ମହଙ୍ଗା ଯୁଗରେ ଶସ୍ତା ବାହାଘର ! ମାତ୍ର ୨୧ କପ୍ ଚା’ରେ ବିବାହ କଲେ ଅଫିସର୍ ଦମ୍ପତି

43

ମାତ୍ର ୨୧ କପ ଚା’ରେ ବାହାଘର ! ତା ପୁଣି ବର୍ତ୍ତମାନର ମହଙ୍ଗା ସମୟରେ । ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ କଥାଟା ସଂପୂର୍ଣ୍ଣ ସତ । ଆଜିର ମହଙ୍ଗା ଯୁଗରେ ଯେତେବେଳେ ଲୋକେ ବାହାଘର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ମାତ୍ର ୨୧ କପ ଚା’ରେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ବିହାର ମୁଜଫରପୁରର ଅଫିସର୍ ଦମ୍ପତି ।

ଏହି ଦୁଇ ନବଦମ୍ପତି ହେଉଛନ୍ତି ଗୋପାଳଗଂଜ ଜିଲ୍ଲା ଅଧୀକ୍ଷକ ସନ୍ଦୀପ କୁମାର ଓ ଶେଖପୁରା ଜିଲ୍ଲା ସୁପରିଟେଣ୍ଡେଂଟ୍ ଜାନିତା । ମ୍ୟାରେଜ୍ ରେଜିଷ୍ଟର ଅଫିସରେ କେବଳ ବରଣମାଳା ପିନ୍ଧାଇ ପରସ୍ପରକୁ ବିବାହ କରିଥିଲେ ଏହି ଦମ୍ପତି । ଏହା ସହ ସେଠାରେ ଉପସ୍ଥିତ ଥିବା ପରିବାର ସଦସ୍ୟ ଓ ବନ୍ଧୁ ପରିଜନଙ୍କ ସହ ସମୁଦାୟ ୨୧ଜଣଙ୍କୁ କେବଳ ଚା’ ପିଇବାକୁ ଦେଇ ବିବାହକୁ ସଂପୂର୍ଣ୍ଣ କରିଥିଲେ ।

ସନ୍ଦୀପଙ୍କ କହିବା ଅନୁଯାୟୀ, ଉଭୟ ପିଲାବେଳୁ ବେଶ୍ ସିଧା ସାଧା ଓ ନିରାଡମ୍ବର ବାହାଘର ଚାହୁଁଥିଲେ । ଯେଉଁଥିରେ ଯୌତୁକ ଗନ୍ଧ ନଥିବା । ଆଉ ଶେଷରେ ସେମାନଙ୍କ ଏହି ସ୍ୱପ୍ନ ପୂରା ହୋଇଥିବାରୁ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ଏପରି ଏକ ନିଆରା ବିବାହ କରି ଉଭୟ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ଯେ, ବିବାହ ଏକ ପବିତ୍ର ବନ୍ଧନ । ଏଠି କୌଣସି ବାଜା, ରୋଷଣୀ, ଭୋଜିଭାତର ଆବଶ୍ୟକତା ନାହିଁ । ବିବାହ କେବଳ ଦୁଇଟି ମନର ମିଳନ ।