କଳାରେ କଳଙ୍କ : ଚିଟଫଣ୍ଡ କେଳେଙ୍କାରୀ ପରେ ଆଉ ଏକ ବଡ ଧରଣ ଠକେଇର ପର୍ଦାଫାଶ

48

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍  : କଳାରେ କଳଙ୍କ । ଚିଟଫଣ୍ଡ କେଳେଙ୍କାରୀ ପରେ ଆଉ ଏକ ବଡ ଧରଣର ଠକେଇର ପର୍ଦାଫାଶ ହୋଇଛି । ଚିଟଫଣ୍ଡ, ବିଲଡର ଓ ଓଲିଉଡ୍ ମଧ୍ୟରେ ଥିବା ଭିତିରି ସମ୍ପର୍କ ପଦାକୁ ଆସିଛି । ଓସ୍କାର ଚିଟଫଣ୍ଡ ଅଧ୍ୟକ୍ଷ ପ୍ରଭାସ ରାଉତଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଂଚ କହିଛି, ଚିଟଫଣ୍ଡ ଓ ରିଅଲ ଇଷ୍ଟେଟରୁ ଆସିଥିବା ଠକେଇ ଟଂକାକୁ ଓଲିଉଡରେ ନିବେଶ କରାଯାଉଥିଲା । ଚିଟଫଣ୍ଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ ୨୩୦ କୋଟି ଟଂକା ଠକିଥିବା ପ୍ରଭାସ ୪ ଟି ବଡ ବ୍ୟାନରର ଫିଲ୍ମ ତିଆରି କରିଥିଲେ ।

ତ୍ରିକୋଣୀୟ ସଂପର୍କ । ଚିଟଫଣ୍ଡ ,ବିଲଡର ଓ ଓଡିଆ ଚଳଚିତ୍ର ଜଗତ-ଓଲିଉଡ । ଚିଟଫଣ୍ଡ ଓ ବିଲଡର ସଂସ୍ଥା ଲୋକଙ୍କୁ ଠକି ଟଙ୍କା ଆଣନ୍ତି ଓ ଏ ଟଙ୍କା ଲାଗେ ଗ୍ଲାମର ଦୁନିଆରେ । ବେଶ୍ ଦୃଢ ଭିତିରି ସଂପର୍କ ରହିଛି ଏ ତିନୋଟି କ୍ଷେତ୍ର ଭିତରେ । ପ୍ରଭାସ ଚନ୍ଦ୍ର ରାଉତ । ଅତି ନୀରିହ ଦେଖାଯାଉଥିବା ଏ ବ୍ୟକ୍ତି ସେତେ ସାଧାରଣ ନୁହଁନ୍ତି । ଓସ୍କାର ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଲୁଚିଥିଲେ ଦିଲ୍ଲୀରେ । ଏବେ ଧରା ହୋଇ ଭୁବନେଶ୍ୱର ଆସିଛନ୍ତି ଚିଟଫଣ୍ଡ ନାଁରେ ଲୋକଙ୍କୁ ଠାରୁ ଟଙ୍କା ଆଦାୟ କରି ଫିଲ୍ମ ତିଆରି କରନ୍ତି ପ୍ରଭାସ ।ଲୋକଙ୍କ ଜୀବନଯାକର ପୁଂଜି ଲୁଟ୍ କରି ପ୍ରଭାସ ତିଆରି କରିଛନ୍ତି ବଡ ବଡ ବ୍ୟାନରର ଫିଲ୍ମ । ବାଳୁଙ୍ଗା ଟୋକା , ରଙ୍ଗିଲା ଟୋକା,ମୋଷ୍ଟ ୱାଟେଂଡ ଓ ତୋ ଆଖିରେ ମୁଁ । ଏ ସବୁ ଫିଲ୍ମରେ କାମ କରିଛନ୍ତି ବିଜେଡି ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ବିଜେଡି ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି । ବିଜେଡି ଟିକଟରେ ନିର୍ବାଚନ ଲଢି ହାରିଯାଇଥିବା ଅଭିନେତା ପପୁ ପମପମ୍ ଓ ବାବୁସାନଙ୍କ ପରି ଅଭିନେତା । ବଡ ପ୍ରଶ୍ନ ହେଉଛି ଠକେଇ ଟଙ୍କାରେ ପ୍ରଭାସଙ୍କ ଫିଲ୍ମରେ କାମ କରିଥିବା ଏହି କଳାକାରମାନେ ତଦନ୍ତ ପରିସରଭୁକ୍ତ ହେବେ କି? ପ୍ରଶ୍ନ ଉଠୁଛି ଏତେ ବଡ ଠକେଇ କେମିତି ହେଲା ? ବିଲଡର ଓ ଚିଟଫଣ୍ଡ ସଂସ୍ଥା ଠାରୁ ବଡ ରକମର ଠକେଇ କରି ଅତି ଚତୁରତାର ସହ ଓଲିଉଡରେ କେମିତି ଲାଗୁଥିଲା ଟଙ୍କା ? ବର୍ଷ ବର୍ଷ ଧରି ଏ ଠକେଇ ଚାଲୁଥିଲେ ବି କାହିଁକି ଚୁପ୍ ଥିଲା ପୁଲିସ୍ ? ପୁଲିସ୍ ବାବୁଙ୍କର ବି ଏ ସଂପର୍କରେ ଭାଗିଦାରୀ ଅଛି କି ?