ଭୁବନେଶ୍ୱର ଏମ୍ସର ହିନ୍ଦୀ ପ୍ରୀତି ବିରୋଧରେ ବିଜେଡିର ପ୍ରତିବାଦ : କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସ୍ମାରକ ପତ୍ର ଦେଲେ ପ୍ରତିନିଧି ଦଳ 

271

କନକ ବ୍ୟୁରୋ :   ଏମ୍ସକୁ ଓଡ଼ିଆ ଅଡ଼ୁଆ ? ଓଡ଼ିଶାରେ ଓଡ଼ିଆ ଭାଷାଙ୍କୁ ଅଣଦେଖା ।  ଓଡ଼ିଶାରେ ଏମ୍ସ ଓଡ଼ିଆ ଲୋକଙ୍କ ସୁବିଧା ପାଇଁ ପ୍ରତିଷ୍ଠା ହୋଇଛି । ହେଲେ ଏମ୍ସରେ ଓଡ଼ିଆ ବଦଳରେ ସମସ୍ତ କାର୍ଯ୍ୟ ହିନ୍ଦୀରେ କରିବାକୁ ନିର୍ଦ୍ଦେଶ ଦେବା କେତେଦୂର ଯୁକ୍ତିଯୁକ୍ତ । ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପରେ ଘଟଣାକୁ ନେଇ ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ । ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ୯ ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଏମ୍ସ  ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ଲୋକସଭା ସାଂସଦ ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ , ସରୋଜିନୀ ହେମରମ୍ ପ୍ରମୁଖ ଏମ୍ସ ଗସ୍ତ କରିଥିଲେ । ଏହାସହିତ ଭୁବନେଶ୍ୱରର ଦୁଇ ବିଧାୟକ ଉପସ୍ଥିତ ରହି ଓଡିଶାର ଏମ୍ସରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ ନିଷ୍ପତିକୁ ବିରୋଧ କରିଛନ୍ତି ।

ଅନ୍ୟପଟେ ଏପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ପ୍ରଶ୍ନ ବିଜେଡିକୁ ପଚରାଯିବା ଆବଶ୍ୟକ । । ମୁଖ୍ୟମନ୍ତ୍ରୀ କାହିଁକି ଓଡିଆ କହି ପାରୁନାହାନ୍ତି । ଓଡିଆଙ୍କ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନାହାନ୍ତି । ରାଜ୍ୟରେ ଯଦି ଶାସନ ଇଂରାଜୀରେ ଚାଲୁଛି ଅଖିଳ ଭାରତୀୟ ସଂସ୍ଥା ଏମ୍ସରେ ହିନ୍ଦୀ କହିଲେ ଅସୁବିଧା ନାହିଁ । ଏମ୍ସରେ ହିନ୍ଦୀ ଭାଷାକୁ ନେଇ ଯଦି ବିତର୍କ ହେବା କଥା ତେବେ ନବୀନଙ୍କ ଓଡିଆ ନକହି ପାରିବାକୁ ନେଇ ବି ବିତର୍କ ହେବା କଥା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଅନୁସାରେ ଭୁବନେଶ୍ୱର ଏମ୍ସର ଏକ ବିଜ୍ଞପ୍ତିକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି  । ଏମ୍ସ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ସମସ୍ତେ ହିନ୍ଦୀରେ ଦସ୍ତଖତ କରିବାକୁ କୁହାଯାଇଛି । ସମସ୍ତ ଫାଇଲ୍ର ନାଁ ଓ ବିଷୟ ହିନ୍ଦୀରେ ଲେଖାଯିବାକୁ ନିର୍ଦ୍ଦେଶ ରହିଛି । ରେଜିଷ୍ଟରର ନାଁ, ହେଡିଂ, ସବହେଡିଂ ହିନ୍ଦୀରେ ଲେଖାଯିବା ସହ ହିନ୍ଦୀରେ ଏଂଟ୍ରି କରିବାକୁ କୁହାଯାଇଛି । ଏହା ସହ ଅତିକମରେ ୩୦ ପ୍ରତିଶତ ନୋଟିଂ ଓ ୫୫ ପ୍ରତିଶତ ଚିଠିପତ୍ର ହିନ୍ଦୀରେ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସେହିପରି ପ୍ରଶାସନିକ ବୈଠକରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଇଛି ।

 

ତେବେ ଭୁବନେଶ୍ୱର ଏମ୍ସର ଏପରି ନିର୍ଦ୍ଦେଶନାମାକୁ ବିରୋଧ କରିଛି ବିଜେଡ଼ି ପୁରୀ ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ, ଯାହା ଭାଷା ଭିତିରେ ଗଠନ ହୋଇଛି । ତେଣୁ ଓଡ଼ିଶାରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥା ଆମ ମାତୃଭାଷାକୁ ଗୌଣ କରିବାକୁ ଉଦ୍ୟମ କଲେ ଏହାକୁ ପ୍ରଶୟ ଦିଆଯିବନାହିଁ । ତେଣୁ ଏହି ପରିପେକ୍ଷୀରେ ଆଜି ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି ବିଜେଡ଼ି ପ୍ରତିନିଧି ଦଳ ।