ମାଓବାଦୀଙ୍କୁ ଚକମା ଦେଇ ପୋଲିଂ ବାକ୍ସ ସହ ରାତିସାରା ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଂଚିଲେ ନିର୍ବାଚନ କର୍ମଚାରୀ । ମରଣ ମୁହଁରୁ ଫେରି ସ୍ମୃତି ବଖାଣିଲେ ପୁଲିଂ ଅଫିସର

ମାଓବାଦୀଙ୍କୁ ବୋକା ବନାଇ ଅନ୍ଧାର ରାତିରେ ପାହାଡିଆ ରାସ୍ତାରେ ଚାଲିଲେ ୧୫ କିଲୋମିଟର; ମୁଣ୍ଡରେ ଇଭିଏମ ଧରି ଫେରିବା ପରେ ଚାରିଆଡେ ଚର୍ଚ୍ଚା

421

କନକ ବ୍ୟୁରୋ: ଗଣତନ୍ତ୍ରର ସୈନିକଙ୍କୁ ସଲାମ । ମାଓବାଦୀଙ୍କୁ ଚକମା ଦେଇ ପୋଲିଂ ବାକ୍ସ ସହ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଲେ ନିର୍ବାଚନ କର୍ମଚାରୀ । ମାଲକାନଗିରି ବଣ୍ଡାଘାଟିରେ ଘନ ଅନ୍ଧାର ରାତିରେ ମୁଣ୍ଡରେ ପୋଲିଂ ବାକ୍ସ ବୋହି ୧୫ କିଲୋମିଟର ପାହାଡିଆ ରାସ୍ତା ଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଂଚଥିଲେ ୩୬ ଜଣ ପୋଲିଂ କର୍ମଚାରୀ । ଯାହାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ । ଯଦିଓ ସେମାନଙ୍କୁ ରାସ୍ତା କଢେଇ ନେଉଥିଲେ ସୁରକ୍ଷା ବାହିନୀ । ତଥାପି ପାଦେ ପାଦେ ଥାଏ ମାଓବାଦୀଙ୍କ ଡର, ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଭୟ ।

ଗତ ୧୧ ତାରିଖ ଦିନ ମାଲକାନଗିରି ମୁଦୁଲିପଡାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଭୋଟିଂ ପାଇଁ ପୋଲିଂ କର୍ମଚାରୀଙ୍କୁ ଏକ ବୋଲେରୋ ଗାଡି ଯୋଗେ ମୁଦୁଲିପଡା ପହଂଚିଥିଲେ । ଭୋଟିଂ ସରିବା ପରେ ପୋଲିଂ ପାର୍ଟି ପୁଣି ସେହି ଗାଡିରେ ଫେରିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଆଶଙ୍କା କରି ଫେରିବା ପାଇଁ ମନା କରିଥିଲେ ସୁରକ୍ଷା କର୍ମୀ । ତେଣୁ ୪ଟାରେ ମତଦାନ ସରିବା ପରେ ପୋଲିଂ ପାର୍ଟି ଫେରିନଥିଲେ । ସଂଧ୍ୟା ହେବା ପରେ ମତଦାନ କେନ୍ଦ୍ରରୁ ବାହାରି ଘଂଚ ଜଙ୍ଗଲ ଭିତରେ ଚାଲିଚାଲି ଜିଲ୍ଲାପାଳ ଅଭିମୁଖେ ବାହାରିଥିଲେ ୩୬ ଜଣ ପୋଲିଂ କର୍ମଚାରୀ । ଆଉ ସେମାନଙ୍କୁ ସୁରକ୍ଷିତ ଭାବେ ବାଟ କଢେଇ ନେଇଥିଲେ ଏସଓଜି ଯବାନ ।

ଅନ୍ୟପକ୍ଷରେ, ମାଓବାଦୀଙ୍କ ଭୟରେ ଇଭିଏମ ଧରି ପାହାଡି ରାସ୍ତା ଚାଲିବା ସମୟର ସ୍ମୃତି କହିଛନ୍ତି ଜଣେ ପୋଲିଂ କର୍ମଚାରୀ । ସଂଧ୍ୟାରୁ ଇଭିଏମକୁ ସୁରକ୍ଷିତ ଭାବେ ଧରି ଜଙ୍ଗଲ ରାସ୍ତାରେ ଚାଲିବା ବେଳେ ଅନେକ କଷ୍ଟ ସହିବାକୁ ପଡିଛି । ଏମିତିକି ୪ରୁ ୫ ଜଣ ବୟସ୍କ ପୋଲିଂ ଅଧିକାରୀ ରାସ୍ତାରେ ପଡିଯାଇଥିଲେ । ରାତି ବଢିବାରୁ ପାହାଡ ଉପରୁ ଓହ୍ଲାଇବା ସହଜ ନଥିଲା, ତେଣୁ ରାତି ତମାମ୍ ୨ ହଜାର ଫୁଟ ପାହାଡ ଉପରେ ରହିବାକୁ ପଡିଥିଲା । ସାଥିରେ ଥିଲେ ଏସଓଜି ଯବାନ, ପାଖରେ କିଛି ଖାଇବାକୁ ନଥାଏ । ଏସଓଜି ଯବାନମାନେ ସେମାନଙ୍କ ଖାଦ୍ୟରୁ କିଛି ବିସ୍କୁଟ ଖାଇବାକୁ ଦେଇଥିଲେ ।

ପୋଲିଂ କର୍ମଚାରୀଙ୍କ ବ୍ୟାଗ୍ ସବୁ ଗାଡିରେ ରହିଯାଇଥିବାରୁ ପିଇବା ପାଇଁ ପାଣି ମୁନ୍ଦେ ବି ନଥିଲା । ଏସଓଜି ଯବାନ ନିଜ ପାଇଁ ରଖିଥିବା ପାଣି ଗଣତନ୍ତ୍ର ଏହି ବାହଦୂରମାନଙ୍କୁ ଦେଇଥିଲେ । ପୋଲିଂ କର୍ମାଚାରୀଙ୍କ କହିବା ଅନୁସାରେ ପାହାଡ ଉପରେ ରାତି କାଟୁଥିବା ବେଳେ ପାହାଡ ତଳେ ମାଓବାଦୀଙ୍କ ଗତିବିଧି ଅନୁମାନ କରିଥିଲେ ସୁରକ୍ଷା ବାହିନୀ । ରାତି ପାହିବା କ୍ଷଣି ପୁଣି ପାହାଡ ଉପରେ ପଦଯାତ୍ରା ଆରମ୍ଭ ହୋଇଯାଇଥିଲା । ଏମିତି ଗୋଟିଏ ପରେ ଗୋଟିଏ କରି ୪ଟିି ପାହାଡ ଅତିକ୍ରମ କରିବା ପରେ ମୁଦୁଲିପଡାରୁ ଖବରିପୁଟରେ ପହଂଚିଥିଲେ ପୋଲିଂ କର୍ମଚାରୀ ।