ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ନୃପେଶ ! ଫନି ସମୟରେ ବ୍ୟକ୍ତିଗତ ଉଦ୍ୟମରେ କରିଥିଲେ ପୁନରୁଦ୍ଧାର କାର୍ଯ୍ୟ

285

ନାଗେଶ୍ବର ଟାଙ୍ଗୀର ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଯାଇଥିଲା। ଯା’ଆସ କରିବା ଏକ ପ୍ରକାର କଷ୍ଟକର ଥିଲା। ସେଠାରେ ପାଣି ଜମିବା ସହ ପ୍ରତିଦିନ ଦୁର୍ଘଟଣା‌ ଘଟୁଥିଲା। ଲୋକେ ବିଏମ୍‌ସିରେ ଅଭିଯୋଗ କଲେ। କିନ୍ତୁ ସରକାରୀ ପ୍ରକ୍ରିୟାରେ କାମ ହେବାକୁ କେତେ ଦିନ ଲାଗିବ, ତାହାର ଆକଳନ କରିବା ମୁସ୍କିଲ। ଲୋକଙ୍କ ସମସ୍ୟାର ତତ୍‌କାଳ ସମାଧାନ ପାଇଁ ଆଗେଇ ଆସିଥିଲେ ପୂର୍ବତନ କର୍ପୋରେଟର୍‌ ତଥା ଗ୍ରିନ୍ ୱାର୍ଲଡ୍‌ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ନୃପେଶ ନାୟକ। ନିଜ ପକେଟ୍‌ ଖର୍ଚ୍ଚରୁ ରାସ୍ତାକୁ ମରାମତି କରିଥିଲେ। ଫଳରେ ଏବେ ସାମୟିକ ଭାବେ ରାସ୍ତା ବ୍ୟବହାର ଉପଯୋଗୀ ହୋଇପାରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ନୃପେଶଙ୍କ ଏହି ଉଦ୍ୟମକୁ ଲୋକମାନେ ବେଶ୍‌ ପ୍ରଶଂସା କରିଛନ୍ତି। ଜଣେ ବୃକ୍ଷପ୍ରେମୀ ଓ ପକ୍ଷୀପ୍ରେମୀ ଭାବେ ପରିଚିତ ନୃପେଶ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ସମୟରେ ନେଉଥିବା ପଦକ୍ଷେପ ତାଙ୍କୁ ଚର୍ଚ୍ଚାରେ ରଖି ଆସିଛି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ସଂସ୍ଥା ‘ଗ୍ରିନ୍ ୱାର୍ଲଡ୍‌ ଟ୍ରଷ୍ଟ’ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି। ସେ କେବଳ ଗଛ ଲଗାଇବାରେ ନିଜ କାର୍ଯ୍ୟକୁ ସୀମିତ ନ ରଖି ସେଗୁଡ଼ିକ କିପରି ବଞ୍ଚିବ, ସେ ଦିଗରେ ମଧ୍ୟ ଯତ୍ନବାନ ହୁଅନ୍ତି। ନିକଟରେ ‘ଗ୍ରିନ୍ ୱାର୍ଲଡ୍ ଟ୍ରଷ୍ଟ’ ପକ୍ଷରୁ ଏକ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି। ଟ୍ରଷ୍ଟର କର୍ମକର୍ତ୍ତାମାନେ ପ୍ରତି ମାସରେ ଦୁଇ ଦିନ ରେଳ ଟ୍ରାକ୍ ସଫା କରୁଛନ୍ତି। ସ୍ଥାନୀୟ ବସ୍ତିବାସିନ୍ଦା ମଧ୍ୟ ଏଥିରେ ସହଯୋଗ କରୁଛନ୍ତି।

ସେହିପରି ଗତ ଫନୀ ବାତ୍ୟାରେ ନାଗେଶ୍ବର ଟାଙ୍ଗୀ ସମେତ ଗୌତମ ନଗର, ମହାରଣା ସାହି ଓ ନିକଟସ୍ଥ ଅନ୍ୟ କଲୋନିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବହୁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଥିବାରୁ ରାସ୍ତାରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସାରା ସହରରେ ଏହି ସମସ୍ୟା ହୋଇଥିବାରୁ ରାସ୍ତା ସଫା କରିବା ପାଇଁ ବିଏମ୍‌ସି ପାଖରେ ପର୍ଯ୍ୟାପ୍ତ ଯନ୍ତ୍ରପାତି ନ ଥିଲା। ସେହି ସମୟରେ ବିଏମ୍‌ସିର ପଦକ୍ଷେପକୁ ଅପେକ୍ଷା ନ କରି ସ୍ଥାନୀୟ ଯୁବକମାନଙ୍କୁ ନେଇ ନୃପେଶ ବ୍ୟକ୍ତିଗତ ଉଦ୍ୟମରେ ଦୁଇଟି ଏକ୍ସକାଭେଟର୍‌, ୨ଟି ଟିପର୍‌ ଓ ‌େଗାଟିଏ ଟ୍ରାକ୍ଟର୍ ଧରି ରାସ୍ତା ସଫା କରିଥିଲେ। ଲଗାତର ଗୋଟିଏ ସପ୍ତାହ ସେହି ଏହି କାମ ଜାରି ରଖି ସମ୍ପୂର୍ଣ୍ଣ ଅଞ୍ଚଳକୁ ସଫା କରିଥିଲେ। ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବା ପାଇଁ ମଧ୍ୟ ସେସୁକୁ ସହଯୋଗର ହାତ ବଢ଼ାଇଥିଲେ। ଏହି କାର୍ଯ୍ୟଗୁଡ଼ିକ ପାଇଁ ନୃପେଶ ନିଜ ପକେଟ୍‌ରୁ ୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ବିଏମ୍‌ସି କର୍ତ୍ତୃପକ୍ଷ ଏହାର ବିଲ୍‌ ଦାଖଲ ପାଇଁ କହିଥିଲେ ବି ସେ ତାହାକୁ ଗ୍ରହଣ କରି ନ ଥିଲେ। ଏହି ଟଙ୍କାକୁ ଫନୀ ପ୍ରଭାବିତଙ୍କ ପା‌ଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଦେବାକୁ ସେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଏମ୍‌ସି ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରିଛି।