ଓଡିଶାର ଗୌରବ ବଢାଇଲେ ଜୟନ୍ତି ! ଏସିଆନ୍ ୟୁଥ୍ ପାରା ଗେମସରେ ୧୦୦ମିଟର ଦୌଡରେ ଜିତିଲେ ରୌପ୍ୟ ପଦକ

37

କୁହାଯାଏ ଦୃଢ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ । ଏହାକୁ ସତ ପ୍ରମାଣିତ କରିଛନ୍ତି ଓଡିଶାର ଏହି ଯୁବତୀ । ପାରା ଆଥଲେଟ୍ ଜୟନ୍ତି ବେହେରା ଦୁବାଇରେ ହୋଇଥିବା ଏସିଆନ ୟୁଥ ପାରା ଗେମସରେ ୧୦୦ମିଟର ଦୌଡରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଜୟନ୍ତି ୧୩.୪୮ ସେକେଣ୍ଡ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୩.୪୫ ସେକେଣ୍ଡ ସହ ଜାପାନର ମିସୁ ହୋନୋକା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ୧୪.୨୪ ସେକେଣ୍ଡ ସହ ଜାପାନର ନାକାଗାବା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏହାପୂର୍ବରୁ ଜୟନ୍ତି ଚଳିତ ବର୍ଷ ଅଗଷ୍ଟରେ ସ୍ୱଜରଲ୍ୟାଣ୍ଡର ନୋଟୱିଲରେ ହୋଇଥିବା ବିଶ୍ୱ ଜୁନିଅର ପାରା ଆଥଲେଟିକ ଚମ୍ପିୟନସିପରେ ୪୦୦ ମିଟର ଦୌଡରେ ଭାରତ ପାଇଁ ସ୍ୱର୍ଣ ପଦକ ଜିତିଥିଲେ । ସେହିପରି ସେ ମେ ମାସରେ ହୋଇଥିବା ଚୀନ ଓପନ ପାରା ଆଥଲେଟିକ ଗ୍ରାଁ ପ୍ରି ଚାମ୍ପିୟନସିପରେ ମଧ୍ୟ ସ୍ୱର୍ଣ ପଦକ ଜିତିଥିଲେ ।

ଉଲ୍ଲେଖନୀୟ କଥା ଏହା ଯେ ,ଜୟନ୍ତି ଯେତେବେଳେ ମାତ୍ର ଗୋଟେ ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ବାମ ହାତ ଏବଂ ଅଂଟା ନିଆଁରେ ଜଳିଯାଇଥିଲା । ଏକ ଗରିବ ପରିବାରରୁ ଆସିଥିଲେ ମଧ୍ୟ ସେ ସମସ୍ତ ବାଧା ବନ୍ଧନକୁ ବୀରତ୍ୱର ସହ ପାର କରି ଆଜି ସଫଳତାର ଶୀର୍ଷରେ ପହଂଚିପାରିଛନ୍ତି ।

( ସୌଜନ୍ୟ- ଓଡିଶା ସନ୍ ଟାଇମ୍ସ)