କେନ୍ଦ୍ରାପଡ଼ାରେ ଷ୍ଟାର ପ୍ରଚାର ! ଅଭିନେତା ପତି ଅନୁଭବଙ୍କ ପାଇଁ ଭୋଟ୍ ମାଗିଲେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

260

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବଙ୍କ ପାଇଁ ଭୋଟ୍ ମାଗିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ସ୍ୱାମୀଙ୍କ ପାଇଁ ମହାକାଳପଡା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇରେ ରୋଡ ସୋ କରିଛନ୍ତି ବର୍ଷା । ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ସହ ବର୍ଷା ମାର୍ଶାଘାଇର କୁଶୁନପୁର ମଣିମନ୍ଦିର ନିକଟରୁ ରୋଡ ସୋ ବାହାରିଥିଲେ । ବିଜେଡିର ଏହି ରୋଡ ସୋ ମାର୍ଶାଘାଇର କେନାଲ ବ୍ରିଜ, ଲକ ଛକ ଦେଇ ଜୁଣ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ରୋଡରେ ବିଜେଡିର ବହୁ କର୍ମୀ ସାମିଲ ହୋଇଥିଲେ ।

ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୨୯ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । କେନ୍ଦ୍ରାପଡାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ସରଗରମ ହୋଇଛି ରାଜନୀତି । ନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ଜୋର ଧରିଛି ପ୍ରଚାର । ବିଶେଷ କରି କେନ୍ଦ୍ରାପଡା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତି ଜନମତ ହାସଲ ପାଇଁ ବଡ କସରତ କରୁଥିବା ଦେଖିବାକୁ ମିଳୁଛି ।