ପାଠପଢ଼ାର ପୁରୁଣା ଢାଞ୍ଚା ଫେରାଇକୁ ଯୋଜନା : ବିଦ୍ୟାଳୟରେ ସାମିଲ ହେବ ଅଙ୍ଗନବାଡ଼ି, ମଧ୍ୟାହ୍ନ ଭୋଜନ ସହ ପିଲାଙ୍କୁ ମିଳିବ ସକାଳ ଜଳଖିଆ

1,716

କନକ ବ୍ୟୁରୋ : ସରକାରୀ ପ୍ରି-ସ୍କୁଲ ତଥା ଅଙ୍ଗନବାଡ଼ି ଗୁଡ଼ିକ ଏଣିକି ବିଦ୍ୟାଳୟରେ ସାମିଲ ହେବ । ଗୋଟିଏ କ୍ୟାମ୍ପସ୍‌ରେ ଅଙ୍ଗନବାଡ଼ି ସହ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିବ । ପାଠପଢ଼ାର ପୁରୁଣା ଢାଞ୍ଚା ଫେରାଇ ଆଣିବାକୁ ଏପରି ଯୋଜନା ହୋଇଛି । ଗୋଟିଏ କ୍ୟାମ୍ପସ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ରହିବ । କୋଳାହଳମୟ ପରିବେଶ ମଧ୍ୟରେ ୩୦୦ରୁ ୪୦୦ ଛାତ୍ରଛାତ୍ରୀ ପଢ଼ିବେ । ଶିକ୍ଷାଦାନ ସହ ଖେଳକୁଦ ବ୍ୟବସ୍ଥା ଉପଲବ୍ଧ ହେବ, ଲାଇବ୍ରେରି ବି ପ୍ରତିଷ୍ଠା କରାଯିବ । ଶ୍ରେଣୀଗୁଡ଼ିକୁ ଏକତ୍ରିତ କରି ସ୍କୁଲ କମ୍ପ୍ଲେକ୍ସ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସିବାକୁ ଥିବା ଜାତୀୟ ଶିକ୍ଷା ନୀତି-୨୦୧୯ରେ ଏନେଇ ପ୍ରସ୍ତାବ ରହିଛି । ଯାହାକୁ ଆଧାର କରି ମାନସମନ୍ଥନ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ ।

ସମସ୍ୟା ହେଉଛି ଏଥିପାଇଁ ଅର୍ଥ ଆସିବ କେଉଁଠୁ ? କେନ୍ଦ୍ର ସରକାର ଅର୍ଥ ଦେବେ ନା ରାଜ୍ୟ ଉପରେ ବୋଝ ପଡ଼ିବ । ନିଷ୍ପତ୍ତିକୁ ଚୂଡ଼ାନ୍ତ ମୋହର ଦେବା ପୂର୍ବରୁ ବ୍ୟାପକ ଆଲୋଚନା‌ ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା‌ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ସ୍କୁଲଗୁଡ଼ିକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରିବାକୁ ଯୋଜନା କରିଥିଲୁ । ପ୍ରଥମରୁ ଦଶମ, ପ୍ରଥମରୁ ଅଷ୍ଟମ, ଷଷ୍ଠରୁ ଦଶମ ଓ ପ୍ରଥମରୁ ପଞ୍ଚମ ଶ୍ରେଣୀ କରିବାକୁ ଲକ୍ଷ୍ୟ ରଖିଥିଲୁ । ତେବେ ଜାତୀୟ ଶିକ୍ଷା ନୀତି ପ୍ରସ୍ତାବ ଆସିବା ପରେ ଏବେ କିଭଳି ଅଧିକରୁ ଅଧିକ ବିଦ୍ୟାଳୟ ଗୋଟିଏ କ୍ୟାମ୍ପସରେ ପ୍ରଥମରୁ ଦଶମ ଶ୍ରେଣୀ ରହିବ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ।

କ୍ୟାମ୍ପସରେ ଯେମିତି ସ୍କୁଲ ପରିବେଶ ସୃଷ୍ଟି ହୋଇପାରିବ, ଗୋଟିଏ କ୍ୟାମ୍ପସରେ ୪୦୦ରୁ ୫୦୦ ପିଲା ପଢ଼ିବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି । ଚଳିତବର୍ଷ ୧୦ରୁ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିବା ୯୬୬ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ଆଗାମୀ ଦିନରେ ନିଷ୍ପତ୍ତିକୁ ଆହୁରି କଡ଼ାକଡ଼ି କରାଯିବ। ସେ ଆହୁରି କହିଛନ୍ତି ଯେ ପ୍ରି-ସ୍କୁଲ ତଥା ଅଙ୍ଗନବାଡ଼ି ସ୍କୁଲ ବ୍ୟବସ୍ଥାକୁ ଆସିବ । ଆଉ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ରହିବନି । ଏବେ ରାଜ୍ୟରେ ୭୦ ହଜାର ଅଙ୍ଗନବାଡ଼ି ରହିଛି। ସେଗୁଡ଼ିକ ଯଦି ସ୍କୁଲକୁ ଆସିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ବୋଝ ବଢ଼ିବ । ଅଧିକ ଶିକ୍ଷକ ନିଯୁକ୍ତି କଥା ଆସିବ। କିନ୍ତୁ ଏତେ ସଂଖ୍ୟାକ ଶିକ୍ଷକ ନିଯୁକ୍ତି ତ ଦିଆଯାଇପାରିବ ନାହିଁ ।

ତେଣୁ ଏବେ ଯେଉଁ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି, ସେମାନଙ୍କୁ ତାଲିମ୍‌ ଦିଆଯିବ । ଭବିଷ୍ୟତରେ ବି ଯେଉଁ ଅଙ୍ଗନବାଡ଼ି କର୍ମୀମାନେ ନିଯୁକ୍ତି ହେବେ, ସେମାନଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ । ପ୍ରି-ସ୍କୁଲ ପାଇଁ ଯେଉଁ ଯୋଗ୍ୟତା ଆବଶ୍ୟକ, ସେହି ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ଚୟନ ହେବେ । ସରକାରୀ ସ୍କୁଲରେ ଏବେ ମାଗଣା ମଧ୍ୟାହ୍ନଭୋଜନ ଦିଆଯାଉଛି । ଆଗକୁ ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି । ପିଲାମାନେ ସ୍କୁଲରେ ପହଞ୍ଚିବା କ୍ଷଣି ସେମାନଙ୍କୁ ସକାଳ ଜଳଖିଆ ମିଳିବ । ଆଉ ମଧ୍ୟାହ୍ନ ବେଳକୁ ମଧ୍ୟାହ୍ନଭୋଜନ ପୂର୍ବଭଳି ମିଳିବ । ଜଳଖିଆ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ । ଉକ୍ତ ଅର୍ଥ କେଉଁଠୁ ଆସିବ ? କେନ୍ଦ୍ର ସରକାର ଦେବେ ନା ଆମେ ଦେବୁ, ତାହା ଉପରେ ଏବେ ଆଲୋଚନା ହେଉଥିବା ସେ କହିଛନ୍ତି ।