ଅଣଓଡ଼ିଆ ଅଫିସରଙ୍କୁ ପସନ୍ଦ ହେଉନି ଓଡ଼ିଆ ଭାଷା : ଅଫିସରଙ୍କ ବିବାଦୀୟ ଟିପ୍ପଣୀ

80

କନକ ବ୍ୟୁରୋ : ଜିଭିଭି ଶର୍ମା । ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨୦୧୫ରେ ଶ୍ରୀ ଶର୍ମା ଦେଇଥିବା ଏକ ଟିପ୍ପଣୀ ଏବେ ବିବାଦର ସୂତ୍ରପାତ କରିଛି । ଓଡ଼ିଆ ଭାଷାରେ ସରକାରୀ କାମ କରୁନଥିବା ଅଫିସରଙ୍କ ବିରୋଧରେ ନିୟମାବଳୀ ଜରିଆରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା “ଅସାଧ୍ୟ’ ବୋଲି ଲେଖିଛନ୍ତି ଶ୍ରୀ ଶର୍ମା । ଏଭଳି ଭାବେ ଅଣଓଡ଼ିଆ ଅଫିସରମାନେ ସରକାରୀ ଭାବେ ଓଡ଼ିଆ ଭାଷାକୁ ବ୍ୟବହାର କରାଇ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛି “ଭାଷା ଆନ୍ଦୋଳନ’’ ।

୨୦୧୫ ମସିହାର ଏହି ଫାଇଲରେ ଜିଭିଭି ଶର୍ମାଙ୍କ ଟିପ୍ପଣୀ ଉପରେ ତତ୍କାଳୀନ ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତି ଏ ସଂପର୍କରେ ଆଇନ ବିଭାଗର ମତ ନିଆଯାଉ ବୋଲି ଟିପ୍ପଣୀ ଦେଇଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଆଇନ ବିଭାଗର ମତ ଆସିପାରିନାହିଁ କିମ୍ବା ଏହି ନିୟମାବଳୀ ବିଧାନସଭାରେ ଗୃହୀତ ହୋଇପାରିନାହିଁ । ନବକୃଷ୍ଣ ଚୌଧୁରୀଙ୍କ ସମୟରେ ୧୯୫୪ରେ ଭାଷା ଆଇନ ପ୍ରଣୟନ କରାଯାଇଥିଲେ ସୁଦ୍ଧା ତାର ନିୟମାବଳୀ ହୋଇପାରିନାହିଁ । ମନ୍ତ୍ରୀସ୍ତରୀୟ କମିଟି ଓଡ଼ିଆ ଭାଷାରେ କାମ କରୁନଥିବା ଅଫିସରଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ସମ୍ମତି ପ୍ରକାଶ କରିଥିଲେ ସୁଦ୍ଧା କିଛି ଅଣଓଡ଼ିଆ ଅଫିସରଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛି “ଭାଷା ଆନ୍ଦୋଳନ’’ ।

ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରୁନଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ବହୁବାର ସରକାର ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା କିଛି ପ୍ରଭାବ ପଡ଼ିନାହିଁ ।