ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଅଚଳ ! ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ଗୃହ ଆସନ୍ତାକାଲି ଯାଏଁ ମୁଲତବି

23

କନକ ବ୍ୟୁରୋ: ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ପରଲୋକଗତ ବିଧାୟଙ୍କଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପରେ ଗୃହରେ କୃଷି ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଛନ୍ତି । ନଷ୍ଟ ହୋଇଥିବା ଧାନ କେଣ୍ଡା ଓ ପୋଷ୍ଟର ଧରି କଂଗ୍ରେସ ଓ ବିଜେପିର ବିଧାୟକମାନେ ବାଚସ୍ପତିଙ୍କ ପୋଡୟମ ଆଗକୁ ଆସି ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଏକ ଘଂଟା ଓ ପରେ ଅଧାଘଂଟା ପାଇଁ ମୁଲତବି ଘୋଷଣା କରିଥିଲେ ।

ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ବିଜେଡି ମଧ୍ୟ ଗୃହ ବାହାରେ ଧାରଣା ଦେଇଛି । ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡିର ସମସ୍ତ ବିଧାୟକ ବିଧାନସଭା ବାହାରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କି-ଚାଷଓ ଚାଷୀର ସମସ୍ୟା ନେଇ ପ୍ରଶ୍ନକାଳ ବାତିଲ କରି ଆଲୋଚନା କରିବା ପାଇଁ କହିଥିଲି । ବିଜେଡି ଓ ବିଜେପି ଚାଷୀଙ୍କ ପାଇଁ ଚିନ୍ତିତ ନୁହନ୍ତି । ତେଣୁ ବାଚସ୍ପତି ଶୀଘ୍ର ସର୍ବଦଳୀୟ ବୈଠକ ଡାକି ଗୃହ ନିଷ୍ପତି ଅନୁସାରେ ଧାନର କ୍ରୟ ମୂଲ୍ୟ ନିର୍ଦ୍ଧାରିତ କରିବାକୁ ସେ ଦାବି କରିଛନ୍ତି ।