କନକ ବ୍ୟୁରୋ : ସ୍ମାର୍ଟ ସିଟି ଭୁବନେଶ୍ୱରର ଐତିହ୍ୟ ନଗରୀ ତଥା ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ଖୁବ୍‌ ଶୀଘ୍ର ନୂଆ ରୂପ ପାଇବ । ଐତିହ୍ୟ ନଗରୀର ଐତିହ୍ୟ କୀର୍ତ୍ତିରାଜିକୁ ନୂଆ ରୂପ ଦେବା ଏବଂ ଆବାସିକ ଅଞ୍ଚଳଗୁଡ଼ିକର ବିକାଶ କରିବା ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି । ଏଥିପାଇଁ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ଵାନ ହୋଇଥିବାବେଳେ ଆସନ୍ତା ନଭେମ୍ବର ୨୩ତାରିଖରେ ଏହା ଖୋଲିବ । ଏହାର ୬ମାସ ମଧ୍ୟରେ ଐତିହ୍ୟ ନଗରୀ ପୁରୁଣା ଭୁବନେଶ୍ୱରକୁ ନୂଆ ରୂପ ଦିଆଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୁରୁଣା ଭୁବନେଶ୍ୱରରେ ଥିବା ଓ ଲୁଚି ହଜି ଯାଇଥିବା ମୋଟ୍‌ ୫୨୧ଟି କୀର୍ତ୍ତିରାଜିକୁ ଖୋଜି ବାହାର କରିଛି ବିଡିଏର ହେରିଟେଜ୍‌ ସେଲ୍‌ । ଅଧିକରୁ ଅଧିକ ପର୍ଯ୍ୟଟକ ଯେପରି ଏହି ଐତିହ୍ୟ ସ୍ମାରକୀକୁ ବୁଲି ଦେଖିବେ, ଏହାର ଇତିହାସ ସମ୍ପର୍କରେ ଜାଣିବେ ସେଥିପାଇଁ ସବୁ ଐତିହ୍ୟ ସ୍ମାରକୀଗୁଡ଼ିକୁ ନୂଆ ରୂପ ଦିଆଯିବ । ଐତିହ୍ୟ ସ୍ମାରକୀକୁ ପଡ଼ିଥିବା ରାସ୍ତା ଠାରୁ ଆରମ୍ଭ କରି ତୋରଣ ପର୍ଯ୍ୟନ୍ତ ସବୁକୁ ନୂଆ ପରିଚୟ ମିଳିବ । ଏଥିପାଇଁ ୨କୋଟି ୭୪ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହି ଅର୍ଥ ଓଏମ୍‌ସି ଦେବ ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଐତିହ୍ୟ କୀର୍ତ୍ତିରାଜି ଆମର ୟୁଏସ୍‌ପି ହୋଇଥିବାରୁ ଏହାକୁ ଅଧିକ ପ୍ରଚାର ପ୍ରସାର କରାଯିବ । ଭୁବନେଶ୍ୱରକୁ ଆସୁଥିବା ପ୍ରତିଟି ପର୍ଯ୍ୟଟକ ଯେପରି ଏକାମ୍ର କ୍ଷେତ୍ର ବୁଲିବେ ସେଥିପାଇଁ ଆମେ ଏକାମ୍ର କ୍ଷେତ୍ରକୁ ଐତିହ୍ୟ ନଗରୀରେ ମାନ୍ୟତା ଦେବା ସହ ଏହାର ବିକାଶ ପାଇଁ ଯୋଜନା କରୁଛୁ। ପର୍ଯ୍ୟଟକଙ୍କୁ ରାସ୍ତା ବତାଇବାଠାରୁ ଆରମ୍ଭ କରି କେଉଁ ଐତିହ୍ୟ କେଉଁଥିପାଇଁ ପ୍ରସିଦ୍ଧ, କେବେ ଏହା ଗଢ଼ି ଉଠିଥିଲା ତା’ର ସବିଶେଷ ତଥ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ଆବଶ୍ୟକୀୟ ସାଇନ୍‌ବୋର୍ଡ ଲାଗିବ। ଏହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାଯିବ । ସାଇନ୍‌ ବୋର୍ଡଗୁଡ଼ିକ ରେଟ୍ରୋ ରିଫ୍ଲେକ୍ଟିଭ୍‌ ହେବ । ଏଥିରେ ବୋର୍ଡର ରଙ୍ଗ, ଅକ୍ଷର ସାଇଜ୍‌ ଏବଂ ଉଜ୍ଜ୍ୱଳତାକୁ ଗୁରୁତ୍ୱ ଦିଆଯିବ ।

