ବାଣ ନୁହେଁ ହସ ଫୁଟାଇବା ! କୁନି ସିଦ୍ଧାର୍ଥର କୁନି ସ୍ୱପ୍ନକୁ ପୁରଣ କଲେ ବର୍ଷା ପ୍ରିୟଦର୍ଶିନୀ

165

ନୀଳ ଦରିଆର ହେବ ସେ ମାଲିକ । ଅଶାନ୍ତ ଜୁଆରକୁ ବୋଲ ମନାଇବ । ଆଉ ଜାହାଜରେ ବସି ଯୁଦ୍ଧ କରିବ ଶତ୍ରୁ ସହିତ । ବାଲଟିଏ ବସ୍ତି ପାଣିରେ ଚାବି ଦିଆ କଣ୍ଢେଇ ଜାହାଜକୁ ଚଳାଇ ଏମିତି ସ୍ୱପ୍ନ ଦେଖୁଛି ସିଦ୍ଧାର୍ଥ । ହେଲେ ଓଦା ଆଖିକୁ ସ୍ୱପ୍ନ ସବୁ ଝାପସା ଦିଶୁଛି । କାରଣ ବାପ ଛେଉଣ୍ଡ ସିଦ୍ଧାର୍ଥକୁ ପଢାଇବାକୁ ମା’ ପାଖରେ ଶକ୍ତି ନାହିଁ । ଅସମୟରେ ସ୍ୱାମୀ ଚାଲିଗଲେ ଆରପାରିକୁ । ରୋଜଗାରିଆ ବଡ ପୁଅ ବି ହାତ ଛାଡି ଦେଲା ସବୁଦିନ ପାଇଁ । ଏଭଳି ସ୍ଥିତିରେ ସାନ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ମା’ । ଆଗକୁ ଆସୁଛି ଦୀପାବଳି । ତେବେ ବାଣ ବଦଳରେ କଣ ଚାହେଁ ସିଦ୍ଧାର୍ଥ !

କେଇ ଖଣ୍ଡ ବହି ମିଳିଗଲେ ମେଧାବୀ ସିଦ୍ଧାର୍ଥ ମୁହଁରେ ହସ ଫୁଟିବ । ବାଣ ବଜେଟକୁ କାଟି କୁନି ସିଦ୍ଧାର୍ଥର କୁନି ସ୍ୱପ୍ନକୁ ପୁରଣ କରିବାକୁ ବାହାରି ପଡିଥିଲେ ଚର୍ଚ୍ଚିତ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀ । ହସ ବଜାରରୁ କିଣିଥିଲେ ଭରପୁର ହସ । ଆଉ ପଂହଚି ଯାଇଥିଲେ ସିଦ୍ଧାର୍ଥ ରହୁଥିବା ନୂଆଁଣିଆ ଚାଳଛପର ଘରେ । ନିଜ ପ୍ରିୟ ହିରୋଇନକୁ ପାଖରେ ପାଇ ଅଭାବୀ ବସ୍ତିରୁ ସତେ ଯେମିତି ଦୁଃଖ ହଜି ଯାଇଥିଲା କିଛି ସମୟ ପାଇଁ । ଆଉ ବର୍ଷା ଛୋଟିଆ ଉପହାରଟିଏ ଦେଉ ସାଉଁଟି ଆଣିଥିଲେ ଖୁସିର ପସରା ।

ହୁଏତ ଏମିତି କିଛି ସହୃଦୟ ମଣିଷଙ୍କ ଆଶୀର୍ବାଦ ନେଇ ସିଦ୍ଧାର୍ଥ ସାଜିବ ନୀଳ ଦରିଆର ସୌଦାଗର । ଆପଣ ଚାହୁଁଛନ୍ତି କିଏ ତାଲିକାରେ ନିଜକୁ ଦେଖିବାକୁ । ଆଜି ହିଁ ସାମିଲ୍ ହୁଅନ୍ତୁ – ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ । ଆଉ ନିଜ ଚାରିପାଖରୁ ଖୋଜନ୍ତୁ ଆଉ ଜଣେ ସିଦ୍ଧାର୍ଥକୁ ।

ଏହା ସହ ଦେଖନ୍ତୁ ବାଣ ନୁହେଁ ହସ ଫୁଟାଇବା ! ଦେଖନ୍ତୁ କୁନି ପାୟଲଙ୍କ ମୁହଁରେ କିଏ ଫୁଟାଇଲା ହସ