ସୀମା ଟପିଲେ ଶସ୍ତା ତେଲ । ଲାଭ ଖାଉଛି ପଡୋଶୀ, ରାଜସ୍ୱ ହରାଉଛି ଓଡିଶା ।

ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ପେଟ୍ରୋଲ ପମ୍ପରେ ତେଲ ପକାଉଛନ୍ତି କୋରାପୁଟର ଗାଡି

467

କନକ ବ୍ୟୁରୋ: ସୀମା ଟପିଲେ ଶସ୍ତା ତେଲ । ଫଳରେ ରାଜ୍ୟର ସମାନ୍ତବର୍ତ୍ତୀ ସହରର ପେଟ୍ରୋଲ ପମ୍ପରେ ବେପାର ମାନ୍ଦାବସ୍ଥା ଦେଖିବାକୁ ମିଳିଛି । କୋରାପୁଟର ପେଟ୍ରୋଲ ପମ୍ପରେ କେବଳ ବାଇକ୍ ଗୁଡିକ ତେଲ ପକାଉଥିବା ବେଳେ ପାଡିଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରରେ ତେଲ ପକାଉଛନ୍ତି ଜିଲ୍ଲାର ଭାର ଯାନ । କାରଣ ଜୟପୁର ଅପେକ୍ଷା ସେଠାରେ ତେଲ ଦର ପ୍ରାୟ ୩ ଟଙ୍କା ୫୦ ପଇସାରୁ କମ୍ ରହୁଛି । ତେଣୁ ସମୀବର୍ତି ଅଂଚଳରେ ଚଳାଚଳ କରୁଥିବା ବସ ଟ୍ରକ ପଡୋଶୀ ରାଜ୍ୟରେ ତେଲ ପକାଉଛନ୍ତି । ଆଉ ଏଥିରୁ ପଡୋଶୀ ରାଜ୍ୟ ଲାଭ ପାଉଥିବା ବେଳେ ରାଜସ୍ୱ ହରାଉଛି ଓଡ଼ିଶା ।

ଓଡ଼ିଶା ଗାଡିରେ ଆନ୍ଧ୍ର, ଛତିଶଗଡ଼ର ତେଲ । କୋରାପୁଟ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଆଉ ଦେଖିବାକୁ ଗାଡ଼ି ମଟରର ଲମ୍ବା ଧାଡ଼ି । ଜିଲ୍ଳାର ସମସ୍ତ ପେଟ୍ରୋଲ ପମ୍ପ ଏବେ ଖାଁ ଖାଁ । କାଁଭାଁ କେତେକ ୨ ଚକିଆ ଯାନକୁ ଛାଡ଼ିଦେଲେ ବଡ଼ ଗାଡ଼ି ପଟ୍ରୋଲ ପମ୍ପ ବାଟ ଦେଇ ଯାଉଛି କିନ୍ତୁ ତେଲ ପକାଉ ନାହାନ୍ତି । ଫଳରେ ପେଟ୍ରୋଲ ପମ୍ପର ବ୍ୟବସାୟ ୧୦୦ରୁ ୧୦ ପ୍ରତିଶତକୁ ଖସି ଆସିଛି । ଏଭଳି ଅଚଳାବସ୍ତା ଲାଗିରହିଲେ ଆଗାମୀ ଦିନରେ ପେଟ୍ରୋଲ ପମ୍ପ ରେ ତାଲା ପଡ଼ିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି ପମ୍ପ ମାଲିକ ସଂଘ କହିଛନ୍ତି ।

 

ହୁ ହୁ ହୋଇ ତେଲ ଦର ବୃଦ୍ଧି ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ଅପେକ୍ଷା ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଛତିସଗଡ଼ରେ କମ୍ ଦରରେ ତେଲ ମିଳୁଛି । ତେଣୁ କୋରାପୁଟ ଜିଲ୍ଳା ସୀମାରେ ଚଳାଚଳ କରୁଥିବା ସମସ୍ତ ଭାରୀଯାନ, ଟ୍ରକ ଓ ବସ ଛତିସଗଡ଼ର ଜଗଦଲପୁର ଓ ଆନ୍ଧ୍ରର ସାଲୁରରେ ତେଲ ପକାଉଛନ୍ତି । ଜୟପୁର ତେଲ ଦର ଠାରୁ ସେଠାରେ ଲିଟର ପିଛା ପ୍ରାୟ ୩ ଟଙ୍କା ୫୦ ପଇସା କମ୍ ରହିଛି । ଟ୍ରକ ଓ ବସ୍ରେ ଏକାଥରେ ୧୦୦ରୁ ୨୦୦ ଲିଟର ତେଲ ପଡୁଥିବାରୁ ପଡ଼ୋଶୀ ରାଜ୍ୟରେ ତେଲ ପକାଇଲେ ଓଡିଶା ଅପେକ୍ଷା ୩ରୁ ୪ ହଜାର ଟଙ୍କା କମ୍ ଖର୍ଚ ହେଉଥିବା କହିଛନ୍ତି ଗାଡ଼ି ଚାଳକ ।

ଏବେ ନଜର ପକାନ୍ତୁ ଏହି ୩ଟି ରାଜ୍ୟର ତେଲ ଦର ଉପରେ…

ଓଡିଶାର ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୪୪ ପଇସା ଥିବା ବେଳେ ଛତିଶଗଡ ଜଗଦଲପୁର ଜିଲ୍ଲାରେ ୭୯ ଟଙ୍କା ୧ ପଇସା ରହିଛି । ସେହିପରି ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଆଜିର ପେଟ୍ରୋଲ ଦର ୮୨ଟଙ୍କା ୯୯ପଇସା ରହିଛି । ଏବେ ନଜର ପକାନ୍ତୁ ଏହି ୩ଟି ରାଜ୍ୟ ଡିଜେଲ ଦର ଉପରେ । ଜୟପୁରରେ ଡିଜେଲ ଲିଟର ପିଛା ୮୨ଟଙ୍କା ୪୩ ପଇସା, ଛତିଶଗଡ ଜଗଦଲପୁରରେ ୭୮ଟଙ୍କା ୮୭ ପଇସା ଓ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ରେ ଡିଜେଲ ୭୮ ଟଙ୍କା ୭୧ ପଇସାରେ ବିକ୍ରି ହେଉଛି ।