ଆଗାମୀ ନିର୍ବାଚନରେ ରହିବ କି ଅଫିସରଙ୍କ ଦବଦବା ! ନିର୍ବାଚନ ମଇଦାନରେ ପ୍ରଶାସକଙ୍କ ମଧ୍ୟରେ ହୋଇପାରେ ଲଢ଼େଇ ।

ଆସନ୍ତା ୨୦୧୯ ନିର୍ବାଚନୀ ମଇଦାନରେ ନଜର ଆସିବେ କିଛି ବରିଷ୍ଠ ବା ଅବସରପ୍ରାପ୍ତ ପ୍ରଶାସକ ।

509

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ମଇଦାନରେ ଶାସକ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ । ତେବେ ଆସନ୍ତା ନିର୍ବାଚନ ପାଇଁ କେଉଁ ଦଳକୁ ପୁରୁଖା ଓ ଯୁବ ନେତା ଭରସା ଅଛନ୍ତି ତ ଆଉ କାହାକୁ ପ୍ରଶାସକମାନେ ଲୋଡ଼ା । ଆସନ୍ତା ୨୦୧୯ ନିର୍ବାଚନୀ ମଇଦାନରେ ନଜର ଆସିବେ କିଛି ବରିଷ୍ଠ ପ୍ରଶାସକ । ତେବେ ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଶିବିରରେ ପୂର୍ବରୁ ଯୋଗଦେଇଛନ୍ତି କିଛି ବରିଷ୍ଠ ପ୍ରଶାସକ ।

ସେମାନଙ୍କ ମଧ୍ୟରେ ବିଜେଡ଼ିରେ ସାମିଲ ହୋଇଥିବା ଅରୂପ ପଟ୍ଟନାୟକଙ୍କ ନାଁ ସର୍ବ ପ୍ରଥମେ ଆସେ । କାରଣ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକର ଉଦୟପୁରରେ ଜନ୍ମିତ ଅରୂପ ପଟ୍ଟନାୟକ ବିଜେଡିରେ ଯୋଗଦେଇ କହିଥିଲେ ଯେ ସୁଯୋଗ ମିଳିଲେ ଲୋକଙ୍କ ସେବା ପାଇଁ ୨୦୧୯ ନିର୍ବାଚନରେ ଲଢିବି । ତେବେ ୧୯୭୯ ମସିହା ବ୍ୟାଚର ମହାରାଷ୍ଟ୍ର ଆଇପିଏସ୍ କ୍ୟାଡରର ଅରୂପ ୧୯୮୧ରେ ନାସିକରୁ ଏଏସପି ଭାବେ କ୍ୟାରିୟର ଆରମ୍ଭ କରିଥିବା ଅରୂପ ଆସନ୍ତା ନିର୍ବାଚନରେ କେଉଁଠାରୁ ନିର୍ବାଚନ ଲଢ଼ିବେ ଏବଂ ଅଣ୍ଡରୱାର୍ଲ୍ଡ ମାଫିଆଙ୍କୁ ଥରହର କରାଇଥିବା ଅରୂପ ରାଜନୀତିର ଦଙ୍ଗଲରେ କେତେ ସଫଳ ହେବେ ତାହା ଉପରେ ଏବେ ରହିଛି ସସପେନ୍ସ ।

ସେହିଭଳି ବିଜେପିରେ ମଧ୍ୟରେ ଗତ କିଛିଦିନ ତଳେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଥିଲେ । ଏବଂ ଅଶୋକଙ୍କ କହିବାଅନୁସାରେ ରାଜ୍ୟରେ ବିଜେପି ସରକାର ଆସିଲେ ବିକାଶ ଆହୁରି ତ୍ୱରାନ୍ଵିତ ହେବ । ୧୯୮୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଶ୍ରୀ ତ୍ରିପାଠୀ ୨୦୧୬ରେ ଚାକିରିରୁ ଅବସର ନେଇଥିଲେ। ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ମଧ୍ୟ ରାଜନୀତି ମଇଦାନକୁ ଅଶୋକଙ୍କୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ନିକଟରେ ପ୍ରିନସିପାଲ ଆକାଉଂଟାଟ ଜେନେରାଲ ଅମର ପଟ୍ଟନାୟକ ବିଜେଡିରେ ଯୋଗଦେଇଥିଲେ । ତାଙ୍କୁ ବିଜେଡି ଦଳର ଆଇଟି ସେଲ ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲେ ବିଜେଡ଼ି ସୁପ୍ରିମୋ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଦୋଷ ତ୍ରୁଟି ବାହାର କରୁଥିଲେ, ଆଉ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇ ଆଗାମୀ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ୱଲାଇବା ପାଇଁ ଅପେକ୍ଷାରେ ଅଛନ୍ତି । କାରଣ ଅମର କହିଥିଲେ ନବୀନ ହିଁ ଜଣେ ନେତା ଯିଏ ଓଡିଶାକୁ ଦେଶର ପ୍ରଥମ ସ୍ଥାନକୁ ନେଇପାରିବେ । ବିଜୁ ବାବୁ ତାଙ୍କର ଆଦର୍ଶ ବୋଲି କହିଥିଲେ ଅମର । ଏବେ ୨୦୧୯ ନିର୍ବାଚନରେ ଅମରଙ୍କ ପାଇଁ କେଉଁ ନିର୍ବାଚନ ମଇଦାନ ପ୍ରସ୍ତୁତ କରିବ ବିଜେଡ଼ି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏସବୁ ମଧ୍ୟରେ ଗତକାଲି ୧୯୯୪ ବ୍ୟାଚର ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ସ୍ୱେଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଖୁବଶୀଘ୍ର ଅପରାଜିତାଙ୍କ ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି । ତିନି ମାସିଆ ନୋଟିସ୍ ଦେବା ସହ ଡିସେମ୍ବର ୧୪ରେ ତାଙ୍କର ଶେଷ କାର୍ଯ୍ୟଦିବସ ହେବ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ଅପରାଜିତା । ଏବେ ଅପରାଜିତା ସ୍ୱେଛାକୃତ ଅବସର ନେଉଥିବା ଜଣାପଡିବା ପରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସେ ରାଜନୀତିରେ ସାମିଲ ହେବା ପାଇଁ ସ୍ୱେଛାକୃତ ଅବସର ନେଇଥିବା ଚର୍ଚ୍ଚା ହେଉଛି । ତେବେ ଅବସର ନେବା ପରେ ପ୍ରକୃରେ ଅନ୍ୟ ପ୍ରଶାସକଙ୍କ ଭଳି ରାଜନୀତିରେ ପାଦଥାପିବେ ନା ଅନ୍ୟ କିଛି କାର୍ଯ୍ୟ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି ।