ଭୂତ ଖାଉଛି ଭତ୍ତା ! କଟକରେ ହିତାଧିକାରୀଙ୍କ ମୃତ୍ୟୁ ପରେ ମଧ୍ୟ ଉଠୁଛି ବାର୍ଦ୍ଧକ୍ୟ ଭତ୍ତା

89

କନକ ବ୍ୟୁରୋ : ଭୂତ ଖାଉଛି ଭତା । ହିତାଧିକାରୀଙ୍କ ମୃତ୍ୟୁ ପରେ ବି ତାଙ୍କ ନାଁରେ ମଧୁବାବୁ ପେନସନ ଯୋଜନାର ଟଙ୍କା ଉଠୁଛି । ଏଭଳି ଭାବେ ସରକାରୀ ପଇସାର ହରିଲୁଟ ଚାଲିଛି । କଟକ ମହାନଗର ନିଗମର ୩୦ନମ୍ବର ୱାର୍ଡର ଦିବାକର ମୁଦୁଲିଙ୍କ ଗତବର୍ଷ ଡିସେମ୍ବର ୨୬ ତାରିଖରେ ମୃତ୍ୟୁ ହୋଇଥିଲା । ମଧୁବାବୁ ପେନସନ ଯୋଜନାରେ ଭତା ପାଉଥିବା ଦିବାକରଙ୍କ ମୃତ୍ୟୁ ପ୍ରମାଣ ପତ୍ର ମହାନଗର ନିଗମ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା । କିନ୍ତୁ ପରେ ସୂଚନା ଅଧିକାର ଜରିଆରେ ମିଳିଥିବା ସୂଚନା ଅନୁସାରେ ଜାନୁୟାରୀ ୨୦୧୭ରେ ଦିବାକରଙ୍କ ନାଁରେ ଟଙ୍କା ଉଠିଛି ।

ତେବେ ପରିବାର ଲୋକଙ୍କ ପକ୍ଷରୁ କେହି ଏହି ଟଙ୍କା ନେଇନଥିବା କହିଥିବା ବେଳେ ଦିବାକରଙ୍କ ନାଁରେ କିଏ ଟଙ୍କା ଉଠାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କଲା ପରେ ବି ହିତାଧିକାରୀ ତାଲିକାରୁ ତାଙ୍କ ନାଁକୁ କାହିଁକି ବାଦ୍ ଦିଆଗଲା ନାହିଁ । ମହାନଗର ନିଗମ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାରେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ମେୟର ।