ଚିଲିକାରେ ଧିରେ ଧିରେ ବୁଡୁଛି ମାଲେସିଆ ଜାହାଜ । ତେଲ କାଢିବାକୁ ଚାଲିଛି ପ୍ରୟାସ, ପାଣି ଭିତରେ ଜାହାଜର ସ୍ଥିତି ପରଖିଲା କନକ ନ୍ୟୁଜ୍ ।

697

କନକ ବ୍ୟୁରୋ : ଚିଲିକା ନିକଟ ସମୁଦ୍ରରେ ଫସିରହିଥିବା ମାଲେସିଆ ଜାହାଜର କଂଟେନର ଧିରେ ଧିରେ ପାଣି ଭିତରେ ବୁଡିବାକୁ ଲାଗିଛି । ସେପଟେ ଜାହାଜ ମଧ୍ୟ ଢେଉ ମାଡରେ ଦୋହଲୁଛି ଏବଂ ଗୋଟିଏ ପାଖକୁ ଢଳି ରହିଛି । ଏହାରି ଭିତରେ ଆଜି ଜାହାଜରୁ ତେଲ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ଦିନ ଭିତରେ ଜାହାଜରେ ଥିବା ୩୦ ହଜାର ଲିଟର ଡିଜେଲ ସହ ଅନ୍ୟ ତେଲକୁ ବାହାର କରାଯିବ । ପୁରା ସ୍ଥିତି ଦେଖିବା ପାଇଁ ଚିିଲିକା ରାଜହଂସ ନିକଟରେ ପହଁଚିଥିଲା କନକ ନ୍ୟୁଜ୍ କ୍ୟାମେରା ଟିମ୍ । ଆସନ୍ତୁ ଜାଣିବା କେମିତି ରହିଛି ମାଲେସିଆ ଜାହାଜର ସ୍ଥିତି ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ରାଜହଂସରେ ଫସି ରହିଥିବା ମାଲେସିଆ ଜାହାଜର କଂଟେନର ଧିରେ ଧିରେ ବୁଡିବା ଆରମ୍ଭ କଲାଣି । ଢେଉ ମାଡରେ କଂଟେନରର ଗୋଟିଏ ପାଖ ଢଳିପଡିଛି । ଅନ୍ୟପଟେ ଲଗାତର ପାଣି ପଶିବାରେ ଲାଗିଛି । ମୁହାଣ ଠାରୁ ଦୂରକୁ ପଳାଇଛି କଂଟେନରଟି । ଯେଉଁଭଳି ଭାବେ କଂଟେନରରେ ପାଣି ପଶୁଛି, ତାହା ଅତିଶୀଘ୍ର ସମ୍ପୂର୍ଣ୍ଣ ବୁଡିଯିବା ଆଶଙ୍କା ଉପୁଜିଛି ।

କଂଟେନରର ଦେଢକିଲୋମିଟର ଦୂରରେ ରହିଛି ଜାହାଜର ଇଂଜିନ । କୂଳରେ ଲାଗିଥିଲେ ମଧ୍ୟ, ଢେଉ ମାଡରେ ଦୋହଲୁଛି । ତିନିଟି ଦଉଡିରେ ଜାହାଜକୁ ଗଛ ସହ ବାନ୍ଧି ରଖାଯାଇଛି । ଯେଉଁଥିରୁ ଦୁଇଟି ଛିଣ୍ଡିଗଲାଣି । ଆଉ ଗୋଟିଏ ଦଉଡି ଭରସାରେ ରହିଛି ଜାହାଜଟି । ତେବେ ପବନ ଓ ଢେଉ ମାଡରେ ଜାହାଜ ବି ଗୋଟିଏ ପାଖକୁ ଢଳିବାରେ ଲାଗିଛି ।

ତେବେ ବଡ କଥା ହେଉଛି, ଜାହାଜରୁ ତେଲ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମୋଟର ଲଗାଯାଇ ବଡ ବଡ ପାଇପ ଦ୍ୱାରା ଜାହାଜର ତେଲକୁ ଜଙ୍ଗଲରେ ରଖାଯାଇଥିବା କଂଟେନରରେ ଭର୍ତି କରାଯିବ । ୭ ଜଣ କର୍ମଚାରୀ ତେଲ ନିଷ୍କାସନ କାମରେ ଲାଗିଥିବା ବେଳେ ଦୁଇ-ତିନି ଦିନ ଭିତରେ ତେଲ ନିଷ୍କାସନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି ।

ଜାହାଜରେ ପ୍ରାୟ ୩୦ ହଜାର ଲିଟର ଡିଜେଲ୍ ଏବଂ ୨ ହଜାର ଲିଟର ଲ୍ୟୁବ ଅଏଲ ଏବଂ ୧୦୦ ଲିଟର ହାଇଡ୍ରୋଲିକ୍ ଅଏଲ ରହିଛି । ଜାହାଜରୁ ତେଲ ଲିକ୍ ହୋଇ ଚିଲିକାର ଜୈବ ବିବିଧତା ପ୍ରତି ବଡ ଧରଣର ବିପଦ ରହିଥିବା ବେଳେ  ତେଲ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ୍ ରହିବ, କଂଟେନରକୁ ପାଣିରୁ ବାହାର କରିବା । କାରଣ ସମୁଦ୍ର ପାଣି ପଶିଯିବାରୁ ଧିରେ ଧିରେ ବୁଡିବାକୁ ବସିଲାଣି ଜାହାଜର କଂଟେନର ।