ଏବେ ରାଜଧାନୀରେ ଥିବା ଅଧିକାଂଶ ଐତିହ୍ୟ ଅବହେଳିତ ଅବସ୍ଥାରେ ଅଛି। ଏଏସ୍‌ଆଇ ମାତ୍ର ୨୯ଟିର ରକ୍ଷଣାବେକ୍ଷଣ କରୁଛି । ଏପରିକି ଏଏସ୍‌ଆଇ କେବଳ ରକ୍ଷଣାବେକ୍ଷଣରେ ସୀମିତ ରହି ଅନ୍ୟ କିଛି କାର୍ଯ୍ୟ କରୁନି । ତେଣୁ ରାଜଧାନୀରେ ଥିବା ସମସ୍ତ ଐତିହ୍ୟ ସ୍ମାରକୀଗୁଡ଼ିକୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ହେରିଟେଜ୍‌ ଡେଭଲପମେଣ୍ଟ ପ୍ଲାନ୍‌ ହୋଇଛି । ଏହି ଯୋଜନାରେ ରାଜଧାନୀର ସମସ୍ତ ଐତିହ୍ୟ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏବେ ଏହି ଐତିହ୍ୟ କୀର୍ତ୍ତିରାଜିଗୁଡ଼ିକର ଜିଆଇଏସ୍‌ ମ୍ୟାପିଂ ସରିଥିବାବେଳେ ଭୁବନେଶ୍ୱର ଓ୍ଵାନ୍‌ ୱେବସାଇଟରେ ଏହାର ସବିଶେଷ ତଥ୍ୟ ଉପଲବ୍ଧ ହେଉଛି ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଏସ୍‌ଆଇ କେବଳ ଖ୍ୟାତି ଅର୍ଜନ କରିଥିବା ଐତିହ୍ୟ ସ୍ମାରକୀଗୁଡ଼ିକର ରକ୍ଷଣାବେକ୍ଷଣ କରୁଛି । କିନ୍ତୁ ବାକି ଐତିହ୍ୟ ସ୍ମାରକୀଗୁଡ଼ିକ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ତେଣୁ ସ୍ମାର୍ଟ ସିଟି ପ୍ରସ୍ତାବରେ ଏହାର ବିକାଶ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଏବେ ଲାଗୁ କରାଯିବ। ଯୋଜନା ଅନୁଯାୟୀ, ପ୍ରଥମେ ଐତିହ୍ୟ ସ୍ମାରକୀଗୁଡ଼ିକୁ ସର୍ଭେ କରି ଚିହ୍ନଟ କରାଯାଇଛି । ଏହା ସମ୍ବନ୍ଧରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଜଣାଯିବ। ଏଥିପାଇଁ ବିଭିନ୍ନ ଛକରେ ତୀର ଚିହ୍ନ ମାଧ୍ୟମରେ ବାଟ ବତାଇ ଦିଆଯିବ । କେବଳ ତୀର ଚିହ୍ନ ନୁହେଁ ମ୍ୟାପ୍‌ ମାଧ୍ୟମରେ ବି ଐତିହ୍ୟ ସ୍ମାରକୀକୁ ବିଭିନ୍ନ ଦିଗରୁ ବାଟ ଦେଖାଇ ଦିଆଯିବ । ଏହାସହିତ ସ୍ମାରକୀସ୍ଥଳୀଗୁଡ଼ିକ ସଫାସୁତୁରା ରଖାଯିବ। ଆଉ ସୌନ୍ଦର୍ଯ୍ୟକରଣ କରାଯିବ ।

