ହୃଦୟ ଜିତିଲେ ଓଡ଼ିଆ ଡାକ୍ତର ! କେନିଆର ଏମପି ଭାବେ ହେଲେ ନିର୍ବାଚିତ

42

କନକ ବ୍ୟୁରୋ : ଏ ଏମିତି ଏକ ଖବର ଯାହା ଜାଣିଲେ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରିବେ । ଜଣେ ଓଡ଼ିଆ ଡାକ୍ତର କେନିଆର ଏମପି ଭାବେ ନିର୍ବାଚିତ ହୋଇଛନ୍ତି । ଏଭଳି ସଫଳତା ପାଇଛନ୍ତି ଡାକ୍ତର ସ୍ୱରୂପ ରଂଜନ ମିଶ୍ର । ସ୍ୱରୂପ ରଂଜନଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକର ପଂଚୁପଲ୍ଲୀ ଅଂଚଳରେ । କେନିଆର ‘ୟୁଆସିନ୍ ଗିସୁ କାଉଂଟି’ର କେସେସ୍ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି ସ୍ୱରୂପ ରଂଜନ ମିଶ୍ର । ୫୨ ବର୍ଷୀୟ ଡାକ୍ତର ମିଶ୍ର, ଜୁବୁଲୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ତାଙ୍କର ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫ହଜାର ୬୮୧ ଭୋଟରେ ପରାସ୍ତ କରିଥିଲେ ।

‘ୟୁଆସିନ୍ ଗିସୁ କାଉଂଟି’ ଆସେମ୍ବଲୀର ସ୍ପିକର ତଥା କେନିଆର ପ୍ରତିଷ୍ଠିତ ରାଜନେତା ଆଇଜାକ୍ ଟେରରଙ୍କୁ ସେ ପରାଜିତ କରିଛନ୍ତି । ଡାକ୍ତର ସ୍ୱରୂପ ରଂଜନ ମିଶ୍ର ଓ ତାଙ୍କ ସ୍ତ୍ରୀ ପଲ୍ଲବୀ ମିଶ୍ର ଉଭୟ ସ୍ତ୍ରୀ ରୋଗ ବିଶେଷଜ୍ଞ । ଏହି ଡାକ୍ତର ପତିପତ୍ନୀ ୧୯୯୭ ମସିହାରେ କେନିଆ ଯାଇଥିଲେ । ଅବଶ୍ୟ ଅଷ୍ଟ୍ରେଲିଆ ଯିବା ପାଇଁ ଅର୍ଥ ଯୋଗାଡ ଉଦ୍ଦେଶ୍ୟରେ କେନିଆ ଯାଇଥିଲେ ଡାକ୍ତର ଦମ୍ପତି । ମାତ୍ର କେନିଆବାସୀଙ୍କ ପ୍ରତି ଭଲପାଇବା ସେମାନଙ୍କୁ ସେଇଠି ଅଟକାଇ ଦେଇଥିଲା ।

ଡାକ୍ତର ମିଶ୍ରଙ୍କ ଉର୍ତ୍ସଗୀକୃତ ସେବା ମନୋଭାବ ମଧ୍ୟ କେନିଆବାସୀଙ୍କ ହୃଦୟ ଜୟ କରିଥିଲା । କିଛି ବର୍ଷ ମଧ୍ୟରେ ସେ କେନିଆର ଜଣେ ପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । କେନିଆକୁ ନିଜର ଘର ବୋଲି ଭାବନ୍ତି ଡାକ୍ତର ସ୍ୱରୂପ ରଂଜନ ।