ଆରମ୍ଭ ହେଲା କଇଁଛ ଋତୁ! ମେ ୩୧ ଯାଏଁ ମାଛଧରା ଉପରେ କଟକଣା ଜାରି

75

କନକ ବ୍ୟୁରୋ: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛ ଋତୁ ଆରମ୍ଭ ହୋଇଛି । ଏହି ସମୟରେ ବିରଳ ଅଲିଭରିଡଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ୍ ହେବେ। ଅଲିଭରିଡଲେଙ୍କୁ ଜଳଦସ୍ୟୁ, ମାଛମାଫିଆଙ୍କ କବଳରୁ ରକ୍ଷା କରିବା ସହିତ ବେଆଇନ୍ ଟ୍ରଲର୍ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଥମଥର ପାଇଁ ଏଥିରେ ଦୁଇଟି ହାଇସ୍ପିଡ ବା ବେଗବାନ୍ ବୋଟକୁ ସାମିଲ୍ କରାଯାଇଛି ।

ଗହୀରମଥା ସମଗ୍ର ବିଶ୍ୱରେ ବିରଳ ଅଲିଭରିଡଲେଙ୍କ କଇଁଛଙ୍କ ଏନ୍ତୁଡିଶାଳ ଭାବେ ଜଣାଶୁଣା । ଏହି ସମୟରେ କଇଁଛମାନେ ଅଣ୍ଡାଦାନ କରିଥା’ନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥା ଓ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ୧୬୦ କିଲୋମିଟର ସମୁଦ୍ର ପଥରେ ମାଛମରା ଉପରେ କଟକଣା ଜାରି କରାଯାଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷତମାମ ଟ୍ରଲର୍ ଚଳାଚଳ ଓ ମାଛଧରା ଉପରେ ନିଷେଧାଦେଶ ରହିଛି । ଗହୀରମଥା ବନବିଭାଗ ରେଞ୍ଜ ଅଫିସର୍ ସୁବ୍ରତକୁମାର ପାତ୍ରଙ୍କ କହିବାନୁସାରେ, କଇଁଛ ଋତୁ ସମୟରେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର୍, ବୋଟ୍ ଓ ଭୁଟୁଭୁଟି ଚଳାଚଳ ଛପରେ କଟକଣା ଜାରି କରାଯାଇଛି । ଏଥିସହିତ, ମାଛଧରା ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

ଅପରପକ୍ଷେ, ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ପୂର୍ବବର୍ଷ ମାନଙ୍କରେ ପାଟ୍ରୋଲିଂରେ ୧୪୦ ହର୍ସପାୱାର ଓ ୨୨୦ ହର୍ସ ପାୱାର ଟ୍ରଲର୍ ସାମିଲ କରାଯାଇଥିଲା । ମାତ୍ର, ଗଭୀର ସମୁଦ୍ରରେ ମାଛ ମାଫିଆମାନେ ବେଆଇନ୍ ଭାବରେ ୩ ଶହ ରୁ ୪ ଶହ ହର୍ସ ପାୱାର ବିଶିଷ୍ଟ ଟ୍ରଲର ମାଧ୍ୟମରେ ମାଛ ଧରୁଥିଲେ । ବନବିଭାଗ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଧରି ପାରୁନଥିଲେ । ଫଳରେ, ହଜାର ହଜାର ସଂଖ୍ୟକ ବିରଳ ଅଲିଭରିଡଲେ ଟ୍ରଲର୍ ମାଡରେ ମୃତ୍ୟୁବରଣ କରୁଥିଲେ ।

ପ୍ରଥମଥର ପାଇଁ ପାଟ୍ରୋଲିଂରେ ୨ଟି ହାଇସ୍ପିଡ୍ ବୋଟ୍ ସାମିଲ୍ କରାଯାଇଛି। ଆଇ.ସି.ଜେଡ୍.ଏମ୍.ପି. (ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ) ଅନୁଦାନରେ ଏହା ଆସିଛି । ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଆସିଥିବା ଏହି ଦୁଇଟି ହାଇସ୍ପିଡ୍ ବୋଟ୍ର ମୂଲ୍ୟ ୪ କୋଟି ଟଙ୍କା ବୋଲି ଜଣାପଡ଼ିଛି । ୩୧ ହର୍ସ ପାୱାର ବିଶିଷ୍ଟ ବୋଟ୍ ଦୁଇଟି ଫାଇବରରେ ତିଆରି । ଏହି ହାଇସ୍ପିଡ୍ ବୋଟରେ ଚଳିତ ଋତୁରେ ପାଟ୍ରୋଲିଂ ପ୍ରକ୍ରିୟା ଆରମ୍ଭ ହେବ । ବିରଳ କଇଁଛକୁ ସୁରକ୍ଷା ଦେବା ସହିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୁରକ୍ଷା ପାଇଁ ଏହା ପାଟ୍ରୋଲିଂରେ ସାମିଲ୍ କରାଯାଇଛି ବୋଲି ବନବିଭାଗ କହିଛି ।

ଏଥିସହିତ, ଏହି ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ ସହିତ ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧ଓ ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ ଟି ସ୍ଥାନରେ ଟ୍ରଟଲ୍ ପ୍ରୋଟେକ୍ସନ୍ କ୍ୟମ୍ପ କରାଯାଇଛି । ଅଫିସର କ୍ୟାମ୍ପରେ ୧୦ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୨ଟି ଟ୍ରଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏତଦବ୍ୟତୀତ ବାବୁବାଲି, ଅଗରନାସୀ ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏଁ ଏ.ପି.ଆର୍. ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି ।