ଇଏ କେମିତିକା ସରକାରୀ ଯୋଜନା ! ଘର ନାହିଁ ପାଇଖାନା ଅଛି, ଖରାଦିନେ ଗଛମୂଳେ ଓ ବର୍ଷା ଦିନେ ପାଇଖାନାରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ।

61

କନକ ବ୍ୟୁରୋ : ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଲେଶ୍ୱର ରେମୁଣା ଅଂଚଳର ଏହି କାହାଣୀ, ଯେତିକି ଦୁଃଖଦାୟକ, ସରକାରଙ୍କ ଯୋଜନା ଉପରେ ଲଗାଇ ଦେଇଛି ସେତିକି ପ୍ରଶ୍ନ ଚିହ୍ନ । ମୋଦିଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ତିଆରି ହୋଇଥିଲା ଟଏଲେଟ୍ । କିନ୍ତୁ ଜଣେ ଗରିବ ପରିବାରର ବାସଗୃହ ପାଲଟି ଯାଇଛି ଏହି ପାଇଖାନା ଘର ।

ଧରିଆ ସିଂହ । ବୟସ ପାଖାପାଖି ୬୫ ଓ ତାଙ୍କ ପତ୍ନୀ ଚେମି ସିଂହ । ଏମାନଙ୍କ ପାଇଁ ମୁଣ୍ଡ ଗୁଂଜିବାକୁ ଏକମାତ୍ର ଆଶ୍ରା ହେଉଛି ଏହି ପାଇଖାନା ଘର । ସମସ୍ତ ସଚେତନଶୀଳ ନାଗରିକଙ୍କୁ ଚହଳାଇ ଦେବା ଭଳି ଏହି ଦୃଶ୍ୟ ହେଉଛି ରେମୁଣା ବ୍ଳକ ଅନ୍ତର୍ଗତ ବଣିଆ ପୋଖରୀ ଗାଁର । ସ୍ୱଚ୍ଛ ଭାରତ ଅଭିଯାନକୁ ସତେ ଯେପରି ପରିହାସ କରୁଛି ଏହି ଦୃଶ୍ୟ । ଖରା ଦିନେ ଗଛ ମୂଳେ ଓ ଶୀତ ଦିନେ ପରପିଣ୍ଢାରେ ଦିନ କାଟୁଥିବା ଧରିଆ, ବର୍ଷା ଆସିବା ପରେ ପାଇଖାନା ହିଁ ପାଲଟିଛି ଏକ ମାତ୍ର ଭରସା । ସେହି ଛୋଟିଆ ଘରେ ଜାକିଜୁକି ଦିନ କାଟୁଛନ୍ତି ସ୍ୱାମୀ-ସ୍ତ୍ରୀ । ଆଉ ଶୌଚ ପାଇଁ ପାଖ ପୋଖରୀକୁ ବ୍ୟବହାର କରୁଛନ୍ତି ଧରିଆଙ୍କ ପରିବାର ।

ଇଏ ଏପରି ଏକ କାହାଣୀ, ଯାହା ସରକାରଙ୍କ ଯୋଜନା ଉପରେ ଶହ ଶହ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ସ୍ୱଚ୍ଛ ଭାରତ ପାଇଁ ସରକାର ଟଏଲେଟ୍ ନିର୍ମାଣ କରୁଛନ୍ତି, ହେଲେ ସବୁ ଲୋକଙ୍କ ପାଇଁ ମୁଣ୍ଡ ଗୁଂଜିବାକୁ ଏପର୍ଯ୍ୟନ୍ତ ଘର ହୋଇନାହିଁ  । ଧରିଆଙ୍କର ଦୁଇ ଝିଅ ଓ ଦୁଇ ପୁଅର ସଂସାର ଉପରେ ଦାଉ ସାଧିଥିଲା ଦଇବ । ରୋଗ ଓ ଦୁର୍ଘଟଣାରେ ଦୁଇ ପୁଅ ଓ ଗୋଟିଏ ଝିଅ ପ୍ରାଣ ହରାଇବା ପରେ ମାନସିକ ଭାରସ୍ୟାମ ହରାଇ ବସିଥିଲେ ପତ୍ନୀ ଚେମି । ଦୁର୍ଘଟଣା ପରେ ଦିନ ମଜୁରିଆ ଧରିଆଙ୍କର ଦୁଇ ହାତ କାମ ନକରିବାରୁ ବଦଳି ଯାଇଥିଲା ତାଙ୍କ ଜୀବନ । ଟଙ୍କିକିଆ ଚାଉଳକୁ ଛାଡ଼ି ଦେଲେ ଗାଁ ଲୋକଙ୍କ ହାତ ଟେକାରେ କଟୁଛି ଦମ୍ପତିଙ୍କ ଜୀବନ । ବୟସ ୬୫, କିନ୍ତୁ ମିଳୁନି ବାର୍ଦ୍ଧକ୍ୟ ଭତା । ତେବେ ଅଧିକାରୀ କହୁଛନ୍ତି, ବୟସ ହୋଇନଥିବାରୁ ଦିଆଯିବନି ଭତା ।

ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିନି, ଆଉ ଧରିଆଙ୍କୁ ମିଳୁନାହିଁ ବାର୍ଦ୍ଧକ୍ୟ ଭତା । ସରପଂଚଠାରୁ ବ୍ଳକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଦୁର୍ଦ୍ଦଶା ସଂପର୍କରେ ଅବଗତ ଅଛନ୍ତି, ହେଲେ ଏପର୍ଯ୍ୟନ୍ତ ବଢିନାହିଁ ସହଯୋଗର ହାତ । ଗରିବଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ଯୋଜନା ହେଉଛି । ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଉଛି, ହେଲେ ସର୍ବନିମ୍ନ ମୌଳିକ ସୁବିଧା ମିଳୁନାହିଁ ଧରିଆଙ୍କ ଭଳି ଅସହାୟ ଲୋକଙ୍କୁ । ମୋଦି ସରକାରଙ୍କ ସ୍ୱପ୍ନର ସ୍ୱଚ୍ଛ ଭାରତ ଅଭିଯାନ ଭିତରେ କିପରି ମୁଣ୍ଡ ଗୁଂଜିବା ପାଇଁ ଧରିଆଙ୍କ ପରିବାର ରାହା ଖୋଜୁଛନ୍ତି, ତାହା କେବଳ ବାଲେଶ୍ୱର ନୁହେଁ, ସାରା ଦେଶର ବିକଳ ଚିତ୍ରକୁ ପଦାକୁ ଆଣିଛି ।