ଯୋଜନା ଅନୁଯାୟୀ, ପ୍ରତ୍ୟେକ ମୁଖ୍ୟ ରାସ୍ତା ଏବଂ ୯ମିଟରରୁ ଅଧିକ ଓସାର ଥିବା ରାସ୍ତାର ଟର୍ଣ୍ଣିଂ ନିକଟରେ, ଫ୍ରି ଷ୍ଟାଣ୍ଡିଂ ସାଇନେଜ୍‌ ଅର୍ଥାତ୍‌ ଗୋଟିଏ ଖୁଣ୍ଟର ଉପରି ଭାଗରେ ସ୍ଥାନ ନାମ ଲେଖାଯିବ । ବିଭିନ୍ନ ସାହିର ପ୍ରବେଶ ସ୍ଥାନ, ଆବାସିକ ଅଞ୍ଚଳ, ଜଳାଶୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବା ସ୍ଥାନଗୁଡ଼ିକରେ ଦିଗ ସୂଚନା ଦେଉଥିବା ଫ୍ରି ଷ୍ଟାଣ୍ଡିଂ ସାଇନ୍‌ ବୋର୍ଡ ଲାଗିବ । ଅଣ ଓସାରିଆ ଗଳିର କାନ୍ଥରେ (୧୦୦ରୁ ୨୦୦ମିଟର ଭିତରେ), ଗୁରୁତ୍ୱପୂର୍ଣ୍ଣ ନିର୍ମାଣ, ୯ମିଟର ଓସାରରୁ କମ୍‌ ମୁଖ୍ୟ ରାସ୍ତା କ୍ରସିଂ ନିକଟରେ କାନ୍ଥରେ ଟଙ୍ଗା ହୋଇଥିବା ସାଇନ୍‌ବୋର୍ଡ ଲାଗିବ । ଏହାସହ ଏଠାରେ ବି ପଥରରେ ଖୋଦେଇ କରି କିମ୍ବା ରଙ୍ଗରେ ଲିଖିତ ସ୍ମାରକୀ ଲଗାଯିବ । ବାଲି ପଥର, ଖଣ୍ଡେଲାଇଟ୍‌ ପଥର, ଷ୍ଟେନଲେସ୍‌ ଷ୍ଟିଲ୍‌ ପ୍ୟାନେଲ୍‌ରେ ଲିଖିତ ସାଇନ୍‌ ବୋର୍ଡ ପ୍ରତ୍ୟେକ ଐତିହ୍ୟ ସ୍ଥଳୀ ନିକଟରେ ଲାଗିବ ।

ଏଥିରେ କେବେ ଐତିହ୍ୟ କୀର୍ତ୍ତିିରାଜି ନିର୍ମାଣ ହୋଇଥିଲା, ଏହା ପଛର ଇତିହାସ ଲେଖାଯିବ। ଐତିହ୍ୟ କୀର୍ତ୍ତିରାଜିର ପ୍ରବେଶ ସ୍ଥାନରେ ଲାଟେରାଇଟ୍‌ କାନ୍ଥ, ବାଲିପଥର, ଖଣ୍ଡେଲାଇଟ୍‌ ଷ୍ଟୋନ୍‌ରେ କୀର୍ତ୍ତିରାଜିର ସବିଶେଷ ତଥ୍ୟ ଏବଂ ନିୟମାବଳୀ ରହିବ । ଏହାବସହିତ ସାଇକେଲ୍‌ ରୁଟ୍‌ ଏବଂ ପଦଯାତ୍ରା ପାଇଁ ସ୍ୱତନ୍ତ୍ର ସ୍ଥାନ ରଖାଯିବ । ପ୍ରମୁଖ କ୍ରସିଂ, ଛକ, ମନ୍ଦିର ନିକଟ, ଐତିହ୍ୟ କୀର୍ତ୍ତିରାଜି ଆଦି ସ୍ଥାନରେ ଐତିହ୍ୟ ମ୍ୟାପ୍‌ ଳାଗିବ । ଏଥିରେ ବିଭିନ୍ନ ସ୍ଥାନକୁ ରାସ୍ତା ଏବଂ ଦୂରତା ଉଲ୍ଲେଖ ରହିବ । ଯେଉଁଠି ଜାଗା କମ୍‌ ଥିବ ଏବଂ ଛୋଟ ଛକଗୁଡ଼ିକରେ ପାର୍ଟ ମ୍ୟାପ୍‌ ଲାଗିବ ବୋଲି ନିଷ୍ପତ୍ତି ହୋଇଛି ।

ଏସବୁ ବାଦ୍‌ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ୍‌ ସାଇଟସ ଆଣ୍ଡ ରିମେନ୍‌ସ ଆକ୍ଟ ଅନୁଯାୟୀ, ସମସ୍ତ ଐତିହ୍ୟ ସ୍ମାରକୀଗୁଡ଼ିକୁ ସଂରକ୍ଷିତ କରାଯିବ । ଏଥିରେ ସ୍ମାରକୀର ବଫର୍‌ ଜୋନ୍‌ ଭିତରେ କୌଣସି ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ହେବନି । ସ୍ମାରକୀର ୩୦୦ମିଟର ପରଧି ଭିତରେ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ହେବ ବୋଲି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି ।