ମଧ୍ୟପ୍ରଦେଶ ବନବିଭାଗକୁ ଚିଠି ଲେଖିଲେ ଓଡ଼ିଶା ସରକାର । କହିଲେ, ଯେତେ ଶୀଘ୍ର ପାରୁଛ ସୁନ୍ଦରୀକୁ ଫେରାଇ ନିଅ,ବାଘୁଣୀ ସୁସ୍ଥ ଓ ସ୍ଥିର ଥିବା ନେଇ ଚିଠିଲେ ଉଲ୍ଲେଖ

419

କନକ ବ୍ୟୁରୋ : ବାଘୁଣୀ ସୁନ୍ଦରୀ ବର୍ତମାନ ସୁସ୍ଥ ଅଛି, ତେଣୁ ଯେତେଶୀଘ୍ର ପାରୁଛ ତାକୁ ଫେରାଇ ନିଅ । । ଓଡିଶା ବନବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବନବିଭାଗକୁ ଏନେଇ ଏକ ରିପୋର୍ଟ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେ, ହିଂସ୍ର ପ୍ରବୃତି ଫେରାଇ ଆଣିବାକୁ ତୁରନ୍ତ ସୁନ୍ଦରୀ ବାଘୁଣୀକୁ କାହ୍ନା ଅଭୟାରଣ୍ୟକୁ ନେଇଯାଅ ।

କେମିତି ଅଛି ବାଘୁଣୀ ସୁନ୍ଦରୀ? ଶିକାର କହୁଛି ନା ମାନ୍ଦା ହୋଇ ଶୋଇ ରହୁଛି? ଏ ତମାମ ପ୍ରଶ୍ନର ଉତର ସାମ୍ନାକୁ ଆସିଛି, ଯେତେବେଳେ ବନ ବିଭାଗ ପକ୍ଷରୁ ବାଘୁଣୀ ସୁନ୍ଦରୀ ବାବଦରେ ପୁରା ତଥ୍ୟ ସାମ୍ନାକୁ ଆସିଛି ।

ଛୋଟ ଶିକାରକୁ ପାଣିରେ ବୁଡାଇ ମାରୁଛି ସୁନ୍ଦରୀ । କିନ୍ତୁ ଓଜନିଆ କିମ୍ବା ଆକ୍ରମଣାତ୍ମକ ଜନ୍ତୁକୁ ଶିକାର କରିବାକୁ ବାଘୁଣୀକୁ କରିବାକୁ ପଡୁଛି ଅଧିକ କସରତ । ସିସିଟିଭି କ୍ୟାମେରା ମାଧ୍ୟମରେ ବାଘୁଣୀ ସୁନ୍ଦରୀର ଶୋଇବା, ବସିବା, ଚାଲିବା, ଖାଇବା ଇତ୍ୟାଦିକୁ ଅନୁଧ୍ୟାନ କରୁଥିଲା ବନବିଭାଗ । ଯେଉଁଥିରୁ ଏମିତି କିଛି ଗତିବିଧିକୁ ନିରୀକ୍ଷଣ କରିଛି ବନବିଭାଗ । ଏ ସମ୍ବନ୍ଧିତ ଏକ ରିପୋର୍ଟ ମଧ୍ୟପ୍ରଦେଶ ବନବିଭାଗକୁ ପ୍ରଦାନ କରାଯାଇଛି ।

ହିଂସ୍ର ପ୍ରବୃତି ଫେରେଇ ଆଣିବାକୁ ତୁରନ୍ତ ସୁନ୍ଦରୀ ବାଘୁଣୀକୁ କାହ୍ନା ଅଭୟାରଣ୍ୟକୁ ନେଇଯାଅ । କାହ୍ନାର ଘୋରେଲା ସେଂଟରରେ ଛଡାଯିବା ପାଇଁ ବାଘୁଣୀ ଯଥେଷ୍ଟ ସୁସ୍ଥ ଅଛି । ମଧ୍ୟପ୍ରଦେଶ ବନବିଭାଗକୁ ଓଡିଶା ଲେଖିଥିବା ଚିଠିରେ ଏନେଇ ଅନୁରୋଧ କରାଯାଇଛି ।

ବାଘ ସ୍ଥାନାନ୍ତଋଣ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ଓଡିଶା ବନବିଭାଗକୁ ଭର୍ସନା କରିବା ପରେ ତୁରନ୍ତ ଏହାକୁ କାହ୍ନାକୁ ଫେରେଇ ନେବାକୁ କହିଥିଲେ । କିନ୍ତୁ ମଧ୍ୟପ୍ରଦେଶ ବନବିଭାଗ ସୁନ୍ଦରୀର ସ୍ୱାସ୍ଥ୍ୟ ଓ ଚାଲିଚଳଣ ନେଇ ଅଧିକ ତଥ୍ୟ ଦେବାକୁ ଓଡିଶାକୁ ଚିଠି ଲେଖି ଅନୁରୋଧ କରିଥିଲେ । ଯାହାର ଉତର ଦେଇଛି ଓଡିଶା ।

ସାତକୋଶିଆରେ ଥିବା ପୁରୁଣା ବାଘୁଣୀ ସହ ପାଖାପାଖି ୧୩ ମାସ ଭିତରେ ସୁନ୍ଦରୀ ଏନକ୍ଲୋଜର ଭିତରେ ରହି ୨୫୩ଥର ମୁହାଁମୁହିଁ ହୋଇଥିବା କଥା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୫୦ଥର ଉଭୟ ଆକ୍ରମଣାତ୍ମକ ଭଙ୍ଗୀ ପ୍ରଦର୍ଶନ କରିଥିବା ବେଳେ ୪ଥର ସୁନ୍ଦରୀ ସେଠାରୁ ହଟି ଯିବାର ଦେଖାଯାଇଛି । ଅନ୍ୟ ସମୟରେ କେହି କାହାକୁ ଦେଖି ପାରିନଥିବା କୁହାଯାଇଛି । ଏହା ସହିତ ବର୍ତମାନ ପ୍ରାୟ ଦେଢଣ୍ଟକ୍ୱିଣ୍ଟାଲ ଓଜନ ବିଶିଷ୍ଟ ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟ ସମ୍ବନ୍ଧିତ ରିପୋର୍ଟ ମଧ୍ୟ ମଧ୍ୟପ୍ରଦେଶକୁ ଦିଆଯାଉଛି ।