ମନ ଜିଣିଲେ ଯବାନ ! ଜୀବନକୁ ବାଜି ଲଗାଇ ୪୦ ଫୁଟର ଗଭୀର କୂଅରେ ପଶି ବୃଦ୍ଧଙ୍କୁ ବଞ୍ଚାଇଲେ ଯାଜପୁରର ସୁରେଶ କୁମାର
କନକ ବ୍ୟୁରୋ: ଯାଜପୁର ଜିଲ୍ଲା ସୁକିନ୍ଦା ଅଗ୍ନିଶମ ବାହିନୀର ଜଣେ ଯବାନ ୮୦ ବର୍ଷର ଜଣେ ବୃଦ୍ଧଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏଥିପାଇଁ ଯବାନ ଜଣଙ୍କୁ ବହୁ ଲୋକ ପ୍ରଶଂସା କରିଛନ୍ତି। ଘଟଣା ଅନୁଯାୟୀ, ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଗ୍ରାମର ବାବାଜୀ ଚରଣ ଦାଶ(୮୦) ବିଳମ୍ବିତ ରାତିରେ ଘରୁ ବାହାରକୁ ଆସିଥିବା ବେଳେ ଘର ନିକଟରେ ଥିବା ଏକ ଗଭୀର କୂଅ ମଧ୍ୟକୁ ଖସିପଡ଼ିଥିଲେ। ତାଙ୍କୁ ଜଗିଥିବା ପରିବାର ସଦସ୍ୟ ଚିତ୍କାର କରିବା ପରେ ପଡ଼ିଶା ଲୋକମାନେ ଉଠିଥିଲେ। ହେଲେ ୪୦ ଫୁଟ ଗଭୀର କୂଅ ମଧ୍ୟରେ କେହି ପଶି ପାରିନଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁକିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅଗ୍ନିଶମ ଯବାନମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅନ୍ଧାରରେ ଗଭୀର କୂଅକୁ ପଶିବାକୁ କେହି ସାହସ କରି ପାରିନଥିଲେ। ତେବେ ସେମାନଙ୍କ ମଧ୍ୟରେ ଥିବା ଯବାନ ସୁରେଶ କୁମାର ଦେହୁରୀ କୂଅ ମଧ୍ୟରେ ପଶି ବୃଦ୍ଧଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।
ଏହି ସମୟରେ କୂଅ ମଧ୍ୟରେ ଅମ୍ଳଜାନ କମ୍ ହେବାରୁ ଉଭୟ ଗୁରୁତର ହୋଇପଡ଼ିଥିଲେ। ତଥାପି ଯବାନ ଜଣକ ଚେତାଶୂନ୍ୟ ବୃଦ୍ଧଙ୍କୁ ବହୁ କଷ୍ଟରେ ଉପରକୁ ଆଣିଥିଲେ। ବାହାରକୁ ଆସିବା ପରେ ଯବାନ ଜଣକ ମଧ୍ୟ ଚେତାଶୂନ୍ୟ ହୋଇପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କ ଚେତା ଫେରିଥିଲା। ହେଲେ ଯବାନଙ୍କ ଚେତା ନଫେରିବାରୁ ତାଙ୍କୁ ସହକର୍ମୀମାନେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାୟ ୨ ଘଣ୍ଟା ପରେ ଯବାନ ଜଣକ ସୁସ୍ଥ ହୋଇଥିଲେ।