ଶ୍ରୀଲଙ୍କାରେ ବନ୍ଦୀ ଓଡିଆ ଶ୍ରମିକ : ଦାଦନ ଖଟିବାକୁ ଯାଇଥିବା ଯାଜପୁରର ତମିଜୁଦ୍ଦିନଙ୍କ ୨ ମାସ ହେବ ମିଳୁନି ପତ୍ତା

53

କନକ ବ୍ୟୁରୋ : ଶ୍ରୀଲଙ୍କାରେ ବନ୍ଦୀ ଓଡିଆ ଶ୍ରମିକ । ବର୍ଷେ ତଳେ ଶ୍ରୀଲଙ୍କାକୁ କାମ କରିବାକୁ ଯାଇଥିବା ଯାଜପୁରର ସେକ ତମିଜୁଦ୍ଦିନର ୨ ମାସ ହେବ କିଛି ଖୋଜ ଖବର ମିଳୁନାହିଁ । ତମିଜୁଦ୍ଦିନର ସଂପର୍କୀୟ ଠାରୁ ମିଳିଥିବା ଖବର ଅନୁଯାୟୀ ତମିଜୁଦ୍ଦିନର ଭିସାର ଅବଧି ଶେଷ ହୋଇଯାଇଥିବାରୁ ସେ ଏବେ ଜେଲରେ ରହିଛନ୍ତି । ଏହି ଖବର ମିଳିବା ପରେ ତମିଜୁଦ୍ଦିନଙ୍କ ପରିବାର ଲୋକ ଭୋକ ଉପାସରେ ପଡି ରହିଛନ୍ତି ।

ସେକ ତମିଜୁଦ୍ଦିନ । ଘର ଯାଜପୁର ମହାବୀର ଛକ ଭିମକରପୁର ଅଂଚଳ । ଗତ ବର୍ଷ ଶ୍ରୀଲଙ୍କାର କଲୋମ୍ବୋ ଅଂଚଳକୁ ଯାଇଥିଲେ କାମ କରିବାକୁ । କିନ୍ତୁ ଗତ ୨ ମାସ ହେଲା ତାଙ୍କର କୌଣସି ପତା ମିଳୁନି । ପରିବାର ଲୋକେ ଖୋଜା ଖୋଜି କରିବାରେ ତାଙ୍କର ସେଠାରେ ଭିସାର ଅବଧି ଶେଷ ହୋଇଯାଇଥିବାରୁ ତାକୁ ଗିରଫ କରାଯାଇଛି ବୋଲି ଜଣାପଡିଛି । ଏହା ଶୁଣିବା ପରେ ପରିବାର ଲୋକଙ୍କ ଉପରେ ବଜ୍ର ପଡିବା ଭଳି ଘରେ ଏବେ ଚୁଲି ଜଳୁନି । ତମିଜୁଦ୍ଦିନର ମୁକ୍ତି ପାଇଁ ପରିବାର ଲୋକ ଏବେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

ତମିଜୁଦ୍ଦିନ ସେଠାରେ ଏକ ଘରୋଇ ହୋଟେଲରେ କାମ କରୁଥିଲା । ଘରକୁ ଠିକ୍ ସମୟରେ ପଇସା ପଠାଉଥିଲା । କିନ୍ତୁ ଗତ ୨ ମାସ ହେବ ତାର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ନାନା ଚିନ୍ତାରେ ଦିନ କାଟୁଛନ୍ତି । ଏ ନେଇ ଯାଜପୁର ଏସପିଙ୍କ ନିକଟରେ ପରିବାର ଲୋକେ ଦ୍ୱାରସ୍ଥ ହେବା ପରେ ଘଟଣା ସଂପର୍କରେ ବୈଦେଶିକ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଯାଜପୁର ଏସପି ପ୍ରତିଶୃତି ଦେଇଛନ୍ତି । ତମିଜୁଦ୍ଦିନର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ ।