ବାହା ହେବେ ରାଜ୍ୟର ଏକମାତ୍ର କିନ୍ନର ଅଫିସର ଐଶ୍ୱର୍ଯ୍ୟା ! ସମଲିଙ୍କି ସଂପର୍କ ଅପରାଧ ମୁକ୍ତ ହେବା ପରେ ବୈବାହିକ ଜୀବନ ବିତାଇବାକୁ ନିଷ୍ପତି ।

51

କନକ ବ୍ୟୁରୋ : ବିବାହ କରିବେ ରାଜ୍ୟର ଏକମାତ୍ର କିନ୍ନର ଅଫିସର ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା । ସୁପ୍ରିମକୋର୍ଟ ସମଲୀଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କହିବା ପରେ ବିବାହ କରି ସଂସାର ଗଢିବାକୁ ଅଂଟା ଭିଡିଛନ୍ତି ରାଜ୍ୟର ପ୍ରଥମ ଓ ଏକମାତ୍ର ଓଏଫଏସ୍ ପାଇଥିବା କିନ୍ନର ଐଶ୍ୱର୍ଯ୍ୟା । ଦୀର୍ଘଦିନ ଧରି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଛନ୍ତି ଐଶ୍ୱର୍ଯ୍ୟା । ଏବେ ଏହି ସମ୍ପର୍କକୁ ଆଇନର ମୋହର ମାରିବା ସହ ପୋଶ୍ୟ କନ୍ୟା ଗ୍ରହଣ କରିବା ପାଇଁ ସେ ସ୍ଥିର କରିଛନ୍ତି ।

ପାରାଦୀପରେ ଉପ-ବାଣିଜ୍ୟକର ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବାଣିଜ୍ୟ କର ଅଧିକାରୀଭାବେ କାର୍ଯ୍ୟ କରୁଛନ୍ତି ଐଶ୍ୱର୍ଯ୍ୟା । ପୁରୁଷ ବନ୍ଧୁଙ୍କ ନାଁ ଗୋପନ ରଖିଥିବା ବେଳେ ବିବାହ କରି ଏକ ପୋଷ୍ୟ କନ୍ୟା ଗ୍ରହଣ କରିବେ ବୋଲି ସେ ନିଷ୍ପତି ନେଇଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ଘର କନ୍ଧମାଳ ଜିଲ୍ଲା ଜି ଉଦୟଗିରୀ ବ୍ଲକର କନକଗୋରୀ ଗ୍ରାମରେ । ବାପା ମାଆଙ୍କର ୪ ସନ୍ତାନ ମଧ୍ୟରୁ ଐଶ୍ୱର୍ଯ୍ୟା ମଝିଆ ସନ୍ତାନ । ପାଠପଢାରୁ ଚାକିରି ପର୍ଯ୍ୟନ୍ତ ସେ ରତିକାନ୍ତ ପ୍ରଧାନ ନାମରେ ପରିଚିତ ଥିଲେ । ହେଲେ ୨୦୧୪ରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିବା ପରେ ସେ ଲିଙ୍ଗ ପରିବର୍ତନ କରି ରତିକାନ୍ତ ପ୍ରଧାନରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ନାମରେ ପରିଚିତ ହୋଇଥିଲେ । ମହିଳାଙ୍କ ପରି ପୋଷାକ ପରିଧାନ କରି ସାରରୁ ମ୍ୟାଡାମ୍ ବନି ଯାଇଛନ୍ତି ସେ । ଏହାପରେ ପରିବାର ଲୋକ ତାଙ୍କ ଠାରୁ ସବୁ ସଂପର୍କ କାଟି ଦେଇଛନ୍ତି । ତେବେ ତାଙ୍କର ବିବାହ ନିଷ୍ପତିକୁ ସ୍ୱାଗତ କରିଛନ୍ତି ପାରାଦୀପବାସୀ ।

ଆଇପିସିର ଧାରା ୩୭୭କୁ ଖାରଜ କରି ସମଲିଙ୍ଗି ସଂପର୍କକୁ ଅପରାଧ ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ସମସ୍ତଙ୍କର ସମ୍ମାନର ସହ ବଂଚିବାର ଅଧିକାର ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ ଟିପ୍ପଣୀ ଦେଇଛନ୍ତି । ତେବେ ସମଲିଙ୍ଗି ବିବାହକୁ ଏପର୍ଯ୍ୟନ୍ତ ମିଳିନାହିଁ ଆଇନର ସ୍ୱୀକୃତି । ଏଭଳି ସ୍ଥିତିରେ ବିବାହ ନିଷ୍ପତି ନେଇ ଆଉ ଏକ ନ୍ୟାୟିକ ସଂଗ୍ରାମ ଲଢ଼ିବାକୁ ଯାଉଛନ୍ତି ଐଶ୍ୱର୍ଯ୍ୟା ।