ବେଳାଭୂମିରେ ପଡିଛି ମଲା କଇଁଛ ! କାରଣ ଖୋଜୁଛି ବନବିଭାଗ, ଦୁର୍ଗନ୍ଧମୟ ପରିବେଶକୁ ନେଇ ଉଦବେଗ୍ ପ୍ରକାଶ କଲେ ପରିବେଶବିତ୍ ।

66

କନକ ବ୍ୟୁରୋ : ପାରାଦ୍ୱୀପ ବେଳାଭୂମୀରେ ଦେଖିବାକୁ ମିଳୁଛି ଶତାଧିକ ମୃତ ଅଲିଭ ରିଡଲେ କଇଁଚ । ମୃତ କଇଁଛ ଗୁଡିକକୁ କୁକୁର ଓ କାଉ ଖେଳାଇ ଖାଉଥିବା ବେଳେ ଦୁର୍ଗନ୍ଧ ଯୋଗୁଁ ବେଳାଭୁମୀରୁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ । କଇଁଛ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏହାକୁ ନେଇ ମତ୍ସ୍ୟଜିବୀ ସଂଘ ଓ ବନ ବିଭାଗ ମଧ୍ୟରେ ବାକଯୁଦ୍ଧ ଲାଗିଛି ।

ବେଳାଭୂମୀରେ ମଲା କଇଁଛ । କାରଣ ଖୋଜୁଛି ବନବିଭାଗ । ପାରାଦ୍ୱୀପର ହନୁମାନ ମନ୍ଦିର ବେଳାଭୁମୀ ଠାରୁ ଜଟାଧାର ମୁହାଣ ପର୍ଯ୍ୟନ୍ତ ଶତାଧିକ ସଂଖ୍ୟାରେ ଅଲିଭ ରିଡଲେ୍ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ମୃତ କଇଁଛ ଗୁଡିକକୁ ବୁଲା କୁକୁର ବିଭତ୍ସ ଭାବେ ଝୁଣି ଖାଉଥିବା ବେଳେ ବେଳାଭୂମୀ ପରିବେଶ ଦୁର୍ଗନ୍ଧରେ ଫାଟି ପଡୁଛି । ତେବେ ମୃତ କଇଁଛ ଗୁଡିକକୁ ପୋତା ଯାଉନଥିବାରୁ ବେଳାଭୂମୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମୁହଁ ଫେରାଇ ଚାଲିଯାଉଛନ୍ତି । ଆଉ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶ ପ୍ରେମୀ ।

ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ’ ୩୧ ଯାଏଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଛି । ଏହି ସମୟରେ ଦେବୀ, ବରୁଣେଇ ଓ ଋଷିକୁଲ୍ୟା ମୁଁହାଣରେ କଇଁଛ ମାନେ ଅଣ୍ଡାଦାନ କରିବାକୁ ଆସିଥାନ୍ତି । ତେଣୁ ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଓ ଯନ୍ତ୍ର ଚାଳିତ ବୋଟ୍ ଗୁଡିକୁ ମାଛ ମାରିବା ନିଷେଧ କରାଯାଇଛି । ହେଲେ ଏହା ସତ୍ୱେ କଇଁଛଙ୍କ ମୃତ୍ୟୁ, ସୁରକ୍ଷା ଦିଗରେ ସରକାରଙ୍କ ବିଫଳତାର ପ୍ରମାଣ ଦେଉଛି ।  କଇଁଛଙ୍କ ମୃତ୍ୟୁର ସଠିକ୍ କାରଣ ନଖୋଜି ସରକାର ମତ୍ସ୍ୟଜିବୀଙ୍କ ଉପରେ କଟକଣା ଜାରି କରୁଥିବା ଅଭିଯୋଗ କରିଛି ମତ୍ସ୍ୟଜୀବୀ ସଂଘ । ସେପଟେ ବନ ଅଧିକାରୀ କହିଛନ୍ତି କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ କଟକଣା ଲାଗିଛି, କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଉଛି । ପାରାଦୀପରେ ପ୍ରାୟ ୬୫୦ ଟ୍ରଲର ଏବଂ ୩୦୦ ଯନ୍ତ୍ର ଚାଳିତ ଡଙ୍ଗା ଦ୍ୱାରା ମତ୍ସ୍ୟଜିବୀମାନେ ସମୁଦ୍ରରେ ମାଛମାରି ଜୀବିକା ନିର୍ଭର କରୁଛନ୍ତି । ତେବେ ପ୍ରତିବର୍ଷ ଏଭଳି କଟକଣା ଯୋଗୁ ଟ୍ରଲର ଓ ଡଙ୍ଗା ମାଲିକମାନେ କ୍ଷତିଗ୍ରସ୍ଥ ହେଉଛନ୍ତି ।