ଜଣେ ବିରଳ ବ୍ୟକ୍ତିତ୍ୱକୁ ହରାଇ ସ୍ତବ୍ଧ ଓଡ଼ିଆ ସିନେ ଜଗତ ! ଅମୀୟ ପଟ୍ଟନାୟକଙ୍କ ବିୟୋଗରେ କିଏ କ’ଣ କହିଲେ ?

85

ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଯୋଜକ ଭାବେ ଅମୀୟ ପଟ୍ଟନାୟକଙ୍କର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ କିଛି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଅମୀୟ ପଟ୍ଟନାୟକ ।

ଚଳିତ ବର୍ଷ ରେବତୀ ଓ ପ୍ୟାନିକ୍ ସର୍ଟ୍ସ ଭଳି ଭିନ୍ନ ଧରଣର କ୍ଷୁଦ୍ର ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି ଅମୀୟ । ଓଡିଆ ଫିଲ୍ମ ଜଗତରେ ଅନେକ ନୂଆ କଳାକାରଙ୍କୁ ସୃଷ୍ଟି କରିବାରେ ଅମୀୟ ପଟ୍ଟନାୟକଙ୍କର ରହିଛି ବିଶେଷ ଅବଦାନ । ତାଙ୍କ ବିୟୋଗରେ ଓଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି । ଅମୀୟ ପଟ୍ଟନାୟକଙ୍କ ପରଲୋକ ଓଡିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଅନେକ ସିନେ କଳାକାର ମତ ଦେଇଛନ୍ତି ।

ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃ୍ଷ୍ଟି କରିବ ବୋଲି କହିଛନ୍ତି ଅଭିନେତା ମିହିର ଦାସ । ସେ ଜଣେ ବିରଳ ବ୍ୟକ୍ତିତ୍ୱ, ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିଛନ୍ତି ମିହିର ଦାସ । ସେପଟେ ଅଭିନେତା ରାୟମୋହନ ମଧ୍ୟ ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ତାଙ୍କ ଅଭିନୟ ଜୀବନ ଗଢ଼ିବାରେ ଅମୀୟ ପଟ୍ଟନାୟକଙ୍କ ବଡ଼ ହାତ ଥିଲା ବୋଲି ସେ କହିଛନ୍ତି ।

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଅମୀୟ ପଟ୍ଟନାୟକଙ୍କ ବିୟୋଗକୁ ନେଇ କହିଛନ୍ତି ମୁଁ ଏଘଟଣା ଶୁଣିବା ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି । ଏକଥାରେ ସତ୍ୟତା ଅଛି ବି ନାହିଁ ବୋଲି ପ୍ରଥମେ ଭାବିଥିଲି । ଆଜିଭଳି ଏକ ଉତ୍ସବମୁଖର ଦିନରେ ଓଲିଉଡ଼ ଜଗତରେ ଚଡ଼କ ପଡ଼ିଛି । ଏତେ ବଡ଼ ଜଣେ ବିରଳ ବ୍ୟକ୍ତିତ୍ୱକୁ ହରାଇଛି ଓଡ଼ିଆ ସିନେ ଜଗତ । ବିଜୟ ମହାନ୍ତି କହିଛନ୍ତି ଏତେ ଭଲ ପାଉଥିବା ମଣିଷଟି ଆଉ ଆମ ଗହରଣରେ ନାହାନ୍ତି । ସେ ସବୁ ସମୟରେ ସମସ୍ତଙ୍କ ପାଖରେ ଛିଡ଼ା ହେଉଥିଲେ । କେବଳ ଜଣେ ପ୍ରଯୋଜନ ଭାବେ ତାଙ୍କୁ ବାନ୍ଧିଦେବା ଠିକ୍ ନୁହେଁ, ସେ ଜଣେ ବିରାଟ ବ୍ୟକ୍ତିତ୍ୱ ।

ତେବେ ଅମୀୟଙ୍କ ବିୟାଗରେ ଆଉ ଜଣେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଚଣ୍ଡୀ ପରିଜା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ତାଙ୍କ ଭଳି ଲୋକ ଓଡ଼ିଆ ସିନେମା ଜଗତରେ ନଥିଲେ । ସେ ସବୁବେଳେ ନୂଆ ନୂଆ ଲୋକଙ୍କୁ ସୁଯୋଗ ଦେବା ସହ କିଛି ନୂଆ କରିବାର ପ୍ରୟାସ କରୁଥିଲେି ।

ଏହା ବ୍ୟତୀତ ବରିଷ୍ଠ ସିନେ ଅଭିନେତା ଉତ୍ତମ ମହାନ୍ତି କହିଛନ୍ତି,ସେ ଜଣେ ଗୁଣୀ ମଣିଷ ଥିଲେ । ହଠାତ ଏପରି ହେବ ବୋଲି ମୁଁ ଭାବିନଥିଲି ବୋଲି କହିଛନ୍ତି ଉତ୍ତମ । ସେ ନିଜେ ଜଣେ ଭଲ ଅଭିନେତା ଥିଲେ । ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ ମହାନ୍ତି ମଧ୍ୟ ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।