‘ଓଡ଼ିଶୀ ସିଟି କାର୍ଡ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବହୁମୁଖୀ ସେବାପ୍ରଦାନ ପାଇଁ ସହାୟକ ହେବ କାର୍ଡ

43

କନକ ବ୍ୟୁରୋ :  ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ପାଇଁ ‘ଓଡ଼ିଶୀ ସିଟି କାର୍ଡ’ ନା‌ମକ ବହୁମୁଖୀ ସେବାପ୍ରଦାନକାରୀ କାର୍ଡକୁ ଲୋକାର୍ପଣ କରିଛନ୍ତିି । ଏହି ସାଧାରଣ ସହର ଦେୟ ବ୍ୟବସ୍ଥା ସଂପନ୍ନ କାର୍ଡ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ଓ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି । ସହ‌ରବ୍ୟାପୀ ବିଭିନ୍ନ ନାଗରିକ ସେବା ପାଇଁ ଏହି କାର୍ଡ ଦେୟ ପ୍ରଦାନରେ ସହାୟକ ହେବ । ବିଭିନ୍ନ ନାଗରିକ ସେବା ମଧ୍ୟରେ ବଜାରରେ କିଣାକିଣି, ସିଟିବସ୍‌, ମନୋରଞ୍ଜନ, ପାର୍କିଂ, ସଂପତ୍ତି ଟିକସ ଦେୟ ପ୍ରଦାନ ଆଦି ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଓଡ଼ିଶୀ କେନ୍ଦ୍ର’ ଉଦ୍‌ଘାଟନ କରିଥିଲେ । ଏହି କେନ୍ଦ୍ରଗୁଡ଼ିକ ଜରିଆରେ ଦେୟ ପ୍ରଦାନ ସେବା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ୨୫ଟି ମୋ ଓଡ଼ିଶୀ କେନ୍ଦ୍ର ଖୋଲାଯାଇଛି । ମୋଟ ୩୨୫ଟି କେନ୍ଦ୍ର ଖୋଲିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଏଭଳି କାର୍ଡ ବ୍ୟବସ୍ଥା ଭୁବନେଶ୍ବର ଐତିହ୍ୟ ସହରରୁ ସ୍ମାର୍ଟସିଟି ଦିଗକୁ ଯାତ୍ରା କରୁଥିବାର ଏକ ପ୍ରତିଫଳନ ମାତ୍ର । ବୈଷୟିକ ପ୍ରଯୁକ୍ତି ବିଦ୍ୟା ଜରିଆରେ ଏହି ସହରକୁ ଏକ ଅତ୍ୟାଧୁନିକ ସହରାଞ୍ଚଳରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତିି ।

ଆଗାମୀ ଦିନରେ ପୁରୁଷ ବିଶ୍ବ କପ୍‌ ହକିର ଆୟୋଜନ ବେଳେ ଏହି ସହରକୁ ପ୍ରମୁଖ କ୍ରୀଡ଼ା ସହରରେ ରୂପାନ୍ତରିତ କରିବାକୁ ମଧ୍ୟ ଏହି ଉଦ୍ୟମ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଉତ୍ସବରେ ପ୍ରଥମ ଓଡ଼ିଶୀ ସିଟି କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିସନର, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।