ଆରମ୍ଭ ହେଲା ୨୦୦ ବର୍ଷ ପୁରୁଣା ଅକ୍ଟୋବରଫେଷ୍ଟ ! ବହୁଛି ବିୟରର ନଦୀ, ଏକାଠି ହେବେ ୬୦ ଲକ୍ଷ ଲୋକ

35

ଜର୍ମାନୀର ମ୍ୟୁନିଚ ସହରରେ ଦୁନିଆର ସବୁଠୁ ବଡ ବିୟର ଫେଷ୍ଟିଭାଲ ଅକ୍ଟୋବରଫେଷ୍ଟ ଆରମ୍ଭ ହୋଇଛି । ଏହା ଏମିତି ଏକ ଫେଷ୍ଟିଭାଲ ଯେଉଁଠି ଲକ୍ଷ ଲକ୍ଷ ଲିଟର ବିୟର ବଣ୍ଟା ଯାଇଥାଏ । ଏହାର ଆରମ୍ଭ ୨୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ ।

୧୨ ଅକ୍ଟୋବର ୧୮୧୦ ମସିହାରେ ପ୍ରଥମେ ଏହି ଫେଷ୍ଟିଭାଲର ଆରମ୍ଭ କରାଯାଇଥିଲା । ମ୍ୟୁନିଚର ଏହି ବିୟର ଉତ୍ସବ ଦୁନିଆର ସବୁଠୁ ବଡ ଲୋକ ଉତ୍ସବ । ଏହି ଉତ୍ସବ ୨୦୦ ବର୍ଷରୁ ଅଧିକ ବର୍ଷ ହେଲା ପାଳନ ହେଉଛି । ଆଉ ସବୁଠୁ ବଡ କଥା ହେଲା, ଏହି ଉତ୍ସବ ପାଇଁ ପ୍ରତିବର୍ଷ ୬୦ ଲକ୍ଷ ଲୋକ ଏଠାରେ ଏକାଠି ହୋଇ୍ଥାନ୍ତି । ଯେଉଁଠାରେ ଲୋକମାନଙ୍କ ପାଇଁ ବିୟରର ବନ୍ୟା କରାଯାଇଥାଏ ।

ଚଳିତବର୍ଷ ୧୮୫ତମ ଅକ୍ଟୋବରଫେଷ୍ଟ ପାଳନ କରାଯାଉଛି । ଏହି ବିୟର ଫେଷ୍ଟିଭାଲର ଦ୍ୱିତୀୟ ଦିନ ଲୋକମାନେ ପାରମ୍ପରିକ ପୋଷାକ ପିନ୍ଧିବା ସହ ରାଇଫଲମ୍ୟାନ ପରେଡରେ ଭାଗ ନେଇଥାନ୍ତି । ୧୬ ଦିନ ଧରି ଚାଲିବାକୁ ଥିବା ଏହି ଫେଷ୍ଟିଭାଲର ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ । ୧୮୧୦ ମସିହାରେ ରାଜକୁମାର ଲୁଡୱିଗ ଓ ସ୍ୟାକସୋନି ଥେରେସେ ହିଲ୍ଡବୁର୍ଗହାଉଜନଙ୍କର ବିବାହ ହୋଇଥିଲା । ସେବେଠାରୁ ଏହି ଫେଷ୍ଟିଭାଲ ପାଳନ ହୋଇ ଆସୁଛି । ଏହି ଫେଷ୍ଟିଭାଲରେ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗ ନେଇଥାନ୍ତି । ଯେଉଁଠାରେ ସମସ୍ତେ ନିଜ ମନ ପସନ୍ଦର ବିୟର ପିଇବା ସୁସ୍ୱାଦୁ ଖାଦ୍ୟର ମଜା ନେଇଥାନ୍ତି । ପୂର୍ବରୁ ଏହା ଅକ୍ଟୋବର ମାସରେ ପାଳନ କରାଯାଉଥିବାରୁ ଏହାର ନାଁ ଅକ୍ଟୋବରଫେଷ୍ଟ ରଖାଯାଇଛି ।କିନ୍ତୁ ଏବେ ଅକ୍ଟୋବର ମାସରେ ଥଣ୍ଡା ପଡୁଥିବାରୁ ଏହାର ଆରମ୍ଭ ସେପ୍ଟେମ୍ବର ମାସରେ କରାଯାଉଛି ।