ଇତିହାସରେ ରାଜନୀତିର ପୁରୁଣା କଥା । ରାଉରକେଲାରେ ଶିବ-ଗଣେଶ ଲଢେଇ ! ଜାଣନ୍ତୁ କିଏ ପିନ୍ଧିଥିଲେ ବିଜୟ ତିଳକ ।

196

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଶିବ-ଗଣେଶ ଲଢ଼େଇ କଥା ଶୁଣିଲେ ମନରେ ଆସେ, ମାତା ପାର୍ବତୀ ଅନ୍ତଃପୁରରେ ଥାଇ ପୁତ୍ର ଗଣେଶଙ୍କୁ ଦ୍ଵାରପାଳ ରୂପେ ଜଗାଇଥିବା ପ୍ରସଙ୍ଗ । ଶିବ ଏକ ଅସୁରକୁ ବଧ କରିବା ପାଇଁ ଅନ୍ୟତ୍ର ଯାଇଥିବା ଭିତରେ ଗଣେଶଙ୍କ ଜନ୍ମ ହୋଇଥିବାରୁ ସେ ତାଙ୍କୁ ଚିହ୍ନି ନ ଥିଲେ । ଗଣେଶ ତାଙ୍କୁ ଭିତରକୁ ଯିବାକୁ ନଦେବାରୁ ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା, ଯେଉଁଥିରେ ଶିବ ଗଣେଶଙ୍କର ଶିରଚ୍ଛେଦନ କରିଥିଲେ । ତା’ପରେ ପାର୍ବତୀଙ୍କ ଠାରୁ ମୃତ ବାଳକଟି ତାଙ୍କର ନିଜ ପୁଅ ବୋଲି ଜାଣି ଶିବ କିପରି ଏକ ହାତୀର ମୁଣ୍ଡ ଯୋଡ଼ି ଗଣେଶଙ୍କୁ ଜୀବନ୍ୟାସ ଦେଇଥିଲେ ସେ କାହାଣୀ ପୁରାଣରେ ବର୍ଣ୍ଣିତ ଅଛି।

କିନ୍ତୁ ଇସ୍ପାତ ନଗରୀରେ ଶିବ ଗଣେଶ ଲଢ଼େଇ କଥା କହିଲେ ୧୯୭୧ରେ ଅନୁଷ୍ଠିତ ହୋଇଥିବା ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ଉପନିର୍ବାଚନକୁ ବୁଝାଏ । ସେଥିରେ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ଦାସ ଓ କଂଗ୍ରେସ ପ୍ରାର୍ଥୀ ବିନାୟକ ଆଚାର୍ଯ୍ୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା ।

ଏହି ନିର୍ବାଚନଟି ଖୁବ୍ ପ୍ରତିଦ୍ଵନ୍ଦ୍ୱିତା ମୂଳକ ଓ ସ୍ମରଣୀୟ ହୋଇଥିଲା ଏଇଥି ପାଇଁ ଯେ, ୧୯୭୧ ନିର୍ବାଚନ ପରେ ଗଠିତ ସ୍ୱତନ୍ତ୍ର, ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ଦଳର ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟମନ୍ତ୍ରୀ ପଦରେ ଥିବା ବିଶ୍ୱନାଥ ଦାସ ବିଧାନସଭାର ସଦସ୍ୟ ନହୋଇଥିବାରୁ ତାଙ୍କୁ ୬ ମାସ ମଧ୍ୟରେ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିବା ଜରୁରୀ ଥିଲା । ଏଥିପାଇଁ ସେ ରାଉରକେଲା ବିଧାନସଭା ଆସନକୁ ବାଛିଥିଲେ ।

