ବୟସର ଅପରାହ୍ନରେ ଆଜି ସେମାନେ ଉପନୀତ ! ହେଲେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା

46

କନକ ବ୍ୟୁରୋ: ବୟସର ଶେଷସମୟରେ ସେମାନେ ଅଲୋଡା ପାଲଟିଯାଇଛନ୍ତି । ପରିବାର ଲୋକ ପଚାରୁନଥିବାବେଳେ ସରକାରୀ ଯୋଜନା ବି ସେମାନଙ୍କୁ ଭୁଲିଯାଇଛି । ଆଉ ଏହାରି ଭିତରେ କିଭଳି ଅଛନ୍ତି ସେମାନେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ପଢନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ବୟସର ଅପରାହ୍ନରେ ଆଜି ସେମାନେ ହୋଇଛନ୍ତି ଉପନୀତ । ଆଉ ବୟସ ବଢିବା ସହ ସଂପର୍କୀୟମାନେ ବି ସେମାନଙ୍କଠାରୁ ଦୁରତା ବଢାଇ ଦେଇଛନ୍ତି । ଯେଉଁଥିପାଇଁ ରେଳଷ୍ଟେସନରେ ସେମାନଙ୍କ ଦିନ କଟୁଛି । ଇଏ ହେଉଛନ୍ତି ୮୦ ବର୍ଷର କମଳା ପ୍ରଧାନ । ନା ଆଖିକୁ ଭଲଭାବେ ଦେଖାଯାଉଛି ନା ଶୁଣାଯାଉଛି । ଆଉ ଏହି ଷ୍ଟେସନ ପରିସର ପାଲଟିଛି ତାଙ୍କପାଇଁ ସବୁକିଛି । ମୁଠିଏ ଭାତ ଓ କିଛି ଭିକ ତାଙ୍କ ପାଇଁ ଶେଷ ଭରସା ହୋଇଥିବାବେଳେ ସରକାରୀ ଯୋଜନା ବି ତାଙ୍କୁ ଦୂରେଇ ଦେଇଛି ।

ବର୍ଷରେ ବାରମ୍ବାର ବାର୍ଦ୍ଧକ୍ୟ ଭତା ପାଇଁ ଆବେଦନ କରିଥିଲେ ବି କମଳାଙ୍କୁ ନା ମିଳିଥିଲା ବାର୍ଦ୍ଧକ୍ୟ ଭତା ନା ମିଳିଥିଲା ବିଧବା ଭତା । ସେହିପରି କେବଳ କମଳା ନୁହଁନ୍ତି ବରଂ ତାଙ୍କ ସହ ଷ୍ଟେସନରେ ରହୁଥିବା ଅନ୍ୟ ଜଣେ ବୃଦ୍ଧାଙ୍କର ବି ସମାନ ଦୁଃଖ । ଅଲୋଡା ଭାବେ ରେଳଷ୍ଟେସନରେ କଟୁଛି ଏମାନଙ୍କର ଜୀବନ । ତେବେ କେବଳ ଏମାନେ ନୁହଁନ୍ତି ବରଂ ବାଲେଶ୍ୱରର ରାସ୍ତାକଡରେ ଏମିତି ଅନେକ ବୃଦ୍ଧ-ବୃଦ୍ଧା ଅସହାୟ ଅବସ୍ଥାରେ ନଜର ଆସୁଛନ୍ତି ।