ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚେତିଲା କୋରାପୁଟ ଜିଲ୍ଲା ପ୍ରଶାସନ : କୋଟିଆର ସ୍ଥିତି ଅନୁଧ୍ୟାନ କଲା ଉଚ୍ଚସ୍ତରୀୟ ଟିମ

35

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ କୋଟିଆ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଟିଆ ପଞ୍ଚାୟତ ସଦର ମହକୁମାରେ ଥାନା, ମେଡିକାଲ ଓ ହାଇସ୍କୁଲ ନିର୍ମାଣ ନେଇ ଜାଗା ଚିହ୍ନଟ କରିଛନ୍ତି । ଏହା ସହ ସରକାରୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ମଧ୍ୟ ଅନୁଧ୍ୟାନ କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି । ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଲାଗିରହିଛି । ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ଉଦ୍ୟମ କରୁଛି ।

ଗତ ଜାନୁଆରି ମାସରୁ ଆନ୍ଧ୍ରର ଉତ୍ପାତ ବଢୁଥିଲା ବେଳେ ଏବେ ପୁଣି କୋଟିଆରେ ବିକାଶ ମୂଳକ କାମ ଆରମ୍ଭ କରିଛି । ଏଥିନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜିଲ୍ଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ, ପଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ. ଅରୁଣ କୁମାର ଖଣ୍ଡାଙ୍କ ସମେତ ଅନ୍ୟ ଅଧିକାରୀମାନେ ଆଜି କୋଟିଆରେ ପହଞ୍ଚିଥିଲେ । ସେମାନେ ସେଠାରେ ସ୍ଥିତି ଦେଖିବା ସହ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ କୋଟିଆରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ନେଇ ଜାଗା ଚିହ୍ନଟ କରାଯାଇଥିଲେ ।
ଚର୍ଚ୍ଚ ନିକଟବର୍ତ୍ତୀ ଖୋଲା ଜାଗାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧୦ଶଯ୍ୟା ବିଶିଷ୍ଟ ମେଡିକାଲ, ପୁଲିସ ଥାନା ଓ ଉଚ୍ଚ ବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ କରିଥିଲା ଏହି ଟିମ । ସେହିପରି ବିଏସଏନଏଲ ଟାଓ୍ଵାର ନିର୍ମାଣ ପାଇଁ ମଧ୍ୟ ଜାଗା ବଛା ଯାଇଥିଲା । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ଲଷ୍ଟର ନିର୍ମାଣ କରାଯିବ । ଏହି କ୍ଲଷ୍ଟରରେ ସରକାରୀ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାଗା ଚିହ୍ନଟ କରାଯାଇଥିଲା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ନିର୍ମାଣ ନେଇ କାମ ଆରମ୍ଭ ହେବ ବୋଲି ଜଣାପଡିଛି ।