ଓଡିଶାର ଶିକାରୀ ନମ୍ବର ୱାନକୁ ନେଇ ଚର୍ଚ୍ଚା । ନରହନ୍ତା ଜନ୍ତୁଙ୍କୁ ମାରିବା ପାଇଁ ନିୟୋଜିତ କରନ୍ତି ସରକାର

103

କନକ ବ୍ୟୁରୋ: ସାଧାରଣତଃ ଶିକାରୀ ନା ଶୁଣିଲେ, ଆମମାନଙ୍କ ମନକୁ ଚାଲିଆସେ ବେଆଇନ୍ ଭାବେ ଜଙ୍ଗଲ ଭିତରେ ପଶି ଜୀବଜନ୍ତୁ ହତ୍ୟା କରୁଥିବା ଶିକାରୀଙ୍କ କଥା । କିନ୍ତୁ ଆମେ ଆଜି ଏମିତି ଜଣେ ଶିକାରୀଙ୍କ କଥା କହିବୁ, ଯାହାଙ୍କୁ ବନ୍ୟଜନ୍ତୁ ମାରିବା ପାଇଁ ସରକାର ନିୟୋଜିତ କରନ୍ତି । ଆଉ ଏବାବଦକୁ ସରକାର ଦେଉଥିବା ପୁରସ୍କାର ରାଶିକୁ ସେ ରେଡକ୍ରସକୁ ଦାନ କରିଦିଅନ୍ତି । ଆଉ ଏବେ ଚାରିଆଡେ ଚର୍ଚ୍ଚାରେ ଓଡିଶାର ଶିକାରୀ ନମ୍ବର ୱାନ ।

ସମ୍ବଲପୁର ଜିଲ୍ଲା ଡେଙ୍ଗସର୍ଗି ଗାଁର ଆର୍ତ୍ତତ୍ରାଣ ବକ୍ସି । ସାରଧାରଣ ଜୀବନ ଯାପନ କରୁଥିବା ଏହି ବ୍ୟକ୍ତି ଜଣକ ଅନେକ ଲୋକଙ୍କ ଜୀବନ ବଂଚାଇଛନ୍ତି । ଓଡ଼ିଶାରେ ଯେତେବେଳେ ବନ୍ୟଜନ୍ତୁ ହିଂସ୍ର ହୋଇ ଉଠନ୍ତି, ମଣିଷଙ୍କୁ ଆକ୍ରମଣ କରନ୍ତି ସେତେବେଳେ ସରକାରଙ୍କୁ ମନେ ପଡ଼େ ଆର୍ତ୍ତତ୍ରାଣ ବକ୍ସିଙ୍କ କଥା । ସରକାରଙ୍କ ନିର୍ଦ୍ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ହିଂସ୍ର ଜନ୍ତୁଙ୍କୁ ମାରିଥାନ୍ତି ଆର୍ତ୍ତତ୍ରାଣ ।

ବଡ କଥା ହେଲା କି, ହିଂସ୍ର ହୋଇଥିବା ଜନ୍ତୁକୁ ମାରିବା ପରେ ଶିକାରୀ ଆର୍ତ୍ତତ୍ରାଣଙ୍କୁ ମିଳିଥାଏ ପୁରସ୍କାର ରାଶି । ଆଉ ସେହି ପୁରସ୍କାର ରାଶିକୁ ସେ, ରେଡକ୍ରସ୍ ପାଣ୍ଠିକୁ ଦାନ କରି ଦିଅନ୍ତି । ତାଙ୍କ ଏକ ମାତ୍ର ଉଦ୍ଦେଶ୍ୟ ମଣିଷର ଜୀବନ ବଂଚାଇବା । ବୟସ ବଢିଥିଲେ ସୁଦ୍ଧା ଆଜି ବି ଜନ୍ତୁ ମାରିବାର ପ୍ରତିଟି କ୍ଷଣ ତାଙ୍କର ମନେ ଅଛି । ଆଉ ନିଜ ଘରେ ସାଇତି ରଖିଥିବା ଜନ୍ତୁ ଶିକାର ବନ୍ଧୁକକୁ ଦେଖି ପୁରୁଣା ଦିନକୁ ମନେପକାନ୍ତି । ବାସ୍ତବିକ ଏହି ଶିକାରୀ ଜଣକଙ୍କ ଅନୁଭୁତି ଖୁବ୍ ରୋଚକ ହୋଇଥିବା ବେଳେ ସେ ପ୍ରଶଂସାର ଯୋଗ୍ୟ ।