ଚାଲି ଚାଲି ରାଉରକେଲାରୁ ଦିଲ୍ଲୀ । ବ୍ରାହ୍ମଣୀ ସେତୁ ଓ ହସ୍ପିଟାଲ କଥା ମୋଦିଙ୍କୁ ମନେପକାଇବାକୁ ୧୩୫୦ କି.ମି ଚାଲିଲେ ଓଡିଶା ଯୁବକ, ଅଧାବାଟରେ ହେଲେ ବେହୋସ

64

କନକ ବ୍ୟୁରୋ : ନିର୍ବାଚନ ବେଳେ ନେତା ମାନେ ମାଳ ମାଳ ପ୍ରତିଶୃତି ଦିଅନ୍ତି ଏକଥା ସମସ୍ତେ ଜାଣନ୍ତି । କିଏ ଏହାକୁ ପୂରଣ କରେ ତ ପୁଣି କିଏ ଭୋଟ ପାଇବା ପରେ ଏକଥାକୁ ସମ୍ପୂର୍ଣ୍ଣ ଭୁଲି ଯାଏ । ଆଉ ଏଭଳି ଜଣେ ନେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯିଏ ମାଳ ମାଳ ପ୍ରତିଶୃତି ଦିଅନ୍ତି କିନ୍ତୁ ଏହାକୁ କେତେ ପୂରଣ କରନ୍ତି ତାହା ପୂରା ଭାରତବାସୀ ଜାଣି ସାରିଲେଣି । ଆଉ ମୋଦିଙ୍କୁ ନିଜ ପ୍ରତିଶୃତି ମନେ ପକାଇ ଦେବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ଆଉ ଏଥିପାଇଁ ଚାଲି ଚାଲି ଦିଲ୍ଲୀରେ ପହଞ୍ଚିବା ସହ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି ମନେ ପକାଇବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ।

୨୦୧୫ ଏପ୍ରିଲ ୧ । ଓଡ଼ିଶାର ଷ୍ଟିଲ ସିଟି ରାଉରକେଲାରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ରାଉରକେଲାବାସୀଙ୍କ ପାଇଁ ଉପହାର ଆଣିଥିଲେ ମୋଦି । ରାଉରକେଲାର ଲାଇଫଲାଇନ କୁହାଯାଉଥିବା ବ୍ରାହ୍ମଣୀ ବ୍ରିଜର ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ମେଡ଼ିକାଲ କରିବାକୁ ପ୍ରତିଶୃତି ଦେଇଥିଲେ ମୋଦି । କିନ୍ତୁ ଏଭଳି କହି ରାଉରକେଲା ବାସୀଙ୍କୁ ଦିବା ସ୍ୱପ୍ନ ଦେଖାଇଥିଲେ ମୋଦି । ଏହା ଭିତରେ ତିନି ବର୍ଷ ଶେଷ ହୋଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ପ୍ରତିଶୃତି ଭୁଲି ଯାଇଛନ୍ତି ବୋଧହୁଏ । ବ୍ରାହ୍ମଣୀ ବ୍ରିଜର ନିର୍ମାଣ ପରେ ଇସ୍ପାତ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରାଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ବ୍ରାହ୍ମଣୀ ବ୍ରିଜର ନିର୍ମାଣ କ୍ଷେତ୍ରରେ ସତେ ଯେମିତି ଆଖି ବୁଜି ଦେଇଛନ୍ତି ମୋଦି ସରକାର ।

ବ୍ରାହ୍ମଣୀ ବ୍ରିଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ମୋଦି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ମନେପକାଇ ଦେବା ପାଇଁ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଖାସ୍ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯିବାକୁ ନିଷ୍ପତି ନେଇଥିଲେ ମୁକ୍ତିକାନ୍ତ । ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇଥିଲା ତାଙ୍କର ଦିଲ୍ଲୀ ଚାଲୋ ଅଭିଯାନ । ସାଙ୍ଗରେ ଖଣ୍ଡେ ବ୍ୟାଗ ଓ ହାତରେ ତ୍ରିରଙ୍ଗା ପତକା । ଏହାକୁ ସାଥୀ କରି ଦୀର୍ଘ ୧୩୫୦ କିଲୋମିଟର ରାସ୍ତା ଚାଲିବା ପରେ ଆଗ୍ରା ଜାତୀୟ ରାଜପଥରେ ବେହୋସ ହୋଇ ପଡ଼ଥିଲେ ମୁକ୍ତିକାନ୍ତ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ କହିବା ଅନୁଯାୟୀ, ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବ୍ରିଜର କାର୍ଯ୍ୟ ଶେଷ କରି ହସ୍ପିଟାଲର ନବୀକରଣ କରିବାକୁ ଅନୁରୋଧ କରିବେ । ଏହା ହେଉଛି ରାଉରକେଲାବାସୀଙ୍କ ଲାଇଫଲାଇନ । ଏହି ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ଲୋକମାନେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ମୋଦି ନିଜର ପ୍ରତିଶୃତି ପାଳନ କରିବେ ବୋଲି ମୁକ୍ତିକାନ୍ତ ଆଶା ରଖିଛନ୍ତି । ଯଦି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ଅନୁମତି ନ ଦିଆଯାଏ ତେବେ ସେ ଦିଲ୍ଲୀରେ ଧାରଣାରେ ବସିବେ ବୋଲି କହିଛନ୍ତି ।

ସବୁଠୁ ବଡ଼ କଥା ହେଲା, ମେ ୨୬ରେ କଟକ ଆସି ମୋଦି ନିଜ ସରକାରର ୪ ବର୍ଷର ସଫଳତା କାହାଣୀ ପୂରା ଦେଶବାସୀଙ୍କୁ କହିଥିଲେ । ଚାରି ବର୍ଷ ମଧ୍ୟରେ କେଉଁ ଯୋଜନା ଘୋଷଣା ହୋଇଛି ତାହାର ଏକ ଲମ୍ବା ତାଲିକା ପୂରା ଦେଶବାସୀଙ୍କ ସାମ୍ନାରେ ରଖିଥିଲେ । କିନ୍ତୁ ଯେଉଁ ଓଡ଼ିଶାରେ ମୋଦି ଛିଡ଼ା ହୋଇ ୪ ବର୍ଷ ସରକାରର ହିସାବ ଦେଉଥିଲେ ସେହି ଓଡ଼ିଶାକୁ ମୋଦି ଦେଇଥିବା ପ୍ରତିଶୃତି ସମ୍ପୂର୍ଣ୍ଣ ଭାବେ ଭୁଲ ଯାଇଥିଲେ ବୋଧ ହୁଏ । ଆଉ ଏହି କଥାକୁ ମନେ ପକାଇ ଦେବାକୁ ରାଉରକେଲାର ଏକ ଯୁବକ ଦିଲ୍ଲୀ ଚାଲୋ ଅଭିଯାନରେ ବାହାରିଛନ୍ତି । କେବଳ ମୁକ୍ତିକାନ୍ତ ନୁହେଁ ରାଉରକେଲାର ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ବାରମ୍ବାର ବ୍ରାହ୍ମଣୀ ବ୍ରିଜ ପାଇଁ ମୋଦିଙ୍କୁ କହୁଥିଲେ ମଧ୍ୟ ଏହାର ଫଳ ଶୂନ ।