ଠକେଇ ରୋକିବାକୁ ପେଟ୍ରୋଲ ପମ୍ପରେ ଲାଗିବ ଅତ୍ୟାଧୁନିକ ମେସିନ୍‌

30

କନକ ବ୍ୟୁରୋ: ପେଟ୍ରୋଲ ପମ୍ପ୍ ଏବଂ ଗ୍ୟାସ୍ ଷ୍ଟେସନ୍ ଗୁଡ଼ିକରେ ହେଉଥିବା ଠକେଇକୁ ରୋକିବା ପାଇଁ ତୈଳ ବିପଣନ କମ୍ପାନି ଗୁଡ଼ିକ ନୂଆ ଅତ୍ୟାଧୁନିକ ମେସିନ୍ ସ୍ଥାପନ କରିବେ । ଏହି ମେସିନ୍ ସ୍ଥାପନ ପାଇଁ ତୈଳ ବିପଣନ କମ୍ପାନି ଗୁଡ଼ିକ ରାଜି ହୋଇଛନ୍ତି । କିନ୍ତୁ କେବେ ସୁଦ୍ଧା ଏହି ମେସିନ୍ ସ୍ଥାପନ ହେବ ସେ ନେଇ ନିଷ୍ପତ୍ତି ଆସନ୍ତା ସପ୍ତାହ ସୁଦ୍ଧା ନିଆଯିବ ।

ଏବେ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଷ୍ଟେସନ୍ ଗୁଡ଼ିକରେ ଉପକରଣ ଲଗାଯାଇଛି । କିନ୍ତୁ ସେଗୁଡ଼ିକୁ ଏପଟସେପଟ କରାଯାଇ ପାରିବାର ଆଶଙ୍କା ରହିଛି । ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଷ୍ଟେସନଗୁଡ଼ିକରେ ଜାଲିଆତି ବୃଦ୍ଧି ପାଉଥିବାରୁ ପୁରୁଣା ମେସିନ୍ ବଦଳରେ ନୂଆ ମେସିନ ଲଗାଯିବ । ତୈଳ ବିପଣନ କମ୍ପାନି ଗୁଡ଼ିକ ଏ ନେଇ ରାଜି ଅଛନ୍ତି ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି । ତିନି ପ୍ରକାର ଉପକରଣ ଯଥା ଇଲେକ୍ଟ୍ରୋନିକ୍ ଫ୍ଲୋ ମିଟର, ଜାଲିଆତି ନିରୋଧକ ଇଲେକଟ୍ରୋନିକ୍ସ ସିଲ୍ ଏବଂ ପଲସର୍ ଲଗାଇବା ନେଇ ଲିଗାଲ ମେଟ୍ରୋଲୋଜି ବିଭାଗ ପକ୍ଷରୁ ପରୀକ୍ଷା ନିରୀକ୍ଷା ହୋଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ବିଭାଗ ପକ୍ଷରୁ ଇଲେକ୍ଟ୍ରୋନିକ୍ ଫ୍ଲୋ ମିଟର ସଂଗ୍ରହ ନେଇ ଟେଣ୍ଡର ଆହ୍ଵାନ କରାଯାଇଛି । ଅନ୍ୟ ଦୁଇଟି ଉପକରଣ ସଂଗ୍ରହ ଲାଗି ଖୁବ୍ ଶୀଘ୍ର ଟେଣ୍ଡର ଡକାଯିବ ବୋଲି ସେ କହିଛନ୍ତି । ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ତୈଳ ବିପଣନ କମ୍ପାନି ଗୁଡ଼ିକ ସହିତ ଦୁଇମାସ ଧରି ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।