ସାଧାରଣତଃ ଏଭଳି ଉପନିର୍ବାଚନରେ ନେତାମାନେ ତାଙ୍କର ଜିଣିବା ସହଜ ହେବା ଭଳି ନିଜ ଦଳର କୌଣସି ପ୍ରାର୍ଥୀ ଖାଲି କରିଥିବା ଏକ ଅପେକ୍ଷାକୃତ ସହଜ ଆସନ ବାଛନ୍ତି । ମାତ୍ର ନିର୍ଦ୍ଦଳୀୟ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଥିବା ଆଦର୍ଶବାଦୀ ନେତା ବିଶ୍ୱନାଥ ଦାସ ସେଭଳି କରି ନଥିଲେ । ସେ ବିରୋଧୀ କଂଗ୍ରେସ ଦଳର ଶ୍ୟାମସୁନ୍ଦର ମହାପାତ୍ର ଖାଲି କରିଥିବା ରାଉରକେଲା ଆସନକୁ ହିଁ ବାଛିଲେ । ଶ୍ୟାମସୁନ୍ଦର ଏକ ସମୟରେ ବାଲେଶ୍ୱର ଲୋକସଭା ଓ ରାଉରକେଲା ବିଧାନସଭା ଆସନରୁ ଜିତିଥିଲେ । କେନ୍ଦ୍ରରେ କଂଗ୍ରେସ ଦଳ ସରକାର ଗଢ଼ୁଥିବାରୁ ସେ ଲୋକସଭା ଆସନଟି ରଖି ରାଉରକେଲା ଆସନରୁ ଇସ୍ତଫା ଦେଇଥିଲେ ।

ନିଜ ଦଳର ପ୍ରାର୍ଥୀ ଖାଲି କରିଥିବା ଏହି ଆସନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ନବଗଠିତ ସରକାରକୁ ଏକ ବଡ଼ ଧକ୍କା ଦେବା ପାଇଁ ବିରୋଧୀ କଂଗ୍ରେସ ଦଳ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲା । ଯେହେତୁ ବିଶ୍ୱନାଥ ଦାସ ଦକ୍ଷିଣ ଓଡ଼ିଶାର ଜଣେ ଜନପ୍ରିୟ ନେତା, ତାଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଦଳ ସେହି ଅଞ୍ଚଳର ଅନ୍ୟତମ ତୁଙ୍ଗନେତା ବିନାୟକ ଆଚାର୍ଯ୍ୟଙ୍କୁ ବାଛିଲେ। ବିଶ୍ୱନାଥ (ଶିବ) ଓ ବିନାୟକ (ଗଣେଶ)ଙ୍କ ମଧ୍ୟରେ ଇସ୍ପାତ ନଗରୀ ରାଉରକେଲାରେ ଏକ ତୀବ୍ର ପ୍ରତିଦ୍ଵନ୍ଦ୍ୱିତାମୂଳକ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲା ଏବଂ ଓଡ଼ିଶାବାସୀ ଅପେକ୍ଷା କରି ରହିଲେ ଦେଖିବା ପାଇଁ ଏହି ନିର୍ବାଚନରେ ଜିତୁଛି କିଏ ?

ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର ଓ ଝାଡ଼ଖଣ୍ଡ ଦଳର ମିଳିତ ସମର୍ଥନରେ ଲଢ଼ୁଥିବା ନିର୍ଦ୍ଦଳୀୟ ନେତା ବିଶ୍ୱନାଥ ଦାସ ହିଁ ଏହି ନିର୍ବାଚନରେ ବିଜୟୀ ହେଲେ । ଏହି ଆସନରେ ପୂର୍ବରୁ କଂଗ୍ରେସ ନେତା ଶ୍ୟାମସୁନ୍ଦର ମହାପାତ୍ର ଯେତିକି ଭୋଟ ପାଇଥିଲେ ବିନାୟକ ଆଚାର୍ଯ୍ୟ ତା’ଠାରୁ ଅଧିକ ଭୋଟ ପାଇଲେ ମଧ୍ୟ ବିଶ୍ୱନାଥ ଦାସ ତାଙ୍କୁ ୧୮୫୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ଉପନିର୍ବାଚନ ଜିଣିଲେ । ଏହାଥିଲା ସେ ସମୟର ଏକ ଅତ୍ୟନ୍ତ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ଲଢ଼େଇ । ଲୋକେ କୁହାକୁହି ହେଲେ, ‘ଶିବ ଓ ଗଣେଶଙ୍କ ଲଢ଼େଇରେ ଶିବ ବିଜୟୀ ନହୁଅନ୍ତେ ବା କିପରି ?’