ଇଂରେଜ ମାନିଲେ ଦାମ ମାନଲେନି ! ଜୟୀ ରାଜଗୁରୁଙ୍କୁ ନେଇ ଆସିଲା ରୋଚକ ତଥ୍ୟ

412

କନକ ବ୍ୟୁରୋ : ଜୟୀ ରାଜଗୁରୁ କଣ ସ୍ୱାଧୀନତା ସଂଗ୍ରାମୀ? ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ କୁହାଯିବ କି ନାହିଁ ତାକୁ ନେଇ ରାଜନୈତିକ ମାହୋଲ ଏବେ ସରଗରମ । ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ଏହାକୁ ମାନିବାକୁ ଅରାଜି ଥିବାବେଳେ ଏବେ ଆସିଛି ଏକ ରୋଚକ ତଥ୍ୟ । ପ୍ରଖ୍ୟାତ ବ୍ରିଟିଶ ଐତିହାସିକ ଆଣ୍ଡ୍ର୍ୟୁ ଷ୍ଟାର୍ଲିଙ୍ଗ ଓ ଜି ଟଏନବିଙ୍କ ଓଡିଶା ଇତିହାସ ଉପରେ ଲିଖିତ ପୁସ୍ତକରେ ଯାହା ଲେଖା ହୋଇଛି ତାହାକୁ ପଢିଲେ ହୁଏତ ଦାମଙ୍କ ଭ୍ରମ ଦୂର ହେବ ।

jai rajguruଆଣ୍ଡ୍ର୍ୟୁ ଷ୍ଟାର୍ଲିଙ୍ଗ ଓ ଜି ଟଏନବିଙ୍କ ଅନୁଯାୟୀ ଇଂରେଜଙ୍କ ବିରୋଧରେ ଖୋରଧା ରାଜାଙ୍କ ନେତୃତ୍ୱରେ ୧୮୦୪ରେ ହୋଇଥିଲା ପାଇକ ବିଦ୍ରୋହ । ଚାରୋଟି ପ୍ରଗଣାକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ପାଇକ ମାନେ ମେଳି ହୋଇଥିଲେ । ବ୍ରିଟିଶ ଐିତିହାସିକଙ୍କ ଲେଖାରୁ ସ୍ପଷ୍ଟ ପାଇକ ମେଳି ହୋଇଥିଲା । ସେ ସମୟରେ ଖୋରଧା ରାଜାଙ୍କ ପରାମର୍ଶଦାତା ତଥା ସେନାପତି ଥିଲେ ଜୟୀ ରାଜଗୁରୁ । ସେହିଁ ସେସମୟରେ ପାଇକ ମାନଙ୍କ ମେଳି କରାଇଥିଲେ । ବ୍ରିଟିଶ ଐତିହାସିକ ମାନେ ଜୟୀଙ୍କ ନାମ ନନେଇ ରାଜାଙ୍କ ଅଧସ୍ତନ ବୋଲି ବାରମ୍ବାର ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ଦାମୋଦର ରାଉତ ଐତିହାସିକ ବି ସି ରୟଙ୍କ ଆଧାରରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି କହୁଥିବାବେଳେ, ବି ସି ରାୟ ଓଡିଶା ଇତିହାସ ୧୮୧୭ ମସିହାରୁ ଲେଖିବା ଆରମ୍ଭ କରିଛନ୍ତି ବୋଲି ଐତିହାସିକ ମତ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ୧୮୧୭ରୁ ଇତିହାସ ଲେଖିବା ଆରମ୍ଭ କରିଥିବା ବିସି ରାୟ କିଭଳି ୧୮୦୪ରେ ହୋଇଥିବା ପାଇକ ବିଦ୍ରୋହ କଥା ଉଲ୍ଲେଖ କରିବେ ।

jai rajguruଏପରିକି ଜୟୀ ରାଜଗୁରୁଙ୍କୁ ନେଇ ବିବାଦ ଲାଗି ରହିଥିବା ବେଳେ ଗତକାଲି ନବୀନ ପଟ୍ଟନାୟକ ମଧ୍ୟ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କୁ ପ୍ରଥମ ଓଡ଼ିଆ ସହିଦ ଭାବେ ବର୍ଣ୍ଣନା କରିଥିଲେ । କିନ୍ତୁ ନବୀନଙ୍କ ଟ୍ୱିଟ୍ ପରେ ମଧ୍ୟ ନିଜ କଥାରେ ଅଟଳ ରହିଥିଲେ ଦାମ । ଏପରିକି ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି ଆଦୌ ମାନିବେ ନାହିଁ ବୋଲି ରୋକଠୋକ କହିଥିଲେ ।

ଅବଶ୍ୟ ୧୪ ବର୍ଷ ତଳେ ଅର୍ଥାତ ୨୦୦୩ ମସିହାରେ ମନ୍ତ୍ରୀ ଦାମ ରାଉତଙ୍କ ମନ୍ତବ୍ୟ ଥିଲା ପୂରା ଅଲଗା । ଆସନ୍ତୁ ଜାଣିବା ପୁରା ଘଟଣାକ୍ରମ କ’ଣ ଥିଲା ? ଜୟୀ ରାଜଗୁରୁ ସହିଦ ଦିବସ ପାଳନ କମିଟି ଆନୁକୁଲ୍ୟରେ ପ୍ରକାଶିତ ସ୍ମରଣିକାରେ ଲେଖାଥିଲା ଏକ ବାର୍ତ୍ତା । ସେହି ସମୟରେ ତତ୍କାଳୀନ ପଂଚାୟତିରାଜ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦାମ ରାଉତଙ୍କ ଜୟୀ ରାଜଗୁରୁଙ୍କୁ ନେଇ ଦେଇଥିଲେ ବାର୍ତ୍ତା । ଏଥିରେ ସେ ଲେଖିଥିଲେ, ଓଡ଼ିଶାର ଜୟୀ ରାଜଗୁରୁ ଜାତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ । ଯାହାଙ୍କୁ ଅତି ନିର୍ଦ୍ଦୟ ଭାବେ ମୃତ୍ୟୁ ଦଣ୍ଡ ଦେଇଥିଲେ ଇଂରେଜ । ହେଲେ ୧୪ ବର୍ଷ ପରେ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି କହି ବିବାଦ ସୃଷ୍ଟି କରିଛନ୍ତି ଦାମ ।

ସୂଚନାଯୋଗ୍ୟ ୬ ଡିସେମ୍ବର, ୧୮୦୬ ଦିନ ମହାନ ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ବରଗଛରେ ଓହଳାଇ ଦୁଇ ଫାଳ କରିଦେଇଥିଲେ । ହେଲେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ କି ନୁହଁନ୍ତି? ୨୧୧ ବର୍ଷ ପରେ ଏ ନେଇ ପ୍ରଶ୍ନ ଉଠିଲା କାହିଁକି ?