର୍ମୀଙ୍କ ଉତ୍ସାହ ବଢାଇଥିଲା । ଏହାଛଡା ନାମାଙ୍କନପତ୍ର ଦାଖଲ ପରେ ବିଜେପିର ପ୍ରଚାରରେ ଏମାନଙ୍କୁ ଦେଖିବାକୁ ମିଳୁଛି । ଅଭିନେତା ଶ୍ରୀତମ ଓ ଅଭିନେତ୍ରୀ ପିଙ୍କି ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଏଥିପାଇଁ ଏବେଠୁ ବିଜେପିର ଏହି ଷ୍ଟାର ମାନେ ବିଜେପୁରରେ କ୍ୟାମ୍ପ ପକାଇ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ୫ ଜଣିଆ ଟିମକୁ ନେଇ ବିଜେପୁର ମାଟିରେ ବିଜେଡି ସହ ବିଜେପି ଟକ୍କର ଦେବାକୁ ଯୋଜନା କରିଛି । ତେବେ ନିର୍ବାଚନ ପ୍ରଚାର ଯେମିତି ହେଉ ନା କାହିଁକି କିନ୍ତୁ ବିଜେପୁର ମୈଦାନରେ ଏବେ ଓଲିଉଡର ଷ୍ଟାର ୱାର ଦେଖିବାକୁ ମିଳିବ । ଦେଖିବାକୁ ବାକି ରହିଲା କେଉଁ ଷ୍ଟାର କାହା ଉପରେ ଭାରି ପଡୁଛନ୍ତି ଓ କେତେ ଭୋଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଯୋଗାଡ କରି ପାରୁଛନ୍ତି । ସବୁଠାରୁ ବଡ କଥା ହେଲା ଏହି ଷ୍ଟାର ମାନେ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହେଉଛନ୍ତି କି ନାହିଁ ।