ବଢ଼ିଲା ଭାରତର ତେଲ ଚିନ୍ତା : ସାଉଦି ଆରବକୁ ଧମକ ଦେଲା ଆମେରିକା,ୱାଂଶିଟନ୍ ପୋଷ୍ଟ ସାମ୍ବାଦିକ ନିଖୋଜ ଘଟଣାରେ ଟ୍ରମ୍ପ ଓ ସାଉଦି ଶାସକ ମୁହାଁମୁହିଁ

49

କନକ ବ୍ୟୁରୋ : ଭାରତ ପାଇଁ ତେଲ ଚିନ୍ତା ବଢ଼ିଯାଇଛି । ଇରାନ ପରେ ସାଉଦି ଆରବ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କ ଖରାପ ହେଉଥିବାରୁ ଭାରତର ଏହି ଚିନ୍ତା ବଢ଼ିବାରେ ଲାଗିଛି । ୱସିଂଟନ ପୋଷ୍ଟ ପାଇଁ ଲେଖାଲେଖି କରୁଥିବା କମାଲ ଖାସୋଗି ନାମକ ସାମ୍ବାଦିକ ନିଖୋଜ ହେବା ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସାଉଦି ଆରବର ଶାସକ ମହମ୍ମଦ ବିନ୍ ସଲମାନ ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଛନ୍ତି ।

ସାମ୍ବାଦିକ ଖାସୋଗିଙ୍କୁ ଯଦି ସାଉଦି ସରକାରଙ୍କ ପକ୍ଷରୁ ହତ୍ୟା କରାଯାଇଥାଏ, ତାହେଲେ ଏହି ଦେଶ ବିରୋଧରେ ନିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି । ତେବେ ଏହି ଧମକରେ ଡରି ନଯାଇ ସାଉଦି ଶାସକ ମଧ୍ୟ ଏହାର କଡା ଜବାବ ଦେଇଛନ୍ତି । ତାଙ୍କ ଦେଶ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ତାହେଲେ ତାଙ୍କ ପକ୍ଷରୁ ମଧ୍ୟ ତାଠାରୁ ବଡ ଧରଣର ଯଦିବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଲମାନ କହିଛନ୍ତି ।

ଆମେରିକା ଓ ସାଉଦିଆରବ ମଧ୍ୟରେ ସମ୍ପର୍କ ଖରାପ ହେବା ଏବେ ଭାରତ ପାଇଁ ବଡ ଚିନ୍ତାର କାରଣ ପାଲଟିଛି । ସାଉଦି ଆରବ ବିଶ୍ୱର ଏକ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ । ଇରାନରୁ ବିଶ୍ୱ ସମୁଦାୟ ତେଲ କ୍ରୟ ବନ୍ଦ୍ କରିଲେ ମଧ୍ୟ ସାଉଦି ଆରବ ଓ ଋଷିଆ ସେମାନଙ୍କ ତୈଳ ଉତ୍ପାଦନ ବୃଦ୍ଧି କରି ଏହାକୁ ଭରଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହି ଆଶା ଏବେ ମଉଳିବାରେ ଲାଗିଛି । ତେଣୁ ଆଗକୁ ତେଲ ସଙ୍କଟ ସୃ୍ଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ତେଲ ସଙ୍କଟ ସୃଷ୍ଟି ହେଲେ ଏହାର କିପରି ମୁକାବିଲା କରାଯିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ମୋଦି ଦେଶବିଦେଶର ତେଲ କମ୍ପାନୀ ସିଇଓମାନଙ୍କ ସହିତ ଆଲୋଚନା କରିବେ । ବିଶେଷ କରି ଆମେରିକାର କଟକଣା ଲାଗୁ ହେବା ପରେ ଏହାର ପ୍ରଭାବ କଣ ରହିବ ତାହା ଉପରେ ମୁଖ୍ୟତଃ ଆଲୋଚନା ହେବ ।