ଗଣତନ୍ତ୍ରର ଜାଗ୍ରତ ସୈନିକଙ୍କୁ ସଲାମ ! ବଣ୍ଡା ଘାଟିରେ ମାଓବାଦୀଙ୍କୁ ବୋକା ବନାଇ ଅନ୍ଧାର ରାତିରେ ଇଭିଏମ ସହ ସୁରକ୍ଷିତ ଫେରିଲେ ପୋଲିଂ ଅଫିସର । 

102

କନକ ବ୍ୟୁରୋ : ଗଣତନ୍ତ୍ରର ସୈନିକଙ୍କୁ ସଲାମ । ମାଓବାଦୀଙ୍କୁ ଚକମା ଦେଇ ପୋଲିଂ ବାକ୍ସ ସହ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଲେ ନିର୍ବାଚନ କର୍ମଚାରୀ । ମାଲକାନଗିରି ବଣ୍ଡାଘାଟିରେ ଘନ ଅନ୍ଧାର ରାତିରେ ମୁଣ୍ଡରେ ପୋଲିଂ ବାକ୍ସ ବୋହି ୧୫ କିଲୋମିଟର ପାହାଡିଆ ରାସ୍ତା ଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ୩୬ ଜଣ ପୋଲିଂ କର୍ମଚାରୀ । ଯାହାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ ।

ରାଜନୈତିକ ସମ୍ବେଦନଶୀଳ ସ୍ଥାନରେ ଜଣେ ସରକାରୀ କର୍ମଚାରୀ କିଭଳି ସ୍ୱଚ୍ଛ ଓ ନିରପେକ୍ଷ ମତଦାନ କରାଇଥିଲେ ତାହାରି କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ନିଉଟନ । ତେବେ ତାହା ଫିଲ୍ମର ଦୃଶ୍ୟ ହୋଇଥିବା ବେଳେ ସେଭଳି ବାସ୍ତବ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ମାଓ ଅଧ୍ୟୁଷିତ ବଣ୍ଡାଘାଟିରେ ୬ଟି ବୁଥର ପୋଲିଂ କର୍ମଚାରୀ ମତଦାନ ସରିବା ପରେ ଫେରିବା ବେଳେ ପ୍ରଶାସନ ମାଓ ଗତିବିଧି ବଢିଥିବା ନେଇ ସୂଚନା ଦେଇଥିଲେ । ଫଳରେ ଚିନ୍ତାରେ ପଡିଯାଇଥିଲେ କର୍ମଚାରୀ ।

ମନରେ ଥିଲା ମାଓବାଦୀଙ୍କ ଭୟ । ହାତରେ ଇଭିଏମ । ମନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂକଳ୍ପ । ସୁରକ୍ଷିତ ଭାବେ ଫେରିବା ପାଇଁ ପାହାଡି ରାସ୍ତାରେ ଚାଲିଥିଲେ ସମସ୍ତ ପୋଲିଂ ପାର୍ଟି । ସାଙ୍ଗରେ ଥିଲେ କେତେ ଜଣ ସୁରକ୍ଷା କର୍ମୀ । ପ୍ରାୟ ୫ କିଲୋମିଟର ବାଟ ପରେ ଅନ୍ଧାର ହେବାରୁ ପାହାଡ ଉପରେ ରହିବାକୁ ବାଧ୍ୟ ହୋଇଥିଲେ ସେମାନେ । ମୁଦୁଲିପଡା ଘାଟିରେ ପାଲ ପକାଇ ରାତି କଟାଇଥିଲେ ପୋଲିଂ କର୍ମଚାରୀ । ରାତିଅଧରେ ବର୍ଷା ଫଳରେ ଜରିପାଲ ତଳେ ପ୍ରାୟ ୪୦ ଜଣ ମହାକଷ୍ଟରେ ରାତି ବିତାଇଥିଲେ ।

ସକାଳ ହେଉ ହେଉ ଘଂଚ ଜଙ୍ଗଲ ଭିତରେ ପ୍ରାୟ ୧୫ କିଲୋମିଟର ବାଟ ଅତିକ୍ରମ କରି ମାଲକାନଗିରି ମୁଖ୍ୟାଳୟରେ ପହଁଚିଥିଲେ ନିର୍ବାଚନ ଦାୟିତ୍ୱରେ ଥିବା ଏହି ସମସ୍ତ କର୍ମଚାରୀ । ମାଓ ଭୟ, ଅନ୍ଧାର ବର୍ଷା ରାତି କାହାରିକୁ ଖାତିର ନକରି ଦୃଢ ମନୋବଳର ପ୍ରମାଣ ଦେଇଛନ୍ତି ସେମାନେ । ମହାକଷ୍ଟରେ ଦିନେ କଟାଇବା ପରେ କର୍ମଚାରୀମାନେ ସୁରକ୍ଷିତ ଭାବେ ଇଭିଏମ ପହଁଚାଇଥିଲେ ।